ଅନ୍‌ଲାଇନ୍‌ରେ ବୁକିଂ ହେବ କଲ୍ୟାଣ ମଣ୍ଡପ, ସର୍ବାଧିକ ୬ ମାସ ପୂର୍ବରୁ ମିଳିବ ସୁଯୋଗ

ଭୁବନେଶ୍ୱର : ବିଏମ୍‌ସି ମାଲିକାନାରେ ଥିବା ବିଭିନ୍ନ କଲ୍ୟା‌ଣ ମଣ୍ଡପ ଏଥର ଅନ୍‌ଲାଇନ୍‌ରେ ବୁକିଂ କରିହେବ। ବୁଧବାରଠାରୁ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ଏହି ବ୍ୟବସ୍ଥା ଆରମ୍ଭ କରିଛି। ଭୁବନେଶ୍ୱର. (ଡଟ୍) ମି (ଏମ୍‌ଇ) ପୋର୍ଟାଲ୍ ଜରିଆରେ କଲ୍ୟାଣମଣ୍ଡପର ସ୍ଥିତି ଅନୁଧ୍ୟାନ କରିବା ସହ ଫାଙ୍କା ଥିବା କଲ୍ୟାଣ ମଣ୍ଡପ ବୁକିଂ କରିପାରିବେ। ଏଥିପାଇଁ ରହିଥିବା ଦେୟ ଅନ୍‌ଲାଇନ୍‌ରେ ଅର୍ଥାତ୍‌ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଓ ୟୁପିଆଇ ଜରିଆରେ ଦେଇ ପାରିବେ।

ଅନ୍‌ଲାଇନ୍‌ରେ ବିଏମ୍‌ସି କଲ୍ୟାଣମଣ୍ଡପ ବୁକିଂ କରିବାକୁ ହେଲେ ଭୁବନେଶ୍ୱର ଡଟ୍ ମି ପୋର୍ଟାଲ କୁ ଯାଇ ‘ସିଟିଜେନ୍‌ ସର୍ଭିସ୍‌’ରେ ‘କଲ୍ୟାଣ ମଣ୍ଡପ ବୁକିଂ’ ଚୟନ କରିବାକୁ ହେବ। ସେଠାରେ ନିଜ ମୋବାଇ ନମ୍ବର ଜରିଆରେ ପଞ୍ଜୀକୃତ ହେବା ପରେ ବୁକିଂ ପାଇଁ ଅପସନ୍‌ ଆସିବ। ଅତିଥି ଭାବରେ ମଧ୍ୟ ଲଗ୍‌ ଇନ୍‌ କରିହେବ। ୬ ମାସ ପୂର୍ବରୁ ହିଁ ବୁକିଂ ସମ୍ଭବ ହେବ। ‘ଚେକ୍‌ ଆଭେଲେବିଲିଟି’ ଅପସନ୍‌ରେ ଚାହୁଥିବା କଲ୍ୟାଣମଣ୍ଡପ ଖାଲି ଅଛି କି ନାହିଁ ଜାଣି ହେବ। ବୁକିଂ ହେବା ପରେ ପଞ୍ଜୀକୃତ ଇ-ମେଲ୍ କିମ୍ବା ମୋବାଇଲ୍ ନମ୍ବରରେ ବୁକିଂ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ କୌଣସି ଦସ୍ତଖତର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ। କିମ୍ବା ବିଏମ୍‌ସି ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ।

ସୂଚନାଯୋଗ୍ୟ, ବର୍ତମାନ ବିଏମ୍‌ସି ଅଧୀନରେ ସହିଦନଗର (ଉପର ଓ ତଳ ମହଲା), ଭିଏସ୍ଏସ୍ ନଗର, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ୟୁନିଟ୍‌-୮ (କମ୍ୟୁନିଟି ସେଣ୍ଟର), ଶାସ୍ତ୍ରୀନଗର, ବୁଦ୍ଧେଶ୍ୱରୀ କଲୋନି ଓ ୟୁନିଟ୍‌-୬ କଲ୍ୟାଣ ମଣ୍ଡପ ରହିଛି। ପୂର୍ବରୁ ଏହି ସବୁ କଲ୍ୟାଣ ମଣ୍ଡପ ଅନ୍‌ଲାଇନ୍‌ରେ ବୁକିଂ କରିବା ବ୍ୟବସ୍ଥା ଥିଲା। ଅନ୍‌ଲାଇନ୍‌ରେ ବୁକିଂ କରିବା ପରେ ବିଏମ୍‌ସି କାର୍ଯ୍ୟାଳୟ ଯାଇ ଦେୟ ଜମା କରିବାକୁ ପଡ଼ୁଥିଲା। ୪ରୁ ୫ ବର୍ଷ ହେବ ଏହି ବ୍ୟବସ୍ଥା ଭୁଶୁଡ଼ି ଯାଇଥିଲା। ଅନ୍‌ଲାଇନ୍‌ରେ ଆଉ ବୁକିଂ ସମ୍ଭବ ହେଉନଥିଲା। ଏଥିରୁ କେତେକ ମରାମତି ହେଉଥିଲା। ଯେତିକି ଭଲ ଥିଲା ସେଗୁଡ଼ିକ ସ୍ଥିତି ବାବଦ‌ରେ କେହି ଜାଣି ପାରୁନଥିଲେ। ଫଳରେ ଫାଙ୍କା ଥିଲେ ବି ବୁକିଂ ହୋଇପାରୁନଥିଲା। ଏବେ ଏ ସବୁକୁ ପ୍ରସ୍ତୁତ କରାଯାଇ ୱେବ୍‌ ପୋର୍ଟଲରେ ଅପ୍‌ଲୋଡ୍‌ କରାଯାଇଛି।

ଏନେଇ ବିଏମ୍‌ସି କମିସନର ତଥା ବିଏସ୍‌ସିଏଲ୍ ସିଇଓ ସଞ୍ଜୟ ସିଂହ କହିଛନ୍ତି, ଏହା ଦ୍ବାରା ବିଏମ୍‌ସି କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ବରିଷ୍ଠ ନାଗରିକ ନିଜ ସନ୍ତାନ ସନ୍ତତିଙ୍କ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିପାରିବେ। ସୁଲଭ ମୂଲ୍ୟରେ ଏଗୁଡ଼ିକ ଯୋଗାଇ ଦିଆଯିବ। ଅନ୍‌ଲାଇନ୍ ବୁକିଂ ଦ୍ୱାରା କାରବାରରେ ସ୍ୱଚ୍ଛତା ମଧ୍ୟ ରକ୍ଷା କରାଯାଇ ପାରିବ। ‘ଭୁବନେଶ୍ୱର ଡଟ୍ ମି’ ପୋର୍ଟାଲ ଜରିଆରେ ୧୬ଟି ସରକାରୀ ସଂସ୍ଥାର ଶହେରୁ ଊର୍ଦ୍ଧ୍ୱ ସେବା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା‌ ୪ ଲକ୍ଷରୁ ଊର୍ଦ୍ଧ୍ୱ ଏହି ପୋର୍ଟାଲରୁ ବିଭିନ୍ନ ସେବା ପାଇଥିବା ବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଅଭିଯୋଗର ସମାଧାନ ହୋଇଛି।

ସମ୍ବନ୍ଧିତ ଖବର