ନିର୍ବାଚନ ମଇଦାନରେ ଗୁଆଘିଅ, ସାମୀ ସାମୀ

ଚାହିଦାରେ ସମ୍ବଲପୁରୀ ଓ କୋରାପୁଟିଆ ଗୀତ, ନୂଆ କଣ୍ଠଶିଳ୍ପୀଙ୍କୁ ମିଳିଛି ମଉକା

ଚନ୍ଦ୍ରଶେଖରପୁର/ଖଣ୍ଡଗିରି : ଜମି ଆସିଲାଣି ପଞ୍ଚାୟତ ନିର୍ବାଚନ ପ୍ରଚାର। ରାଜ୍ୟସାରା ଗାଁ ଗାଁରେ ପ୍ରଚାର ମଇଦାନ କମ୍ପୁଛି। ଗଳିକନ୍ଦି ଖାଲି ପଡ଼ୁଛି, ଉଠୁଛି। ତେବେ ପ୍ରାର୍ଥୀମାନଙ୍କ ଭୋଟ୍‌ ଭିକ୍ଷା ଢାଞ୍ଚାକୁ ବଳେଇ ପଡ଼ିଛି ନିର୍ବାଚନ ଗୀତ। ମାର୍କେଟ୍‌ ନେଇଛି ଗୁଆଘିଅ ଓ ତେଲ୍‌ଗୁ ଫିଲ୍ମ ପୁଷ୍ପାର ସାମୀ ସାମୀ ନକଲରେ ପ୍ରସ୍ତୁତ ହୋଇଥିବା ଗୀତ। ଏହି ଗୀତ ବଜାଇ ବଜାଇ ପ୍ରଚାର ଗାଡ଼ି ଗାଁକୁ ପଶିବା ମାତ୍ରେ ଘର ଭିତରୁ ଦାଣ୍ଡ ବାରଣ୍ଡାକୁ ବାହାରି ଆସୁଛନ୍ତି ପିଲାଛୁଆ ଓ ମହିଳାମାନେ। ସେହିଭଳି ଓଡ଼ିଆ ଗୀତ ମୋ ପଖାଳ ପାଣିକୁ ବନ୍ଦେ, ମୋ ଗାଁ ମାଟିକୁ ବନ୍ଦେ, ଆମ ଭାଇ ଭାରୀ ସ୍ବାଭିମାନୀ, ଆମ ଅପା ଭାରୀ ସ୍ବାଭିମାନୀ, ଆମ ଗାଁ ମାଟି ଗେହ୍ଲା ପୁଅ ଭଳି ଟ୍ରାକ୍‌ରେ ବାଜୁଥିବା ଗୀତ ପ୍ରତି ଲୋକେ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏଥିସହ ସମ୍ବଲପୁରୀ ଓ କୋରାପୁଟିଆ ଧୂନ୍‌ରେ ବୋଲା ଯାଇଥିବା ଗୀତର ବି ବହୁ ଚାହିଦା ରହିଛି। ୧୬ତାରିଖରୁ ଭୋଟ୍‌ଦାନ ଆରମ୍ଭ ହେଉଥିବାରୁ ଏବେ ବିଭିନ୍ନ ଷ୍ଟୁଡିଓରେ ଦିନରାତି କାମ ଚାଲିଛି। କଳାକାରମାନଙ୍କୁ ଆଦୌ ଫୁରୁସତ୍ ନାହିଁ। ନାମୀ କଳାକାରଙ୍କ ଅଭାବ କାରଣରୁ ଏବେ ବହୁ ନୂଆ କଣ୍ଠଶିଳ୍ପୀଙ୍କୁ ମଉକା ମିଳିଛି।

ସବୁଠୁ ଆଗରେ ରହିଛି, ଗୁଆଘିଅ ଓ ସାମୀସାମୀ। ଗୁଆଘିଅ ଗୀତଟି ଏବେ ଓଡ଼ିଶାରେ ସବୁଠୁ ଅଧିକ ଭାଇରାଲ ହୋଇଛି। ତେଣୁ ପ୍ରାର୍ଥୀମାନେ ଆଗ ଏହି ଗୀତର ଟ୍ରାକ୍‌ ପାଇଁ ବରାଦ କରୁଛନ୍ତି। ତା’ ପଛକୁ ରହିଛି ସାମୀସାମୀ। ସେହିଭଳି ବଙ୍ଗୀୟ ଗୀତ ‘କଚା ବାଦାମ’ ମଧ୍ୟ ମଇଦାନରେ କସ ଦେଖାଉଛି। ଏହି ସବୁ ଗୀତ ପାଇଁ ୩ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି ବୋଲି ସଂଗୀତ ନିର୍ଦେଶକ ଦୀପକ କୁମାର କହିଛନ୍ତି। ଏବେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଆଦି ରାଜ୍ୟର ସମସ୍ତ ବଡ଼ଛୋଟ ସହରର ଷ୍ଟୁଡିଓରେ ପ୍ରବଳ ଭିଡ଼ ହେଉଛି। ନିର୍ବାଚନୀ ପ୍ରଚାର ଗୀତ ପ୍ରସ୍ତୁତି ପାଇଁ ଷ୍ଟୁଡିଓ କର୍ମଚାରୀମାନଙ୍କୁ ଖାଇବାକୁ ସମୟ ମିଳୁ ନାହିଁ। ଏମିତିକି ବହୁ ଷ୍ଟୁଡିଓରେ ଦିନ ରାତି କାମ ଚାଲିଛି। କରୋନା ପାଇଁ ଦୁଇ ବର୍ଷ ହେଲା ହାତ ବାନ୍ଧି ବସିଥିବା ଟେକ୍‌ନିସିଆନ୍‌ ଓ କଣ୍ଠଶିଳ୍ପୀଙ୍କୁ କାମ କରିବାର ସୁଯୋଗ ମିଳିଛି। ଭଲ ରୋଜଗାର ବି ଯୋଗାଇଛି। ପ୍ୟାକେଜ୍‌ ପିଛା ୬ ହଜାରରୁ ୮ ହଜାର ଟଙ୍କା ବ୍ୟୟରେ ରେକର୍ଡିଂ କରାଯାଉଛି। ପୂର୍ବରୁ କେବଳ ଗୀତ ରେକର୍ଡିଂ କରାଯାଉଥିଲା ଓ ମାଇକ୍‌ରେ ବାଜୁଥିଲା। ମାତ୍ର ଚଳିତଥର ଉଭୟ ଅଡିଓ ଓ ଭିଡିଓ ରେକର୍ଡିଂ କରାଯାଉଛି। ପ୍ରାର୍ଥୀଙ୍କ ନିର୍ବାଚନୀ ସଂକେତ, ପ୍ରଚାର ଓ ଗାଁର ଉନ୍ନତିମୂଳକ କାମର ଦୃଶ୍ୟକୁ ଭିଡିଓ ସୁଟ୍‌ କରାଯାଇ ରେକର୍ଡିଂ କରାଯାଇଥିବା ଗୀତ ମଝିରେ ମିଶାଇ ଦିଆଯାଇଛି। ଭିତରେ ପ୍ରାର୍ଥୀଙ୍କ ସମର୍ଥନରେ ସ୍ଳୋଗାନ୍‌ମାନ ମଧ୍ୟ ରହୁଛି। ଭୁବନେଶ୍ବର ରେଡ୍‌କ୍ରାଫ୍ଟ ଷ୍ଟୁଡିଓର ମାଲିକ ଲଳିତେନ୍ଦୁ ଦାସଙ୍କ କହିବା କଥା, ଚଳିତ ନିର୍ବାଚନ ପାଇଁ କାମ ଅଧିକ ବଢ଼ିଯାଇଛି।

ବିଶେଷକରି ଡିଜିଟାଲ୍‌ ମିଡିଆରେ ପ୍ରଚାର କରାଯାଉଥିବାରୁ ଉଭୟ ଭଡିଓ ଓ ଅଡିଓ ରେକର୍ଡିଂର ଚାହିଦା ବଢ଼ିଯାଇଛି। ଜଣେ କଣ୍ଠଶିଳ୍ପୀ ରାଜେଶ ଦାସଙ୍କ କହିବା କଥା ଅନ୍ୟ ଗୀତ ଗାଇବା ଅପେକ୍ଷା ନିର୍ବାଚନୀ ଗୀତ ଗାଇବାରେ ମଜା ଅଲଗା। ଷ୍ଟୁଡିଓ ମାଷ୍ଟର କ୍ରିଏସନ୍‌ ମା‌ଲିକ ଶୁଭ୍ରାଂଶୁ ପାତ୍ରଙ୍କ କହିବା କଥା ଚଳିତ ବର୍ଷ ବରାଦ ଅଧିକା ଥିବାରୁ ଗୀତ ରେକର୍ଡ କରିବା ପାଇଁ ନାମୀ କଳାକାରଙ୍କୁ ସମୟ ହେଉନାହିଁ। ତେଣୁ ନୂଆ କଳାକାରଙ୍କୁ ସୁଯୋଗ ମିଳୁଛି।

ସୂଚନାଯୋଗ୍ୟ, ଭୋଟରଙ୍କ ନିକଟରେ ଖୁବ୍‌ କମ୍‌ ସମୟରେ ପହଞ୍ଚିବା ଲାଗି ଡିଜିଟାଲ୍‌ ମାଧ୍ୟମ ମୁଖ୍ୟ ଅସ୍ତ୍ର ପାଲଟିଛି। ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମ୍‌ ପରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବାକୁ ଭିଡିଓ ସହିତ ଗୀତ ଖୁବ୍‌ ରୋଚକ ହେଉଛି।

ସମ୍ବନ୍ଧିତ ଖବର