ସାମରିକ ବ୍ୟୟରେ ଭାରତ ବିଶ୍ବରେ ତୃତୀୟ: ୫ ଦେଶ କରୁଛନ୍ତି ୬୨% ଖର୍ଚ୍ଚ, ଶୀର୍ଷରେ ଆମେରିକା, ଚୀନ୍‌ ଦ୍ବିତୀୟ

ନୂଆଦିଲ୍ଲୀ: ବିଶ୍ବରେ ସାମରିକ କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ଓ ଚୀନ୍ ଦ୍ବିତୀୟ ସ୍ଥାନରେ ଥିବାବେଳେ ଏହା ପଛକୁ ଭାରତ ରହିଛି ବୋଲି ଷ୍ଟକ୍‌ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସିପ୍ରି) ପକ୍ଷରୁ କୁହାଯାଇଛି। ସିପ୍ରି ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ସାମରିକ ବା ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ କରୁଥିବା ପ୍ରମୁଖ ପାଞ୍ଚଟି ଦେଶ ହେଉଛନ୍ତି: ଆମେରିକା, ଚୀନ୍, ଭାରତ, ଇଂଲଣ୍ଡ ଓ ରୁଷିଆ। ସାରା ବିଶ୍ବରେ ହେଉଥିବା ସାମରିକ ବ୍ୟୟର ୬୨ ପ୍ରତିଶତ ଏହି ୫ଟି ଦେଶ କରୁଛନ୍ତି। ବିଶ୍ବରେ ପ୍ରଥମ ଥର ପାଇଁ ଦେଶଗୁଡ଼ିକର ସାମରିକ ଖର୍ଚ୍ଚ ୨.୧ ଲକ୍ଷ କୋଟି ଡଲାରରେ ପହଞ୍ଚିଛି।

ସିପ୍ରିର ସୂଚନା ଅନୁସାରେ ୨୦୨୧ ମସିହାରେ ସାମରିକ କ୍ଷେତ୍ରରେ ଆମେରିକା ୮୦୧ ଶହ କୋଟି ଡଲାର ବ୍ୟୟ କରି ଶୀର୍ଷରେ ରହିଛି। ତେବେ ୨୦୨୦ ତୁଳନାରେ ଏହାର ବ୍ୟୟ ୧.୪ ପ୍ରତିଶତ କମିଛି। ୨୯୩ ଶହ କୋଟି ଡଲାର ବ୍ୟୟ କରି ଚୀନ ଦ୍ବିତୀୟ ସ୍ଥାନରେ ରହିଛି। ୨୦୨୦ ତୁଳନାରେ ୨୦୨୧ରେ ଚୀନ ପ୍ରତିରକ୍ଷା କ୍ଷେତ୍ରରେ ୪.୭ ପ୍ରତିଶତ ଅଧିକ ବ୍ୟୟ କରିଛି। ଭାରତ ୭୬.୬ ଶହ କୋଟି ଡଲାର ବ୍ୟୟ କରିଛି, ଯାହା ୨୦୨୦ ତୁଳନାରେ ୦.୯ ପ୍ରତିଶତ ଏବଂ ୨୦୧୨ ତୁଳନାରେ ୩୩ ପ୍ରତିଶତ ଅଧିକ। ଚୀନ୍ ଓ ପାକିସ୍ତାନ ସହ ସୀମା ବିବାଦ ରହିଥିବା ଏବଂ ବେଳେ ବେଳେ ପଡ଼ୋଶୀ ସୀମା ସୈନିକଙ୍କ ସହ ମୁହାଁମୁହିଁ ହୋଇଯାଉଥିବା ପରିପ୍ରେକ୍ଷୀରେ ଭାରତ ତା’ର ତିନି ସେନାର ଆଧୁନିକୀକରଣ କରିବା ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ବ ଦେଇଆସୁଛି।

ବିଶ୍ବ ସାମରିକ ବ୍ୟୟର ୩୮ ପ୍ରତିଶତ ଏକା ଆମେରିକା କରୁଥିବା ବେଳେ ଚୀନ୍ କରୁଛି ୧୪ ପ୍ରତିଶତ କରୁଛି। ଏପରି କି ଇଂଲଣ୍ଡ ଦୁଇ ପାହାଚ ଉପରକୁ ଉଠି ୨୦୨୧ରେ ୬୮.୪ ବିଲିୟନ ଡଲାର ବ୍ୟୟ କରିଛି। ରିପୋର୍ଟ ଅନୁସାରେ ଚୀନ୍‌ର ସାମରିକ ବ୍ୟୟ ଗତ ୨୭ ବର୍ଷ ଧରି କ୍ରମାଗତ ଭାବେ ବଢ଼ି ଚାଲିଛି। ସେହିପରି ରୁଷ୍ ଗତ ତିନିବର୍ଷ ହେଲା ସାମରିକ ବ୍ୟୟ ବୃଦ୍ଧି କରିଆସୁଛି। ତେଲ ଓ ଗ୍ୟାସ୍ ରାଜସ୍ବ ବୃଦ୍ଧି ପାଇବାରୁ ଏହାର ବ୍ୟୟ ବଢ଼ିଛି । ୨୦୨୧ରେ ୟୁକ୍ରେନ୍‌ର ସାମରିକ ବ୍ୟୟ ୫.୯ ବିଲିୟନ ଡଲାରକୁ ହ୍ରାସ ପାଇଥିଲେ ମଧ୍ୟ ଏହା (ଜିଡିପି)ର ୩.୨ ପ୍ରତିଶତ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର