ବ୍ରିଟେନର ଗୃହମନ୍ତ୍ରୀଙ୍କ ଗୋଆରେ ଥିବା ପୈତୃକ ସମ୍ପତ୍ତିକୁ କବଜା କଲେ ଅସାମାଜିକ ବ୍ୟକ୍ତି, ପୁଲିସ ଗଠନ କଲା ଏସଆଇଟି

ପାଣାଜୀ: ବ୍ରିଟେନର ଗୃହ ମନ୍ତ୍ରୀ ଥିବା ତଥା ମୂଳ ଭାରତୀୟ ସୁଏଲା ବ୍ରେଓରମ୍ୟାନଙ୍କ ଭାରତରେ ଥିବା ସମ୍ପତ୍ତି କବଜା କରିଛନ୍ତି କିଛି ଅସାମାଜିକ ବ୍ୟକ୍ତି | ଆଉ ଏହି ଘଟଣାକୁ ନେଇ ତାଙ୍କ ବାପା ଭାରତ ସରକାରଙ୍କର ସହଯୋଗ ଲୋଡିଛନ୍ତି | ବାସ୍ତବରେ ବ୍ରିଟେନର ଗୃହ ମନ୍ତ୍ରୀ ସୁଏଲା ବ୍ରେଓରମ୍ୟାନଙ୍କ ପିତା ଅଭିଯୋଗ କରିଛନ୍ତି ଯେ ଉତ୍ତର ଗୋଆରେ ତାଙ୍କର ଦୁଇଟି ପୈତୃକ ସମ୍ପତ୍ତିକୁ ଜଣେ ଅସାମାଜିକ ବ୍ୟକ୍ତି କବଜା କରି ରଖିଛନ୍ତି । ଆଉ ଏନେଇ ସେ ଗୋଆ ପୁଲିସକୁ ମଧ୍ୟ ଅଭିଯୋଗ କରିଛନ୍ତି |

ଗୋଆ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ପୁଲିସ ଏ ବାବଦରେ ଏକ ମାମଲା ରୁଜୁ କରିଛି ଏବଂ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ରେଓରମ୍ୟାନଙ୍କ ପିତା ଖ୍ରୀଷ୍ଟି ଫର୍ଣ୍ଣାଣ୍ଡିଜ୍ ଅଭିଯୋଗ କରିଛନ୍ତି ଯେ ଆସଗାଓଁରେ ଥିବା ତାଙ୍କର ଦୁଇଟି ସମ୍ପତ୍ତି(ମୋଟ ୧୩ ,୯୦୦ ବର୍ଗ ମିଟର)କୁ ବେଆଇନ ଭାବେ ଦଖଲ କରାଯାଇଛି। ପୁଲିସ ଅଧୀକ୍ଷକ ନିଧି ଭାସନ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଭିଯୋଗକୁ ଭିତ୍ତି କରି ଏସଆଇଟି ଏଫଆଇଆର ପଞ୍ଜୀକୃତ କରିଛି ଏବଂ ଏ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୋଗରେ ଦର୍ଶାଯାଇଛି ଆସଗାଓଁ ଗ୍ରାମରେ ପାୱାର ଅଫ୍ ଆଟର୍ଣ୍ଣି ଜରିଆରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ନାମରେ ଫର୍ଣ୍ଣାଣ୍ଡିଜ ଏବଂ ତାଙ୍କ ପରିବାରର ସମ୍ପତ୍ତି ପାଇବା ପାଇଁ ଡକ୍ୟୁମେଣ୍ଟ ଦାଖଲ କରିଥିଲେ। ଫର୍ଣ୍ଣାଣ୍ଡିଜ, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ପୁଲିସ ମହାନିର୍ଦ୍ଦେଶକ ଜସପାଲ ସିଂ ଏବଂ ଗୋଆର ଏନଆରଆଇ କମିଶନରଙ୍କ ନିକଟକୁ ଇମେଲ ମାଧ୍ୟମରେ ଏହି ଅଭିଯୋଗ ପଠାଇଛନ୍ତି। ଗୋଆର ଏନଆରଆଇ କମିଶନର ନରେନ୍ଦ୍ର ସାୱାଇକର କହିଛନ୍ତି ଯେ ତାଙ୍କ ବିଭାଗ ଗତ ସପ୍ତାହରେ ଏକ ଇମେଲ ପାଇଥିଲା ଯାହା ରାଜ୍ୟର ଗୃହ ବିଭାଗକୁ ପଠାଯାଇଛି।

ସମ୍ବନ୍ଧିତ ଖବର