ତେଜୁଛି କୁନ୍ଦୁଲି ରାଜନୀତି

ବିଜେପି କେନ୍ଦ୍ରୀୟ ଟିମ୍‌ର ତନାଘନା, ୫ ରେ ଆସିବ ଏନ୍‌ଏଚ୍‌ଆର୍‌ସି ଟିମ୍‌

ଭୁବନେଶ୍ୱର : କୁନ୍ଦୁଲି ରାଜନୀତି ଥମିବାର ନାଁ ଧରୁନାହିଁ। ଓଡ଼ିଶା ବନ୍ଦ ଡାକରା ଦେବା ପରେ କଂଗ୍ରେସ ଏହି ପ୍ରସଙ୍ଗରେ ଆପାତତଃ ନିରବ ରହିଛି। ହେଲେ ପ୍ରଥମ ୧୦୦ ଦିନ ଚୁପ୍‌ ରହିଥିବା ବିଜେପି କିନ୍ତୁ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ଲାଗି କୌଣସି ସୁଯୋଗ ହାତଛଡା କରିବାକୁ ପ୍ରସ୍ତୁତ ନୁହେଁ। କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପାଇଁ ଆଜି ବିଜେପିର କେନ୍ଦ୍ରୀୟ ଟିମ୍‌ ଓଡ଼ିଶାରେ ପହଞ୍ଚିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ଦେଶରେ ଆସିଥିବା ଏହି ୩ ଜଣିଆ ଟିମ୍‌ କୋରାପୁଟ ଗସ୍ତ କରିବେ ଓ କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ଅନୁଧ୍ୟାନ କରିବେ।ଏହା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପୋଲିସ ଓ ପ୍ରଶାସନ ସହ ମଧ୍ୟ ଆଲୋଚନା କରିବେ। ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସରୋଜା ପାଣ୍ଡେଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଓ ବିଜେପି ରାଷ୍ଟ୍ରୀୟ ସଂପାଦିକା ଜ୍ୟୋତି ଧ୍ରୁବେ, ଅଞ୍ଜୁବାଲା ଅଛନ୍ତି। ସେମାନଙ୍କ ସହିତ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ କୋରାପୁଟ ଗସ୍ତ କରୁଛନ୍ତି।

ସେପଟେ ଜାତୀୟ ମାନବିକ ଅଧିକାର କମିସନଙ୍କ ନିର୍ଦେଶ ଅନୁସାରେ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଆସନ୍ତା ୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖ ଯାଏ ଏହି ଟିମ୍‌ ଘଟଣାର ଛାନ୍‌ଭିନ୍‌ କରିବା ପରେ ଫେରିବେ। ଡିଏସ୍‌ପି ରବି ସିଂହଙ୍କ ନେତୃତ୍ୱରେ ଆସୁଥିବା ଏହି ତଦନ୍ତକାରୀ ଦଳରେ ଲାଲ୍‌ ବାହାର, ଅରୁଣ ଓ ସ୍ନେହା ଯାଦବ ଥିବା ସୂଚନା ମିଳିଛି।

ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି କେନ୍ଦ୍ରୀୟ ଦଳ ଅଭିଯୋଗ କରିଛି ଯେ ରାଜ୍ୟ ସରକାରଙ୍କ ମୈାଳିକ ଦାୟିତ୍ୱ ହେଲା ମହିଳାଙ୍କୁ ସୁରକ୍ଷା ଦେବା। ମାତ୍ର ଏଠି ସମସ୍ତେ ଅସୁରକ୍ଷିତ । ରାଜ୍ୟରେ ମହିଳାମାନଙ୍କ ଉପରେ ଯେଭଳି ଆକ୍ରମଣ ଚାଲିଛି, ନିର୍ଯାତିତ ହେଉଛନ୍ତି, ତାହା ହିଁ ଏଭଳି ସଙ୍କେତ ଦେଉଛି। ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତା ଜଣକ ନ୍ୟାୟ ପାଇବା ଅପେକ୍ଷାରେ ନିରାଶ ହୋଇ ଶେଷରେ ପ୍ରାଣ ହରାଇଲା । ପୀଡିତା ଜଣକ ବାରମ୍ବାର ପୁଲିସ ଏବଂ ପ୍ରଶାସନକୁ ଦାୟୀ କରିଥିବା ସତ୍ତ୍ୱେ ରାଜ୍ୟ ସରକାର ସଂପୂର୍ଣ୍ଣ ଅଣଦେଖା କରିଥିଲେ । ଗୃହ ବିଭାଗର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପୁଲିସ ଏବଂ ପ୍ରଶାସନର ସହାୟତାରେ ଘଟଣାକୁ ଚାପି ଦେବାର ଅପପ୍ରୟାସ କରିଛନ୍ତି।

ମହିଳାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ଗ୍ରହଣ କରିଛି। ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ମାତ୍ର ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି । ଏଥିପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷୋଭ ପ୍ରକଟ କରିଛନ୍ତି। ସେହିଭଳି ଏତେ ବଡ଼ ପ୍ରସଙ୍ଗରେ ରାଜ୍ୟ ମହିଳା କମିସନ ନିରବତା ଅବଲମ୍ବନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଅଣ୍ଡା ମାଡ କାରଣରୁ ଅସହାୟ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅସଦ୍‌ ବ୍ୟବହାର ପ୍ରଦର୍ଶନ କରି ସର୍ବ ସମ୍ମୁଖରେ ମାଡ ମରାଯିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି କହିଛି। ରାଜ୍ୟ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉକ୍ତ ପ୍ରତିନିଧି ଦଳ ସହ କୋରାପୁଟ ଗସ୍ତ କରିବେ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ମହିଳା କମିସନଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହିତ ଅଫିସ ଭିତରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ମହିଳା କମିସନଙ୍କ କାର୍ଯ୍ୟାଳୟର ଦୁଆର ମୁହଁରେ ଚୁଡି ହାର କରି ଟାଙ୍ଗିଥିଲେ।

ସମ୍ବନ୍ଧିତ ଖବର