ୱିମ୍ବଲଡନ୍ ଓପନ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌, ବର୍ତ୍ତିଗ‌ଲେ ଜୋ‌କୋଭିକ

ଲଣ୍ଡନ: ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିୟା ତାରକା ନୋଭାକ ଜୋକୋଭିକ ଚଳିତ ୱିମ୍ବଲଡନ୍ ଓପନ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମଙ୍ଗଳବାରର ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଇଟାଲିର ଦଶମ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ ସିନର ଅଭିଜ୍ଞ ତଥା ପୂର୍ବ ବିଜେତା ଜୋକୋଭିକଙ୍କୁ ପାଣି ପିଆଇ ଦେଇଥିଲେ। ଏପରିକି ପ୍ରଥମ ଦୁଇ ସେଟ୍‌କୁ ଜିତି ତୃତୀୟ ସେଟ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ଦ୍ବାର ଦେଶରେ ପହଞ୍ଚି ଯାଇଥିଲେ। ତେବେ ଠିକଣା ସମୟରେ ଫର୍ମକୁ ଫେରି ପରବର୍ତ୍ତୀ ତିନିଟି ସେଟ୍‌ ଜିତିବା ସହ ଜୋକୋଭିକ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ଜୋରଦାର ଲଢ଼େଇ କରି ସିନର ୭-୫, ୬-୨, ୩-୬, ୨-୬, ୨-୬ରେ ହାରି ବିଦାୟ ନେଇଥିଲେ। ସେପଟେ ୨୩ତମ ଗ୍ରାଣ୍ଡସ୍ଲାମ୍ ବିଜୟ ଲକ୍ଷ୍ୟରେ ଥିବା ସ୍ପେନର ମହାନ ଟେନିସ୍ ତାରକା ତଥା‌ ଦ୍ବିତୀୟ ସିଡ୍ ରା‌ଫେଲ ନାଦାଲ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସୋମବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଚତୁର୍ଥ ରାଉଣ୍ଡ ମୁକାବିଲାରେ ନେଦରଲାଣ୍ଡ୍‌ର ‌ବୋଟିକ୍ ଭାନ୍ ଡେ’ଡି ଜାଣ୍ଡସ୍କଲ୍ପଙ୍କୁ ୬-୪, ୬-୨, ୭-୬ (୬)ରେ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି ‌େସ‌। ୨୨ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତି ସାରିଥିବା ନାଦାଲ ପୂର୍ବରୁ ଦୁଇ ଥର ୱିମ୍ବଲଡନ୍‌ରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ଏଥର ଏଠ‌ାରେ ତୃତୀୟ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି। ସେହିଭଳି ଆମେରିକାର ବ୍ରାଣ୍ଡନ୍ ନାକାସିମାଙ୍କୁ ୪-୬, ୬-୪, ୭-୬, ୩-୬, ୬-୨ରେ ପରାସ୍ତ କରି ଅଷ୍ଟ୍ରେଲିଆର ନିକ୍ କିର୍ଗିସ୍ ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ମହିଳା ଏକକରେ ଜର୍ମାନୀର ତାତିଆନା ମାରିଆ ନିଜ ଦେଶର ଜୁଲି ନିମେରଙ୍କୁ ୪-୬, ୬-୨, ୭-୫ରେ ହରାଇ ସେମିଫାଇନାଲ୍ ଟିକଟ ହାସଲ କରିନେଇଛନ୍ତି। ଅନ୍ୟପକ୍ଷରେ ଷୋଡ଼ଶ ମାନ୍ୟତାପ୍ରାପ୍ତ ସିମୋନା ହାଲେପ, ସପ୍ତଦଶ ସିଡ୍ ଏଲିନା ରିବାକିନା ଓ ଆମେରିକାର ୨୦ତମ ମାନ୍ୟତାପ୍ରାପ୍ତ ଆମଣ୍ଡା ଆନିସିମୋଭା କ୍ବାର୍ଟରକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର