ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପ୍ରସଂଗ: ଖୁବ୍‌ଶୀଘ୍ର ନାମାଙ୍କନ ଦାଖଲ କରିବ ଓଡ଼ିଶା

ସ୍ବତନ୍ତ୍ର କମିଟି ପାଇଁ ପ୍ରଶାସନ ଦେଲା ୭ ଜଣିଆ ତାଲିକା

ପୁରୀ : ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା। ୨୦୨୩ ମସିହାର ସାଂସ୍କୃତିକ ଐତିହ୍ୟ(ଇନ୍‌ଟାଞ୍ଜିବଲ୍‌ ହେରିଟେଜ୍‌) ତାଲିକାରେ ସ୍ଥାନ ପାଇବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା। ଏହି ମାନ୍ୟତା ପାଇଁ ୟୁନେସ୍କୋର ଆବଶ୍ୟକ ନିର୍ଦ୍ଦେଶାବଳୀ ଅବଲମ୍ବନ ପୂର୍ବକ ରାଜ୍ୟ ସରକାର ଖୁବଶୀଘ୍ର ଏଥିପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ବି ସ୍ବତନ୍ତ୍ର କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ୭ଜଣଙ୍କ ତାଲିକା ପ୍ରଦାନ କରିଥିବା ଜଣାପଡ଼ିଛି। ଯେଉଁଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଓ ଦୁଇଜଣ ମଠାଧୀଶ ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଦିଆଯାଇଥିବା ତାଲିକାରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର, ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ଓ ମଣ୍ଟୁ ସିଂହାରୀଙ୍କ ନାଁ ରହିଛି। ସେହିଭଳି ମଠ ପ୍ରତିନିଧି ଭାବେ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାରାଜ ଓ ଝାଞ୍ଜପିଟା ମଠ ମହନ୍ତ ସଚିଦାନନ୍ଦ ଦାସମହାରାଜଙ୍କ ନାଁ ରହିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଯେଉଁ ନାଁ ଦିଆଯାଇଛି, ତାହା ପରିଚାଳନା କମିଟି ଅନୁମୋଦନ ଲାଭ କରିବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ୫ଜଣ ସେବାୟତ ପ୍ରତିନିଧି ଓ ୨ଜଣ ମଠ ପ୍ରତିନିଧିଙ୍କ ନାଁ ସୁପାରିସ କରିବାକୁ ନିଷ୍ପତ୍ତି ହୋଇଥିଲା। ୫ଜଣ ସେବାୟତ ପ୍ରତିନିଧି ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ରହିଛନ୍ତି। ବାକି ମଠ ପ୍ରତିନିଧି କେଉଁମାନେ ରହିଛନ୍ତି, ସେ ଜାଣି ନଥିବା କହିଛନ୍ତି। କିନ୍ତୁ ଯେଉଁମାନଙ୍କ ନାଁ ସୁପାରିସ କରାଯାଇଛି, ତାହା ନିଶ୍ଚିତପକ୍ଷେ ପରିଚାଳନା କମିଟି ଅନୁମୋଦନ ଲାଭ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିଚାଳନା କମିଟିକୁ ଏହି ନାଁ ଆସିନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର