ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଜଳବନ୍ଦୀ ଅଂଚଳ ଗସ୍ତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ | ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି | ବିକାଶ ପାଇଁ ଯାତାୟାତ ବାଧକ ସାଜିଛି | ଶାସକ ତଥା ପ୍ରଶାସକ ସେମାନଙ୍କ ଅସୁବିଧା ନେଇଁ ହୃଦୟଙ୍ଗମ କରିଥିଲେ ହେଁ ଇନ୍ଦ୍ରାବତୀ ଜଳଭଣ୍ଡାର ବିକାଶ ପାଇଁ ପ୍ରତିବନ୍ଧକ ସାଜୁଛି | ଏହି କ୍ରମରେ ଆଜି ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ଜଳବନ୍ଦୀ ଅଂଚଳରେ ପହଂଚି ଲୋକଙ୍କ ଜୀବନ ଶୈଳୀ ତଥା ଅଂଚଳର ବିକାଶ ନେଇଁ ତଦାରଖ କରି ଫେରିଥିବା ଜଣାପଡିଛି | ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶ୍ରୀ ଦାସଙ୍କ ସମେତ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଆଜି ସକାଳୁ ମଞ୍ଚାଗାଁ ପଂଚାୟତ ଅନ୍ତର୍ଗତ ଢ଼େପଗୁଡା ଜଳ ଭଣ୍ଡାର ପଠାରେ ପହଂଚିଥିଲେ | ଢ଼େପଗୁଡା ଜଳ ଭଣ୍ଡାର ପଠାରୁ ଏକ ଯନ୍ତ୍ର ଚାଳିତ ବୋଟ ଯୋଗେ ପ୍ରାୟ ତିନି କିଲୋମିଟର ଜଳ ଯାତ୍ରା କରି ଘାଟଗୁଡା ନିକଟରେ ପହଂଚିଥିଲେ | ସେଠାରୁ ଚାରି କିଲୋମିଟର ଜଙ୍ଗଲ ପାହାଡ଼ ରାସ୍ତାରେ ଚାଲି ଚାଲି ଗୁରୁମାଇଁଗୁଡା ଗ୍ରାମରେ ପହଂଚି ଲୋକଙ୍କ ଜୀବନ ଶୈଳୀ ବିଷୟରେ ପଚାରି ବୁଝିଥିଲେ |

ଗୁରୁମାଇଁଗୁଡାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶ୍ରୀ ଦାସ ପିଲାଙ୍କୁ କିଛି ସମୟ ଧରି ପାଠ ପଢ଼ାଇଥିଲେ | ଏଥିସହ ଉପସ୍ଥିତ ଶିକ୍ଷକଙ୍କୁ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ନିଜ କର୍ମ ଓ ଦାୟିତ୍ୱ ସୁଚାରୁ ରୂପେ ପାଳନ କରି ଶିକ୍ଷାର ମାନଦଣ୍ଡ ବୃଦ୍ଧି ନେଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ | ଗୁରୁମାଇଁଗୁଡା ଗ୍ରାମର ସମସ୍ୟା ତଥା ସେଠାକାର ଲୋକଙ୍କ ଜୀବନ ଶୈଳୀ ସମ୍ପର୍କରେ ସୁଶ୍ରୀ ଦାସ ପଚାରି ବୁଝିଥିଲେ | ବହୁବର୍ଷ ଧରି ଜଳବନ୍ଦୀ ଅଂଚଳରେ ଗମନାଗମନ ,ବିଜୁଳି ପାନୀୟଜଳ ତଥା ଜୀବିକା କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଥିବା ଗ୍ରାମବାସୀ ପ୍ରକାଶ କରିଥିଲେ | ତେବେ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ଘାଟଗୁଡା ନଦୀ ପଠାରୁ ଗୁରୁମାଇଁଗୁଡା ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ଚାରି କିଲୋମିଟର ରାସ୍ତା ନିର୍ମାଣ ପାଇଁ ବିଡ଼ିଓ ଶ୍ରୀ ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ | ସେହିପରି ଜଳବନ୍ଦୀ ପାଞ୍ଚ ଖଣ୍ଡ ଗ୍ରାମକୁ ସଂଯୋଗୀକରଣ ରାସ୍ତା ନିର୍ମାଣ ସହ ପାନୀୟ ଜଳ ଓ ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇଁ ଉନ୍ନୟନ ଅଧିକାରୀ ସୁଶ୍ରୀ ଦାସ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି | ସେହିପରି ଜଳଭଣ୍ଡାର ଆରପାରିରେ ଥିବା ପାଞ୍ଚ ଖଣ୍ଡ ଗ୍ରାମବାସୀଙ୍କ ଜଳଭଣ୍ଡାର ମଧ୍ୟରେ ଯାତାୟାତ ପାଇଁ ଏକ ଯନ୍ତ୍ର ଚାଳିତ ବୋଟ ଯୋଗାଇ ଦିଆଯିବ ବୋଲି କହିଥିଲେ | ତେବେ ଏକ ସପ୍ତାହ ମଧ୍ୟରେ ଗୁରୁମାଇଁଗୁଡାରେ ପାଞ୍ଚୋଟି ନଳକୂପ ଖନନ ପାଇଁ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ସେହିପରି ନଳକୂପ ପାଣି ବିଶୋଧନ, ଆଧାର ସଂଶୋଧନ,ମୋବାଇଲ ଟାୱାର, ଜଙ୍ଗଲ ଜମି ପଟ୍ଟା ଆଦି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି |

ସମ୍ବନ୍ଧିତ ଖବର