ତାତିଲେ ଛାତ୍ରଛାତ୍ରୀ, ସ୍କୁଲ ଫାଟକରେ ତାଲା ମାରିଲେ

ରତ୍ନଗିରି: ବିଭିନ୍ନ ଅବ୍ୟବସ୍ଥା ପ୍ରତିବାଦରେ ବରୀ ଶିକ୍ଷା ମଣ୍ତଳ ଅନ୍ତର୍ଗତ ରତ୍ନଗିରି ନୋଡାଲ୍ ସରକାରୀ ଉଚ୍ଚବିଦ୍ୟାଳୟ ଫାଟକରେ ଆଜି ଛାତ୍ରଛାତ୍ରୀ ତାଲା ପକାଇ ଦେଇଛନ୍ତି। ୬ ମାସ ଧରି ଦେଖାଦେଇଥିବା ଅବ୍ୟବସ୍ଥା ସଂପର୍କରେ ଗତ ୪ ତାରିଖରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକ ବରୀ ମଣ୍ତଳ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କୌଣସି ସୁଫଳ ନମିଳିବାରୁ ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ସହକାରୀ ଶିକ୍ଷକମାନେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଅଭିଯୋଗ ଅନୁଯାୟୀ ଏଠାରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ନିୟମିତ ଭାବେ ବିଦ୍ୟାଳୟକୁ ଆସୁନଥିବା ତଥା କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଥିଲା। ତାଙ୍କ ଅନୁପସ୍ଥିତି କାରଣରୁ ସେ ପଢ଼ାଉଥିବା ବିଷୟ‌ ବିଜ୍ଞାନ ଓ ଗଣିତ ପାଠପଢ଼ା ଆଗଉ ନଥିବାର ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ମଧ୍ୟାହ୍ନଭୋଜନ ବାବଦକୁ ମିଳୁଥିବା ଚାଉଳ ଓ ଅର୍ଥ ମଧ୍ୟ ପିଲାମାନେ ଏ ପର୍ଯ୍ୟନ୍ତ ପାଇ ନଥିବାର ଅଭିଯୋଗ ହୋଇଛି। କିଛି ଦିନ ତଳେ ୫-ଟି ରୂପାନ୍ତରୀକରଣ ଯୋଜନାରେ ସାମିଲ୍ ହୋଇଥିଲେ ବି ଶୌଚାଳୟକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ ବୋଲି ପିଲାମାନେ କହିଛନ୍ତି।

ଏନେଇ ମଣ୍ତଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ଉତ୍ତର ମିଳିଥିଲା, ୫୭ଦିନର ଚାଉଳ ଓ ଅର୍ଥ ନିର୍ବାଚନ ବ୍ୟସ୍ତତା ଭିତରେ ରହିଯାଇଛି। ତାହା ଖୁବ୍‌ଶୀଘ୍ର ପ୍ରଦାନ କରାଯିବ। ଏହାର ତଦନ୍ତ ପାଇଁ ଆଜି ରତ୍ନଗିରି ସିଆରସିସିଙ୍କୁ ପଠାଇଥିଲି। ଫାଟକରେ ତାଲା ପଡ଼ିଥିବାରୁ ତଦନ୍ତ ହୋଇପାରିନଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର