ଜଳଛାୟା ଅଞ୍ଚଳରେ ତ୍ୱରାନ୍ୱିତ ହେବ ରିୱାର୍ଡ ପ୍ରକଳ୍ପ

ନୂଆଦିଲ୍ଲୀ : ଓଡ଼ିଶାର ଜଳଛାୟା ଅଂଚଳରେ ବିଶ୍ବବ୍ୟାଙ୍କ ସହାୟତାରେ ତ୍ବରାନ୍ବିତ ହେବ ‘ଅଭିନବ ବିକାଶ ମାଧ୍ୟମରେ କୃଷି ସ୍ଥିରତା ପାଇଁ ଜଳଛାୟାକୁ ପୁନର୍ଜୀବିତ କରଣ’ (ରିୱାର୍ଡ) ପ୍ରକଳ୍ପ। ପ୍ରକଳ୍ପର ଆକଳନ ତଥା ତଦାରଖକୁ ନେଇ ବିଶ୍ବବ୍ୟାଙ୍କ ଦ୍ବାରା ୪୪ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଗ୍ରାମୀଣ ମନ୍ତ୍ରାଳୟର ଭୂ ସଂପଦ ବିଭାଗ ୱେବସାଇଟ୍‌ରେ ଏହି ରିପୋର୍ଟକୁ ଅପଲୋଡ୍‌ କରାଯାଇଛି। ଓଡ଼ିଶା ଓ କର୍ଣ୍ଣାଟକରେ ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ।

୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁଥିବା ଏହି ପ୍ରକଳ୍ପ ପାଇଁ ଓଡ଼ିଶାରେ ୧୧୪୮.୧୫ କୋଟି ଟଙ୍କା ବ୍ୟୟ କରାଯିବ। ଏଥିରୁ ୩୬୯.୪୮ କୋଟି ଟଙ୍କା ଆଇବିଆର୍‌ଡି ଦେବ। ଜଳଛାୟା ପରିଚାଳନା ପାଇଁ ଗୋଷ୍ଠୀମାନଙ୍କୁ ସୁଦୃଢ଼ କରାଯିବ। ଜଳଛାୟା ପରିଚାଳନା ପାଇଁ ଦକ୍ଷତା ବୃଦ୍ଧି ସହ ବୈଷୟିକ ବିକାଶ ଉପରେ ଗୁରୁତ୍ବାରୋପ କରାଯିବ। ରାଜ୍ୟର ସାତଟି ଜଳଛାୟା ଅଂଚଳ ଜିଲ୍ଲାମାନଙ୍କରେ ଏହା କାର୍ଯ୍ୟକାରୀ ହେବ। କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଆଦି ୫ ଜିଲ୍ଲାର ୧.୧୫ ହେକ୍ଟର ଜଳଛାୟା ଅଂଚଳରେ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହେବ। ଏହି ସବୁ ଜିଲ୍ଲାର ୧୫୨ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅଂଚଳ ଏଥିରେ ସାମିଲ ହେବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ମିଶାଇ ସମୁଦାୟ ଜିଲ୍ଲା‌ର ୭୦୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଗତ ୫.୨୬ ହେକ୍ଟର ଭୂ ସମ୍ପତ୍ତି ଏବଂ ପ୍ରାକୃତିକ ସାଧନକୁ ଏଥିରେ ସାମିଲ କରାଯିବ। ଏଥି ସହିତ ‘ମୂଲ୍ୟ ଶୃଙ୍ଖଳ’କୁ ବିକାଶ କରାଯିବା ସହିତ କୃଷକ ଉତ୍ପାଦକ ସଂସ୍ଥାଗୁଡିକର ସୁଦୃଢ଼ କରିବା ପାଇଁ ଗୁରୁତ୍ବ ପ୍ରଦାନ କରାଯିବ। ରିପୋର୍ଟରେ ରାଜ୍ୟରେ ୧୫.୫୭ ନିୟୁତ ହେକ୍ଟର ଭୌଗୋଳିକ ଅଞ୍ଚଳ ରହିଥିବାବେଳେ ୨୦ ହଜାର ୭୯ଟି କ୍ଷୁଦ୍ର ଜଳଛାୟା ରହିଛି। ଏବେବି ୯୧୫୩ କ୍ଷୁଦ୍ର ଜଳଛାୟା ଅଞ୍ଚଳର ବିକାଶ କରାଯାଇନାହିଁ।

ସମ୍ବନ୍ଧିତ ଖବର