ଶ୍ରମିକଙ୍କୁ ନେବା ପାଇଁ ତେଲେଙ୍ଗାନାରୁ ଆସିଥିଲେ ଠିକାଦାରଙ୍କ ଦୁଇ କର୍ମଚାରୀ, କୋରାପୁଟରେ ହେଲେ ଲୁଟ୍‌ର ଶିକାର

ବୈପାରିଗୁଡା: ତେଲେଙ୍ଗାନାର ଜନୈକ ଠିକାଦାରଙ୍କ ଦୁଇ କର୍ମଚାରୀ ଶ୍ରମିକଙ୍କୁ ନେବା ପାଇଁ ଆସି ଲୁଟର ଶିକାର ହୋଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ୨ ବ୍ୟକ୍ତି ଏନେଇ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ଏତଲା ଅନୁଯାୟୀ, ତେଲେଙ୍ଗାନାର ଖମାମ ଜିଲ୍ଲା ଅନ୍ତର୍ଗତ କୋରାପଲ୍ଲି ଗ୍ରାମର ଜନୈକ ଠିକାଦାର ନିଜର ଦୁଇ ଜଣ କର୍ମଚାରୀ ଭି. ଲୋକପତି ଏବଂ ଜି. ଚିନାଙ୍କୁ ଶ୍ରମିକଙ୍କୁ ନେବା ପାଇଁ ପଠାଇଥିଲେ। ଶ୍ରମିକଙ୍କ ମଧ୍ୟସ୍ଥିଙ୍କର ଫୋନ୍ ନନ୍ଦ ନମ୍ବର ମଧ୍ୟ ଯୋଗାଯୋଗ କରିବା ପାଇଁ ଦେଇଥିଲେ। ଲୋକପତି ଏବଂ ଚିନା ବୈପାରିଗୁଡା ଠାରେ ପହଞ୍ଚି ଠିକାଦାର ଦେଇଥିବା ନମ୍ବର ଯୋଗେ ମଧ୍ୟସ୍ଥିଙ୍କ ସହ ଯୋଗାଯୋଗ କରିଥିଲେ। ନିଜକୁ ମଧ୍ୟସ୍ଥି ରୂପେ ପରିଚୟ ଦେଇ ଜନୈକ ଯୁବକ ଶ୍ରମିକମାନେ ତେଲେଙ୍ଗାନା ଯିବାପାଇଁ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିବା କହିବା ସହ ସେମାନଙ୍କ ନିକଟକୁ ନେଇଯିବା ପାଇଁ ଡାକିଥିଲେ।

ଦୁଇ କର୍ମଚାରୀଙ୍କୁ ନିଜ ବାଇକରେ ବସାଇ କୁନ୍ଦୁରା ରୋଡର ଲିମ୍ବାଗୁଡା ଛକ ନିକଟରେ ପହଞ୍ଚି ପାଖ ଜଂଗଲ ଭିତରକୁ ଡ଼ାକି ନେଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଆଉ ଛଅ ଜଣ ଦୁଇ କର୍ମଚାରୀଙ୍କୁ ଜବରଦସ୍ତ ହାତକୁ ବାନ୍ଧି ସେମାନଙ୍କ ନିକଟରେ ରହିଥିବା କୋଡ଼ିଏ ହଜାର ଟଙ୍କା, ମୋବାଇଲ ସହ ଆବଶ୍ୟକୀୟ କାଗଜ ପତ୍ର ଛଡେଇ ନେଇଥିଲେ। ଏହାପରେ ପୁଣି ସେହି ଦୁଇ କର୍ମଚାରୀଙ୍କୁ ବାଇକରେ ଆଣି ଲିମ୍ବାଗୁଡା ଛକରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ତେବେ ଏହି ସାତ ଜଣ ଲୁଟେରା ତିନୋଟି ବାଇକ୍ ବ୍ୟବହାର କରିଥିବା କର୍ମଚାରୀମାନେ କହିଥିଲେ।

ଖବର ନେବାରୁ ଜଣାପଡିଛି ଯେ, ଠିକାଦାର ଜଣକ ରେଳ ଲାଇନରେ ଗେଟି ପକାଇବା କାମ ପାଇଁ ଶ୍ରମିକ ଯୋଗାଡ଼ କରିବା ପାଇଁ ଜନୈକ ମଧ୍ୟସ୍ଥିକୁ ଦେଢ଼ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଶ୍ରମିକ ଯୋଗାଡ଼ ହେବା ପରେ ଠିକାଦାର ନିଜ ଦୁଇ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳୀ ଯାଏ ନେଇ ପହଞ୍ଚାଇବା ଦାୟିତ୍ଵ ଦେଇ ପଠାଇଥିଲେ। ତେବେ ମଧ୍ୟସ୍ଥି ଜଣକ କିଏ ଏବଂ ଏହି ଲୁଟ୍ ଘଟଣା ସହ ତାର ସଂପୃକ୍ତି ରହିଛି କି ନାହିଁ ତାହା ସ୍ବଷ୍ଟ ହୋଇପାରିନାହିଁ। ବୈପାରିଗୁଡା ଥାନା ଡିଏସପି ବିରଞ୍ଚିନାରାୟଣ ଜଗତ ଏତଲାକୁ ଭିତ୍ତି କରି ସିସିଟିଭି ଫୁଟେଜ ଅନୁଯାୟୀ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର