ଏନ୍‌ଇଇଟି ବୟସ ସୀମା ନିର୍ଦ୍ଧାରଣ ବିଷୟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମେଡିକାଲ୍‌ ଏବଂ ଡେଣ୍ଟାଲ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷା ନିମନ୍ତେ ସିବିଏସ୍‌ଇ ନିର୍ଦ୍ଧାରଣ କରିଥିବା ସର୍ବାଧିକ ବୟସ ସୀମା ନିଷ୍ପତ୍ତି ବିଷୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌ କୋର୍ଟ ଶୁକ୍ରବାର ଦିନ ମନା କରି ଦେବାରୁ ସାଧାରଣ ବର୍ଗର ୨୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଏବଂ ସଂରକ୍ଷିତ ବର୍ଗରୁ ୩୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ପ୍ରାର୍ଥୀମାନେ ଏ ବର୍ଷ ‘ଏନ୍‌ଇଇଟି’ ପରୀକ୍ଷା ଦେବାକୁ ସମର୍ଥ ହେବେ ନାହିଁ।

ବିଭିନ୍ନ ରାଜ୍ୟରୁ ଏକ ୧୦ ଜଣିଆ ଛାତ୍ରଛାତ୍ରୀ ଦଳ ସିବିଏସ୍‌ଇ ନିର୍ଦ୍ଧାରଣ କରିଥିବା ବୟସ ସୀମାକୁ ଚାଲେଞ୍ଜ୍‌ କରିଥିଲେ। ସେମାନେ ଦର୍ଶାଇ ଥିଲେ କି, ‘ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ୍‌ ଜବାହର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ୍‍ ଗ୍ରାଜୁଏଟ୍‌ ମେଡିକାଲ ଏଡୁକେସନ ଆଣ୍ଡ୍‌ ରିସର୍ଚ‘ରେ ପ୍ରବେଶିକା ପରୀକ୍ଷା ଦେବା ପାଇଁ କୌଣସି ବୟସ ସୀମା ନାହିଁ।

ନିଷ୍ପତ୍ତି ବେଆଇନ ଓ ସ୍ୱେଚ୍ଛାଚାରୀ ଦର୍ଶାଇ ଛାତ୍ରଛାତ୍ରୀଙ୍କ ତରଫରୁ ଆଡ୍‌ଭୋକେଟ୍‌ ଅମିତ କୁମାର ଅଦାଲତରେ ନିବେଦନ କରିଥିଲେ ଯେ ଆବେଦନକାରୀ ‘ଏନ୍‌ଇଇଟି’ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାନ୍ତୁ।

ପିଟିସନ୍‌ରେ ଉଲ୍ଲେଖ ଥିଲା ଯେ ଆମେରିକା, କାନଡା, ଇଂଲଣ୍ଡ୍‌ ଏବଂ ଉନାଇଟେଡ୍‌ ଆରବର ଅଧିକାଂଶ ଦେଶ ଏବଂ ଅଷ୍ଟ୍ରେଲିଆ ଆଦି ପ୍ରାୟ ସବୁ ବିକଶିତ ଦେଶରେ ଡାକ୍ତରୀ ପଢ଼ିବାକୁ କୌଣସି ବୟସ ସୀମା ନିର୍ଦ୍ଧାରିତ କରାଯାଇ ନାହିଁ। ଯଦି ଜଣେ ପ୍ରାର୍ଥୀ ଦକ୍ଷ ସେ ଡାକ୍ତରୀ ପାଠ୍ୟକ୍ରମରେ ନାଁ ଲେଖାଇ ପାରିବ। ତେଣୁ ଭାରତରେ ୨୫ ବର୍ଷ ବୟସ ପରେ ଡାକ୍ତରୀ ଅଧ୍ୟୟନ କରି ନ ପାରିବା ଅଯୌକ୍ତିକ କଥା।

ସମ୍ବନ୍ଧିତ ଖବର