ବାଳକାଟିରେ ସର୍ବଭାରତୀୟ ହସ୍ତଶିଳ୍ପ ମେଳା: ଶାଢ଼ି, ଚୁଡ଼ି ଷ୍ଟଲ୍‌ରେ ଭିଡ଼

ବାଲିଅନ୍ତା: ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ଉପଲ‌କ୍ଷେ ଚଳିତ ବର୍ଷ ନୂଆକରି ପ୍ରତାପଶାସନ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ସର୍ବଭାରତୀୟ ହସ୍ତଶିଳ୍ପ ମେଳା। ବିଭିନ୍ନ ରାଜ୍ୟର ହସ୍ତତନ୍ତ ଆଉ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ମେଳାରେ ଖୋଲା ଯାଇଛି। ବନାରସୀ ଆଉ ରାଜସ୍ଥାନୀ ଶାଢ଼ି ସାଙ୍ଗକୁ ଚୁଡ଼ି ଏବଂ ଗୁଜରାଟୀ ଏମ୍ବ୍ରୋଡୋରି ‌ଶାଢ଼ି କିଣିବା ପାଇଁ ଷ୍ଟଲ ନିକଟରେ ମହିଳା ଓ ଯୁବତୀଙ୍କର ଭିଡ଼ ଜମୁଛି। ଏହି ହସ୍ତଶିଳ୍ପ ମେଳାରେ ପଞ୍ଜାବ ଜୁତି, କାନପୁର ଜୁଏଲାରି, ଉତ୍ତରପ୍ରଦେଶ କାର୍ପେଟ, କାଚ ସାମଗ୍ରୀ, ସେହେରନପୁର ଫର୍ଣ୍ଣିଚର, ଲକ୍ଷ୍ନୌର ଚିକେନ ଡ୍ରେସ ଏବଂ ପଶ୍ଚିମବଙ୍ଗର ପ୍ଲାଷ୍ଟିକ ଫୁଲ ଭଳି ବିଭିନ୍ନ ରାଜ୍ୟର ୭୦ଟି ଷ୍ଟଲ୍‌ ଖୋଲିଛି। ବ୍ରହ୍ମପୁର ଆଚାର ଆଉ ପାମ୍ପଡ଼, ବାରିପଦା ମୁଢ଼ି ମଟନ, କଟକ ଠୁଙ୍କାପୁରୀ, ମଥୁରା କେକ୍‌ ସାଙ୍ଗକୁ ନିମାପଡ଼ା ଛେନାଝିଲ୍ଲି ଏବଂ ପାହାଳ ରସଗୋଲା ଏବଂ ଭଳିକି ଭଳି ପାରମ୍ପରିକ ଖାଦ୍ୟ ସାମଗୀ ଷ୍ଟଲ୍‌ର ପସରା ମେଲିଛି।

ମେଳା ବୁଲିବାକୁ ଆସୁଥିବା ଲୋକମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ଦିନରେ ମେଲୋଡି, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଭଜନ ଏବଂ ଭକ୍ତି ସଙ୍ଗୀତ ପରିବେଷଣ ହେଉଛି। ଏହି ମେଳା ଆସନ୍ତା ୧୯ ତାରିଖରେ ଉଦ୍‌ଯାପିତ ହେବ। ଆଜି ମେଳାର ଚତୁର୍ଥ ସଂଧ୍ୟାରେ ପୁରୀ ଜିଲ୍ଲା ଏକାଗ୍ରତା ନୃତ୍ୟ ଅନୁଷ୍ଠାନର ଗୁରୁ ସୁନୀଲ ବେହେରା ଓ ସାଥୀମାନେ ଦଶାବତାର ନୃତ୍ୟ ପରିବେଷଣ କରିଥିଲେ। ପରେ ସମ୍ବଲପୁରୀ ନୃତ୍ୟରେ ଡାଲଖାଇ, ରସରକେଲି ଏବଂ ରଙ୍ଗବତୀ ରଙ୍ଗବତୀ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ମଞ୍ଚ ପରିଚାଳନା କରିଥିଲେ ପ୍ରଦୀପ କୁମାର ସାହୁ ଓ କୁନାଲ ବାରିକ। ପ୍ରତାପଶାସନ ସରପଞ୍ଚ ରୀନା ବେହେରା, ସମିତି ସଭ୍ୟ ଗଙ୍ଗାଧର ମାହାରି, ପବିତ୍ର ମୋହନ ବେହେରା, ଯୁବନେତା ଆଶିଷ କୁମାର ଦାଶ ଏବଂ ବିଜୁ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର