ଲଗାଣ ବର୍ଷାରେ କୋରେଇ ଅଞ୍ଚଳ ବେହାଲ

ବହୁ ଗ୍ରାମ ଜଳବନ୍ଦୀ, ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କାରେ ଲୋକମାନେ ଭୟଭୀତ

କୋରେଇ : ଲଘୁଚାପ ଫଳରେ ଆସନ୍ତା ୪ ଦିନ ପୁଣି ଉପକୂଳ ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ କୋରେଇ ବ୍ଲକ୍‌ର ଦୁଇପାର୍ଶ୍ବରେ ଥିବା ବୈତରଣୀ ଓ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ଧୀରେଧୀରେ ବୃଦ୍ଧି ପାଉଥିବାରୁ ଉଭୟ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଜଳସ୍ତର ବିପଦ ସଂକେତ ତଳେ ଥିଲେ ବି ଦୁଇନଦୀର ତଟବର୍ତ୍ତୀ ଅଞ୍ଚଳ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।

ପ୍ରକାଶ ଯେ, କୋରେଇ ବ୍ଲକ୍‌ର ଉତ୍ତରରେ ପ୍ରବାହିତ ବୈତରଣୀ ନଦୀ ପାର୍ଶ୍ବରେ ବନ୍ଦାଳୋ, ମୁକୁନ୍ଦପୁର, ରଣପୁର, ଗୌରପୁର, ଅସନଝର, ବରୁଣ୍ତାଇ, କରଦା, ମୂଳାପାଳ, ପାଣିକୋଇଲି ଓ ଦକ୍ଷିଣରେ ଥିବା ଖରସ୍ରୋତା ନଦୀର ପାର୍ଶ୍ବରେ ବଡ଼ବିରୁଆଁ, ତଣ୍ତରା, ଗୋଳେଇପୁର ଏବଂ ରସୁଲପୁର ବ୍ଲକ୍‌ର ପହଙ୍ଗା, ରାଉତରାପୁର ଆଦି ପଞ୍ଚାୟତ ବନ୍ୟାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଥିପାଇଁ ଆଜି କୋରେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଡିଓ ରଂଜନ କୁମାର ପରିଡ଼ାଙ୍କ ତତ୍ତ୍ବାବଧାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଦୀପଠା ଓ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ଶୁଖିଲା ଖାଦ୍ୟ ଏବଂ ଗୋଖାଦ୍ୟ ମହଜୁଦ୍‌ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଥିଲା। ବନ୍ୟାପାଣି ବଢ଼ିଲେ ବିପନ୍ନ, ଗର୍ଭବତୀ ମହିଳା, ଶିଶୁଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ବିଡିଓ ଶ୍ରୀ ପରିଡ଼ା କହିଛନ୍ତି।

ତେବେ ବର୍ତ୍ତମାନ ବି ଲଘୁଚାପ ଜନିତ ଲଗାଣ ବର୍ଷାରେ ବହୁ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। କେତେକ ସ୍ଥାନରେ ଝାଟିମାଟି ଘରର କାନ୍ଥ ପଡ଼ିଯାଇଥିବା ବେଳେ ଗମନାଗମନ ମଧ୍ୟ ବନ୍ଦ ହୋଇଛି। ତେବେ‌ ବନ୍ୟା ଆଶଙ୍କାରେ ଲୋକମାନେ ଭୟଭୀତ ନହେବା ପାଇଁ ବିଡିଓ ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର