ଇମ୍ରାନ ଖାଁଙ୍କ ନାଁରେ ଜାରିହେଲା ଓ୍ବାରେଣ୍ଟ୍

ଇସ୍ଲାମାବାଦ : ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହରିକ-ଏ ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ । ତାଙ୍କ ନାଁରେ ଏକ ଓ୍ବାରେଣ୍ଟ ଜାରି କରିଛନ୍ତି ଇସ୍ଲାମାବାଦର ଏକ କୋର୍ଟ ।

ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର ସିନିଅର ସିଭିଲ ଜଜ୍ ରାନା ମୁଜାହିଦ୍ ରହିମ ଶୁକ୍ରବାରଦିନ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ ।

ପିଟିଆଇ କର୍ମୀ ଶେହବାଜ୍ ଗିଲଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ପୁଲିସ କରିଥିବା ଆବେଦନକୁ ଜିଲ୍ଲା ଜଜ୍ ଜେବା ଚୌଧୁରୀ ମଂଜୁର କରିଥିଲେ । ଏହାରୁ ବିରୋଧ କରି ଇମ୍ରାନ କହିଥିଲେ ଯେ ଜଜ୍ ଚୌଧୁରୀ ଏହାର ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ସହିତ ସେ ଇସ୍ଲାମାବାଦର ଆଇଜି ଓ ଡିଆଇଜିଙ୍କୁ ବି ଧମକାଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜ୍ଜୁ କରିଥିଲେ । ତେବେ ଏହି ମାମଲାରେ କୋର୍ଟରେ ହାଜିର ହେବାକୁ ପୂର୍ବରୁ ଇମ୍ରାନ ଖାଁଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଆସିନଥିଲେ । ଫଳରେ କୋର୍ଟ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛନ୍ତି ।

 

ସମ୍ବନ୍ଧିତ ଖବର