ବାଲେଶ୍ବର: ରାସ୍ତା ସମ୍ପ୍ରସାରଣ ପାଇଁ ସହରର ଆଇଟିଆଇ ଛକରେ ଥିବା ମାଛ ବଜାରକୁ ଉଚ୍ଛେଦ କଲା ପ୍ରଶାସନ। ଉଚ୍ଛେଦ ବେଳେ ଭେଣ୍ଡିଂଜୋନ୍ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଆଜିକୁ ବର୍ଷେ ହେବ ଏଠିକାର ୩୦ରୁ ଅଧିକ ମାଛ ବ୍ୟବସାୟୀ ଖୋଲା ଆକାଶ ତଳେ ଖରା, ବର୍ଷା, ଶୀତକାକର, ଧୂଳିଧୂଆଁରେ ବସି ବେପାର କରୁଥିବା ବେଳେ ପ୍ରଶାସନ କେବେ ଦୁଃଖ ବୁଝିବ ବୋଲି କ୍ଷୋଭର ସହ ସେମାନେ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉକି ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ ପାଳନ କରାଯାଇଥିଲା। ଜିଲ୍ଲାରେ ଅଧିକରୁ ଅଧିକ ମତ୍ସ୍ୟ ଉତ୍ପାଦନ, ମତ୍ସ୍ୟଚାଷ ସହ ସ୍ବାସ୍ଥ୍ୟକର ମାଛ ମାର୍କେଟ୍ ସୁବିଧା କିପରି ହୋଇପାରିବ, ତା’ ସହ ଏହି କାମରେ ମତ୍ସ୍ୟଚାଷୀ ଓ ମତ୍ସ୍ୟ ବ୍ୟବସାୟୀ କିପରିି ଉଚିତ ମୂଲ୍ୟ ପାଇ ଉପକୃତ ହୋଇପାରିବେ, ସେନେଇ ଆଲୋଚନା ଓ ବିଚାରବିମର୍ଶ କରାଯାଇଥିଲା। ହେଲେ ଏହିଭଳି କାର୍ଯ୍ୟକ୍ରମ ସ୍ଥଳବିଶେଷରେ କେତେଦୂର କାର୍ଯ୍ୟକାରୀ ହେଉଛି, ତା’ର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି ଆଇଟିଆଇ ଛକ ମାଛ ମାର୍କେଟ୍। ସେହିପରି ସହରର ହାଇଜେନିକ୍ ଫିସ୍ ମାର୍କେଟ୍ ପ୍ରକଳ୍ପ ମଧ୍ୟ ସହରବାସୀ ଏବଂ ଏହି ମାଛ ବ୍ୟବସାୟୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ହାଇଜେନିକ୍ ଫିସ୍ ମାର୍କେଟ୍ ଖୋଲାଯିବ ବୋଲି ୪ ବର୍ଷ ପୂର୍ବରୁ ପ୍ରଶାସନ ପକ୍ଷରୁ ବେଶ୍ ତତ୍ପରତା ଦେଖାଯାଇଥିବା ବେଳେ ଲୋକ ପ୍ରତିନିଧିମାନେ ମଧ୍ୟ ସେମାନଙ୍କ ସଫଳ ପ୍ରୟାସ ଯୋଗୁ ସରକାର ବାଲେଶ୍ବର ସହରବାସୀଙ୍କ ପାଇଁ ଏହିଭଳି ସୁବିଧା ଯୋଗାଇ ଦେଉଛନ୍ତି କହି ବାହାବା ନେଉଥିଲେ।
ତେବେ ଯାହାବି ହେଉ ଉଭୟ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ପ୍ରଚାର ପ୍ରଚାରରେ ଏବଂ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଏବେ ଆଇଟିଆଇ ଛକଠାରୁ ତାମୁଳିଆ ଓଭର୍ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କାମ ଚାଲିଥିବା ବେଳେ ଆଇଟିଆଇ ମାଛ ବ୍ୟବସାୟୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ପ୍ରତିଦିନ ବ୍ୟବସାୟୀମାନେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ଏଠାକୁ ବିକ୍ରି ପାଇଁ ଆଣୁଥିବା ବେଳେ ସେଗୁଡ଼ିକୁ ସୁରକ୍ଷିତ ରଖିବା ନେଇ ଶୀତଳ ଚାମ୍ବର ବ୍ୟବସ୍ଥା ନାହିଁ। ଏହାଛଡ଼ା ରାସ୍ତାର ବାଲି, ଗୋଡ଼ି ଓ ଧୂଳି ଉଡ଼ି ମାଛ ଅପରିଷ୍କାର ହୋଇଯାଉଛି। ଧୂଆଧୋଇ କରିବା ପାଇଁ ପାଣି ଏବଂ ମାଛର ବର୍ଜ୍ୟ ଫିଙ୍ଗିବା ପାଇଁ ବ୍ୟବସ୍ଥା ନଥିବାରୁ ବ୍ୟବସାୟୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ମାଛ ବଜାର କମିଟିର ପ୍ରଦୀପ କୁମାର ସେନ ଏବଂ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଏହାଛଡ଼ା ରାସ୍ତା ପ୍ରଶସ୍ତ ନାଁ’ରେ ସେମାନଙ୍କୁ ଉଠାଇ ଦିଆଯିବା ସହ ଖୁବ୍ଶୀଘ୍ର ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିରେ ସେମାନେ ସମସ୍ତେ ସହଯୋଗ କଲେ। ହେଲେ ପ୍ରଶାସନ ତାଙ୍କ କଥା ସମ୍ପୂର୍ଣ୍ଣ ଭାବେ ଭୁଲିଗଲା। ଆଜିକୁ ବେର୍ଷରୁ ଅଧିକ ଦିନ ହେଲା ସେମାନେ ଦୟନୀୟ ଅବସ୍ଥାରେ ରାସ୍ତାକଡ଼ରେ ବେପାର କରିଆସୁଛି ବୋଲି କହିଛନ୍ତି। ତୁରନ୍ତ ସେମାନଙ୍କ ନିମନ୍ତେ ଉନ୍ନତ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ନିବେଦନ କରାଯାଇଛି।