ଏସାର କମ୍ପାନି ଦେଇଥିବା ଟଙ୍କାରେ ସ୍କୁଲ ନିର୍ମାଣ କେବେ? ଦାନା ବାନ୍ଧୁଛି ଆନ୍ଦୋଳନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ରହିଥିବା ବେଳେ ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳ ସ୍ବାଭିମାନ ଅଞ୍ଚଳରେ ଏହାତ କଦର୍ଯ୍ୟ ରୂପ ଦେଖିବାକୁ ମିଳିବ। ଏଠାରେ ରହିଥିବା ସ୍କୁଲ ଗୁଡିକ ନିୟମିତ ଚାଲୁ ନଥିବା ବେଳେ ପିଲା ଆସିଲେ ଶିକ୍ଷକ ନଥାନ୍ତି ତ ଆଉ କେତେବେଳେ ଶିକ୍ଷକ ଥିଲେ ପିଲା ନଥାନ୍ତି। ଏହି ଅଞ୍ଚଳର ହଜାର ହଜାର ପିଲା ଡ୍ରପଆଉଟ ହୋଇ ବେକାର ବୁଲୁଛନ୍ତି। ଏହାର ଫାଇଦା ଏକ ପ୍ରକାର ନକ୍ସଲ ନେଇଥାନ୍ତି। ଏବେ କିନ୍ତୁ ପରିସ୍ଥିତି ବଦଳି ଥିଲେ ମଧ୍ୟ ଡ୍ରପଆଉଟ ପିଲା କିପରି ସ୍କୁଲ ମୁହାଁ ହେବେ ସେନେଇ ପ୍ରଶାସନ ଏବଂ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି।

ତେବେ ଡ୍ରପଆଉଟ ହେବାର ମୁଖ୍ୟ କାରଣ ହେଲା ଏହି ଅଞ୍ଚଳରେ ବସବାସ କରୁଥିବା ଅଧିକାଂଶ ଲୋକଙ୍କର ଜମି ପଟ୍ଟା ନାହିଁ। ତେଣୁ ଜାତିଗତ ପ୍ରମାଣ ପତ୍ର ମିଳିବାରେ ବହୁ ସମସ୍ୟା ଦେଖା ଦେଉଛି। ତେଣୁ ପିଲା ଆଉ ସ୍କୁଲ ମୁହାଁ ହୋଇ ପାରୁନାହାଁନ୍ତି। ତେଣୁ ଏହି ଅଞ୍ଚଳର ପ୍ରାୟ ୮୦ ପ୍ରତିଶତ ଲୋକ ନିରକ୍ଷର ରହିଛନ୍ତି। ଏଥିସହ ଅନ୍ୟଏକ କାରଣ ହେଲା ସାଧାରଣ ବର୍ଗ, ଓବିସି ଏବଂ ଅନୁସୂଚିତ ଜାତିର ପିଲାଙ୍କ ପାଇଁ ଏଠାରେ କୌଣସି ଛାତ୍ରାବାସର ବ୍ୟବସ୍ଥା ନଥିବାରୁ ପ୍ରାୟତଃ ପିଲା ଅଧାରୁ ପାଠ ଛାଡି ବେକାର ହୋଇ ବୁଲୁଛନ୍ତି।

ଏନେଇ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସ୍ବରତ୍ତୋଳନ କରି ସାରିଛନ୍ତି। ପରେ ସ୍ବାଭିମାନ ଅଞ୍ଚଳବାସୀ ଏଠାରେ ଏକ ଛାତ୍ରାବାସ ନିର୍ମାଣ ନେଇ ଏସାର କମ୍ପାନି ନିକଟରେ ଦାବି କରିଥିଲେ। କମ୍ପାନି ମଧ୍ୟ ଅଞ୍ଚଳର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସମୟରେ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି। ତେବେ ଏହି ଟଙ୍କାରେ ଆଜି ପର୍ଯ୍ୟନ୍ତ କାହିଁକି ସ୍କୁଲ ନିର୍ମାଣ କରାଯାଇ ପାରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୨୦୨୦ ମସିହା ଏପ୍ରିଲ ୯ ତାରିଖ ସୁଦ୍ଧା ଏକ କୋଟି ଟଙ୍କା ପୈଠ ହୋଇ ସାରିଛି।ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏନେଇ କୌଣସି ବିହିତ ପଦକ୍ଷେପ ନେଲେ ନାହିଁ। ଯାହାଦ୍ବାରା ଏହି ଟଙ୍କା ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରୁ ନାହିଁ। ଏସାର କମ୍ପାନି ଦେଇଥିବା ଟଙ୍କାରେ ଏକ ଏଜୁକେସନାଲ କମ୍ପ୍ଲେକ୍ସ ନିର୍ମାଣ କରାଗଲେ ଏହି ଅଞ୍ଚଳର ଡ୍ରପଆଉଟ ପିଲା ସେଠାରେ ରହି ପାଠ ପଢିବାର ସୁବିଧା ପାଇ ପାରିଥାନ୍ତେ।

Sambad

ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଫୋକସ କରୁଥିବା ବେଳେ ଏହି ଅଞ୍ଚଳର ଶିକ୍ଷାର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ କାହିଁକି ପଦକ୍ଷେପ ନେଉ ନାହିଁ ତାହା ସନ୍ଦେହ ଘେରରେ। ବର୍ତ୍ତମାନ ମଧ୍ୟ ବହୁ ପିଲା ସ୍କୁଲ ନଯାଇ ଡ୍ରପଆଉଟ ହୋଇ ରହିଛନ୍ତି। ସେମାନଙ୍କୁ ଏକତ୍ର କରି କିପରି ସ୍କୁଲ ମୁହାଁ କରାଯିବ ସେନେଇ ଶିକ୍ଷା ବିଭାଗ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି। ସାଧାରଣ ବର୍ଗ ଏବଂ ଓବିସି ପିଲାଙ୍କ ପାଇଁ ଏଜୁକେସନାଲ କମ୍ପ୍ଲେକ୍ସ ନିର୍ମାଣ ହେଲେ ଏହି ପିଲାମାନେ ସେଠାରେ ରହି ଉଚ୍ଚ ଶିକ୍ଷା ଲାକ୍ଷ କରି ପାରନ୍ତେ ବୋଲି କୁହାଯାଇଛି। ଯାହାକୁ ନେଇ ଏବେ ଅଞ୍ଚଳରେ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନକୁ ଘେରିବା ପାଇଁ ଅଞ୍ଚଳବାସୀ ସଜବାଜ ହେଉଥିବା ଦେଖିବାକୁ ମିଳିଛି।

ଜିଲ୍ଲା ପ୍ରଶାସନ ନିକଟରେ ଏତେ ଟଙ୍କା ପଡି ରହିଥିଲେ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ ଏହାକୁ ଖର୍ଚ୍ଚ ନକରି ପକାଇ ରଖିଛି ତାହା ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ସ୍କୁଲ ହେବା ପରେ ଏହାର ବାର୍ଷିକ ଖର୍ଚ୍ଚ ପାଇଁ ମଧ୍ୟ ପ୍ରାୟ ତିରିଶି ଲକ୍ଷ ଟଙ୍କା ଦେବାକୁ କମ୍ପାନି ରାଜି ହୋଇଥିବା ଜଣାପଡିଛି। ତେବେ ଏନେଇ ଜିଲ୍ଲାପାଳ ବିଶାଲ ସିଂହଙ୍କୁ ପଚାରିବାରୁ ସେ ଏସାର କମ୍ପାନି ଏକ କୋଟି ତିରିଶି ଲକ୍ଷ ଟଙ୍କା ଦେଇଥିବା ସ୍ବୀକାର କରିବା ସହ ଖୁବଶୀଘ୍ର ସେଠାରେ ଏକ ସ୍କୁଲ ଏବଂ ହୋଷ୍ଟେଲ ନିର୍ମାଣ କରିବା ପାଇଁ ଯୋଜନା ଚାଲିଥିବା କହିଥିଲେ। ତେବେ ଏହାର ବାର୍ଷିକ ଖର୍ଚ୍ଚ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଡେରି ହେଉଥିବା କହିଥିଲେ।

ସମ୍ବନ୍ଧିତ ଖବର