ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇଓ୍ଵା; ୩ ଯୁବକ ମୃତ, ଜଣେ ଗୁରୁତର

ଯୁଯୁମୁରା: ଦ୍ରୁତଗାମୀ ହାଇଓ୍ଵାର ଶକ୍ତ ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୩ ଯୁବକଙ୍କ ମୃତଦେହ ବିଛାଡ଼ି ହୋଇ ପଡ଼ିଥିବା ବେଳେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଧମାର ସତ୍ୟ ସାହୁ, ସମ୍ବଲପୁର ଗୋବିନ୍ଦତୋଲା ଅଞ୍ଚଳରେ ରହୁଥିବା ବଳଜିତ ସିଂହ (ଲାଡି)ଓ  ଗୌତମ ସାହୁ (୩୮)।

ସୂଚନା ଅନୁସାରେ ଯୁଯୁମୁରା ଥାନା ଅନ୍ତର୍ଗତ ନୂଆବରଙ୍ଗାମାଳ ପଞ୍ଚାୟତର ଖଇରମାଳ ଗ୍ରାମର ଗୌତମ ସାହୁ ଓ ଅନ୍ୟ ୨ ଜଣ ଯୁବକ ସ୍ଥାନୀୟ ଅଞ୍ଚଳରେ ଏକ କ୍ରସରରେ କାମ କରନ୍ତି। ଆଜି ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌ (ଓଡି ୧୫ କ୍ୟୁ ୯୯୭୦)ରେ ସମ୍ବଲପୁର ପାର୍ଶ୍ୱରୁ ଯୁଯୁମୁରା ଅଭିମୁଖେ ଯାଉଥିଲେ। ଅପରାହ୍ନ ୩ଟା ୧୦ ମିନିଟରେ ଭବାନୀପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଦ୍ରୁତଗାମୀ ହାଇଓ୍ଵା (ଓଡି ୧୫ବି ୫୬୬୦) ସେମାନଙ୍କୁ ପଛପଟରୁ ଶକ୍ତ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀ ଜାତୀୟ ରାଜପଥରୁ ଛିଟିକି ପଡ଼ିଥିଲେ। ଅନ୍ୟ ପକ୍ଷରେ ଧକ୍କା ଦେବା ପରେ ହାଇୱାଟି ରାସ୍ତା ତଳକୁ ଖସି ଯାଇଥିଲା। ଦୁର୍ଘଟଣାରେ ହାଇଓ୍ଵା ଚାଳକ ମଧ୍ୟ ଗୁରୁତର ଅଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ହାଇଓ୍ଵା ଚାଳକଙ୍କୁ ଅଟକ ରଖିଥିଲେ। ଯୁଯୁମୁରା ଥାନା ଆଇଆଇସି ରାଜକୁମାର ବିଶ୍ବାଳ ପୁଲିସ ଟିମ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ମୃତହେଦଗୁଡ଼ିକ ଜବତ କରିଥିବା ବେଳେ ଗୁରୁତର ହାଇୱା ଚାଳକଙ୍କୁ ଏକ ଆମ୍ବୁଲାନ୍ସରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି।

ତେବେ ସନ୍ଧ୍ୟା ୫ଟାରୁ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉଭୟ ସମ୍ବଲପୁର ଓ କଟକ ପାର୍ଶ୍ବରୁ ଯାତାୟତ ଠପ୍‌ ରହିଛି। ପରିବାର ଲୋକଙ୍କର କହିବା ଅନୁଯାୟୀ ହାଇୱାର ମାଲିକଙ୍କୁ ଘଟଣାସ୍ଥଳକୁ ଡକାଯାଉ ଏବଂ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ।

ସମ୍ବନ୍ଧିତ ଖବର