ବିଜେପିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ; ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଅଶ୍ବିନୀ

ବିଭିନ୍ନ ସ୍ଥାନରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବିଜେପିର ‘ଜନ ଆଶୀର୍ବାଦ’ ଯାତ୍ରାରେ ଯୋଗଦେବାକୁ ଆଜିଠୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କୁ ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଗୁରୁବାର ସକାଳେ ଦୁଇ କେନ୍ଦ୍ର ମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପାରିକ ପାଇକ ନୃତ୍ୟ, ବାଦ୍ୟରେ ସ୍ବାଗତ କରାଯାଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତି, ସଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ରାଜ୍ୟ ବିଜେପିର ବହୁ ବିଧାୟକ, ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ଦେଇ ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଦୁଇ ମନ୍ତ୍ରୀ ପୁରୀ ଅଭିମୁଖେ ଯାଇଥିଲେ। ପୁରୀ ଯିବା ରାସ୍ତାରେ ଦୁଇ ମନ୍ତ୍ରୀଙ୍କୁ କଳ୍ପନା ଛକ, ବାର୍‌ ଆସୋସିଏସନ୍, ଲିଙ୍ଗିପୁର ଛକ, ଉତ୍ତରା ଛକ, ପିପିଲି, ସାତଶଙ୍ଖ, ଚନ୍ଦନପୁର, ଅଠରନଳା ଆଦି ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପୁରୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ବାହାରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ବହୁ ନେତୃବୃନ୍ଦ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ। ଏଠାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ମହିଳା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଓବିସି, ସଂଖ୍ୟାଲଘୁ ଏବଂ ଯବୁ ମୋର୍ଚ୍ଚା ତରଫରୁ ଉଭୟ ମନ୍ତ୍ରୀଙ୍କୁ ସ୍ବାଗତ ଏବଂ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ବହୁ ବରିଷ୍ଠ ନେତା, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ, ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର