ସମ୍ବୁଲପୁରରେ ବୁଷ୍ଟର ଡୋଜ୍ ପାଇଁ ନାହିଁ ଆଗ୍ରହ

ସମ୍ବଲପୁର: ସାରା ରାଜ୍ୟରେ କରୋନାର ଚତୁର୍ଥ ଲହର ଆସିଥିବା ଚର୍ଚ୍ଚା ହେଉଥିବା ବେଳେ ଏହାର ଭୟାବହତା ଦେଖି କେନ୍ଦ୍ର ସରକାର ବୁଷ୍ଟର୍‌ ଡୋଜ୍‌କୁ ମଧ୍ୟ ମାଗଣାରେ ଦେବାକୁ ଘୋଷଣା କରିଦେଲେ। ପୂର୍ବରୁ କେବଳ ୬୦ ବର୍ଷରୁ ଅଧିକ ବର୍ଗକୁ ଏହି ବୁଷ୍ଟର୍‌ ଡୋଜ୍‌ ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଆଯାଉଥିଲା। ଅନ୍ୟମାନଙ୍କ ପାଇଁ ଘରୋଇ ଡାକ୍ତରଖାନାରେ ଟଙ୍କା ଦେଇ ଡୋଜ୍‌ ନେବାକୁ ଅନୁମତି ଦିଆଯାଇଥିଲା। ଅନେକ ଘରୋଇ ଡାକ୍ତରଖାନା ପକ୍ଷରୁ ରାଜ୍ୟରେ ଏହି ଡୋଜ୍‌ ମଧ୍ୟ ଦିଆଯିବା ଆରମ୍ଭ କରାଯାଇଥିଲା। କିନ୍ତୁ ସରକାର ଆଶାନୁରୂପ ଫଳାଫଳ ପାଇ ନଥିଲ। ସାରା ରାଜ୍ୟରେ ଲୋକ ବୁଷ୍ଟର୍‌ ଡୋଜ୍‌ ନେବାକୁ ଆଗ୍ରହ ଦେଖାଇ ନଥିବା ବେଳେ ସଂକ୍ରମଣ ମଧ୍ୟ ବଢ଼ି ବଢ଼ି ଚାଲିଲା।

ଯଦିଓ ସମ୍ବଲପୁର ଜିଲ୍ଲାରେ ବହୁ ବିଳମ୍ବରେ ଏହି ଘରୋଇ ଡାକ୍ତରଖାନା ଦ୍ବାରା ଡୋଜ୍‌ ଦିଆଯାଇଥିଲା। କିନ୍ତୁ ସମ୍ବଲପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଘରୋଇ ଡାକ୍ତରଖାନାରେ ମଧ୍ୟ ଏହି ଡୋଜ୍‌ ଠିକ୍‌ ଭାବେ ମିଳି ନଥିଲା। ଲୋକେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ମଧ୍ୟ ଅନେକ ଥର ଡୋଜ୍‌ ନଦେଇ ଘରକୁ ଫେରିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସଂକ୍ରମଣ ହାର ହୁ ହୁ ବଢ଼ିବାରୁ କେନ୍ଦ୍ର ସରକାର  ଏହି ଡୋଜ୍‌ ମାଗଣାରେ ଦେବାକୁ ସ୍ଥିର କଲେ। କିନ୍ତୁ ମାଗଣା କରାଯିବା ପରେ ମଧ୍ୟ ଏହି ଡୋଜ୍‌ ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେରୁ ଅଧିକ ରହିବା ପରେ ମଧ୍ୟ ଲୋକେ ବୁଷ୍ଟର ଡୋଜ୍‌ ନେବାକୁ ଆଗ୍ରହ ନ ନେବା ଏବେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସାଧାରଣ ଲୋକତ ଦୂରର କଥା ଜିଲ୍ଲାରେ ପାଖାପାଖି ୫୦ ପ୍ରତିଶତ ହେଲ୍‌ଥ ଵାର୍କର ବି ବୁଷ୍ଟର୍‌ ଡୋଜ୍‌ ନେଇ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାରେ ୧୧୩୪୨ ଜଣ ହେଲ୍‌ଥ ଵାର୍କର ଥିବା ବେଳେ ୧୧୩୫୩(୧୦୧.୧%) ଜଣ ପ୍ରଥମ ଡୋଜ୍‌ ନୋଇଥିଲ। ସେଭଳି ଦ୍ବିତୀୟ ଡୋଜ୍‌ ପାଇଁ ଜିଲ୍ଲାରେ ୧୧୩୪୮ ଜଣ ହେଲ୍‌ଥ ଵାର୍କର ତାଲିକାଭୁକ୍ତ ହୋଇଥିବା ବେଳେ ୧୧୨୯୩(୯୯.୫%) ଜଣ ଦ୍ବିତୀୟ ଡୋଜ୍‌ ନେଇଥିଲେ। ତେବେ ବୁଷ୍ଟର ଡୋଜ୍‌ ବେଳକୁ ଏହି ସଂଖ୍ୟା ଅଧା ହୋଇଯାଇଥିଲା। ସମ୍ବଲପୁର ଜିଲ୍ଲାରେ ମୋଟ ଉପରେ ୫୬୬୧ ଜଣ ହେଲ୍‌ଥ ଵାର୍କର୍‌ ବୁଷ୍ଟର୍‌ ଡୋଜ୍‌ ନେଇଛନ୍ତି। ପୂରା ସମ୍ବଲପୁର ଜିଲ୍ଲାରେ ୧୦୧୨୯୫୦ ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ, ୯୧୩୨୮୭ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ତେବେ ଅଗଷ୍ଟ ୪ ତାରିଖ ସୁଦ୍ଧା ଜିଲ୍ଲାରେ ୯୮୫୦୩ ଜଣ ବୁଷ୍ଟର ଡୋଜ୍‌ ନେଇଛନ୍ତି। ଯାହା ପ୍ରଥମ ଡୋଜ୍‌ର ୯.୭୨ %।

ହିତାଧିକାରୀ            ପ୍ରଥମ ଡୋଜ୍‌   ଦ୍ବିତୀୟ ଡୋଜ୍‌ ବୁଷ୍ଟର୍‌ ଡୋଜ୍‌

ସ୍ବାସ୍ଥ୍ୟକର୍ମୀ               ୧୧୩୫୩      ୧୧୨୯୩      ୫୬୬୧

ସମ୍ମୁଖ ଯୋଦ୍ଧା          ୧୩୦୪୪       ୧୩୧୯୦      ୧୦୭୧୦

୧୮ରୁ ୪୪ ବର୍ଷ        ୫୫୭୫୫୨    ୪୯୫୫୬୧    ୩୪୯୧୪

୪୫ ବର୍ଷରୁ ଊର୍ଦ୍ଧ୍ବ        ୩୨୨୬୨୦    ୩୧୮୫୯୪    ୪୭୨୧୮

୧୨ରୁ ୧୪ ବର୍ଷ        ୪୪୧୨୫      ୨୭୧୩୧      –

୧୫ରୁ୧୮ ବର୍ଷ         ୬୪୨୫୬      ୪୭୫୧୮      –

ସମ୍ବନ୍ଧିତ ଖବର