କୁଚ୍‌ ବେହାର ଟ୍ରଫି: ପରାଜୟ ଏଡ଼ାଇବାକୁ ଓଡ଼ିଶାର ସଂଘର୍ଷ

ହରିଆଣା ୫୧୧, ଓଡ଼ିଶା ଦ୍ବିତୀୟ ପାଳି ୨୪୨/୪*

ସମ୍ବଲପୁର: ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା କୁଚ୍‌ ବେହାର ଟ୍ରଫି ମୁକାବିଲାରେ ହରିଆଣା ପ୍ରଥମ ପାଳିରେ ୫୧୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ଓଡ଼ିଶା ତାର ଦ୍ବିତୀୟ ପାଳିରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଵିକେଟ୍‌ ହରାଇ ୨୪୨ ରନ୍‌ ସଂଗ୍ରହ କରିଛି। ୨ ଶତକ ସହାୟତାରେ ୫ ଵିକେଟ୍‌ ହରାଇ ୪୬୬ ରନ୍‌ କରିଥିବା ହରିଆଣା ତୃତୀୟ ଦିନ ମାତ୍ର ୪୫ ରନ୍‌ ଯୋଡ଼ି ପାରିଥିଲା। ୮୬* ରନ୍‌ କରି ଅପରାଜିତ ଥିବା ଯଶବର୍ଦ୍ଧନ ଦଲାଲ୍‌ ତୃତୀୟ ଦିନ ରନ୍‌‌ ଯୋଡିବା ପୂର୍ବରୁ ଆଉଟ୍‌ ହୋଇଥିବା ବେଳେ ସର୍ବେଶ ରୋହିଲ୍ଲା ଦଳ ପାଇଁ ସର୍ବାଧିକ ୧୪୨ ରନ୍‌ କରିଥିଲେ। ଓଡ଼ିଶା ପକ୍ଷରୁ ରିତେଶ ପ୍ରିୟରଞ୍ଜନ ଓ ଅଧିନାୟକ ସାଇଦୀପ ମହାପାତ୍ର ୩ ଵିକେଟ୍‌ ଲେଖାଏଁ ନେଇଥିଲେ।

ପ୍ରଥମ ପାଳିରେ ୧୯୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ଓଡ଼ିଶା ଦଳ ତାର ଦ୍ବିତୀୟ ପାଳିରେ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଛି। ପ୍ରାରମ୍ଭିକ ବ୍ୟାଟ୍ସ୍‌ମ୍ୟାନ୍‌ ଆଶୀର୍ବାଦ ସ୍ବାଇଁ ୬୧ ରନ୍‌ (୧୧୩ ବଲ୍‌, ୧୨ ଚୌକା) କରି ପ୍ରଥମ ଖେଳାଳି ଭାବେ ଆଉଟ୍‌ ହୋଇଥିବା ବେଳେ ଵିକେଟ୍‌ରକ୍ଷକ ଦିବ୍ୟଜ୍ୟୋତି ପଟ୍ଟନାୟକ ୧୨ ରନ୍‌ (୧୦୯ ବଲ୍‌, ୧ ଚୌକା) କରିଥିଲେ। ଅଂଶୁମାନ ସାହୁ ୬୩ ରନ୍‌ (୮୮ ବଲ୍‌, ୧୦ ଚୌକା) ଓ ଶ୍ରେୟାଂଶ ଭରଦ୍ବାଜ ୩୧ ରନ୍‌ (୬୦ ବଲ୍‌, ୪ ଚୌକା, ୧ ଛକା) କରି ଆଉଟ୍‌ ହୋଇଥିଲେ। ସାଇଦୀପ ୪୧* (୭୪ ବଲ୍‌, ୪ ଚୌକା, ୨ ଛକା) ଓ ମହମ୍ମଦ ସୋହେଲ୍‌ ଖାନ୍‌ ୧୯* ରନ୍‌ (୫୫ ବଲ୍‌, ୩ ଚୌକା) କରି ଅପରାଜିତ ଅଛନ୍ତି। ଆଉ ଗୋଟିଏ ଦିନର ଖେଳ ବାକି ରହିଥିବା ବେଳେ ଓଡ଼ିଶା ଦଳ ହରିଆଣାର ପ୍ରଥମ ପାଳିଠାରୁ ୭୫ ରନ୍‌ ପଛରେ ରହିଛି। ତୃତୀୟ ଦିନ ଓସିଏ ଆପେକ୍ସ କାଉନ୍‌ସିଲ୍‌ ସଭ୍ୟ ତଥା ଅନୁଗୁଳ କ୍ରିକେଟ୍‌ ସଂଘ ସମ୍ପାଦକ ପ୍ରତାପ ପ୍ରଧାନ ଓ ସୋନପୁର କ୍ରିକେଟ୍‌ ସଂଘର ସମ୍ପାଦକ ପ୍ରଦୀପ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର