ଏବେ ବି ଚାଲିଛି ନକଲି +୨ କଲେଜ
ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ
ଭୁବନେଶ୍ୱର : ଏଥର ବି ପୁଣିଥରେ ପଦାକୁ ଆସିଲା ନକଲି କଲେଜ। ଯୁକ୍ତ୨ କଲେଜରେ ନାମଲେଖା ନାଁରେ ଛାତ୍ରଛାତ୍ରୀଙ୍କଠାରୁ କୋଟି କୋଟି ଟଙ୍କା ନେଇ ପାର ହୋଇଯାଇଛନ୍ତି ଏକାଧିକ ଶିକ୍ଷା ଦଲାଲ। ବୌଦ୍ଧ ଜିଲ୍ଲାରୁ ଆରମ୍ଭ କରି ଖୋର୍ଧା ପର୍ଯ୍ୟନ୍ତ। ସବୁଠି କାୟା ମେଲାଇଛନ୍ତି ଏମାନେ। ନାମଲେଖା ପାଇଁ ପିଲାଙ୍କଠାରୁ ଟଙ୍କା ନେଉଛନ୍ତି। ପରୀକ୍ଷା ଦେବା ଲାଗି ବି ଫର୍ମ ପୂରଣ କରାଉଛନ୍ତି। କିନ୍ତୁ ପରୀକ୍ଷା ବେଳକୁ ପରୀକ୍ଷାର୍ଥୀଙ୍କୁ ମିଳୁନି ଆଡମିଟ୍ କାର୍ଡ। ଗତବର୍ଷ ବୌଦ୍ଧ ଜିଲ୍ଲା ମନମୁଣ୍ଡାସ୍ଥିତ ଲୋପାମୁଦ୍ରା କଲେଜର ୪୧ ଜଣ ପରୀକ୍ଷାର୍ଥୀ ଯୁକ୍ତ୨ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ବେଳେ ଏଥର ମଧ୍ୟ ସେହି ଜିଲ୍ଲାରେ ଥିବା ବାଉଁଶୁଣି ସଂସ୍କାର ଜୁନିଅର କଲେଜରେ ସମାନ ସମସ୍ୟା ଦେଖାଦେଇଛି। ପ୍ରାୟ ୫୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ମଧ୍ୟ ପରୀକ୍ଷା ଦେଇପାରି ନାହାନ୍ତି। ଏହାକୁ ନେଇ ଗତକାଲି ଛାତ୍ରଛାତ୍ରୀ କଲେଜରେ ଭଙ୍ଗାରୁଜା କରିଛନ୍ତି। ନ୍ୟାୟ ମିଳିଥିବା ବେଳେ କଲେଜ କର୍ତୃପକ୍ଷ ଛୁ ମାରିଛନ୍ତି। ଖୋର୍ଧା ଜିଲ୍ଲାରେ ମଧ୍ୟ ଏକ କଲେଜର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଏକାଧିକ ନକଲି କଲେଜ ପଦାକୁ ଆସିଥିଲା। ମନମୁଣ୍ଡାସ୍ଥିତ ଲୋପାମୁଦ୍ରା କଲେଜ ସମେତ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର କୁଟ୍ରାପାଲି ଗାଁରେ ଥିବା ଅମର ସହିଦ ସମୀର ବାରବରା ଅନନ୍ତ ଜାଲ ମହିଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। କୁଟ୍ରାପାଲି କଲେଜ ସମ୍ପର୍କରେ ତଦନ୍ତ କରାଯିବା ପରେ ଜଣାପଡ଼ିଥିଲା ଯେ ଏଭଳି ନାଁରେ କୌଣସି କଲେଜ ନାହିଁ। ଛାତ୍ରୀମାନେ ନାମ ଲେଖାଇ ଠକାମିର ଶିକାର ହୋଇଥିଲେ। ଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବା ପରେ କଲେଜରେ ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏଭଳି ଘଟଣା ପଦାକୁ ଆସିବା ପରେ ପରିଷଦ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଥିଲା। ନାମଲେଖା ଲାଗି ଆବେଦନ କରିବା ପୂର୍ବରୁ କଲେଜକୁ ଭଲ ଭାବେ ଯାଞ୍ଚ କରିବାକୁ କୁହାଯାଇଥିଲା। ଯଦି କୌଣସି କଲେଜ ପରିଷଦ ଦ୍ୱାରା ସହବନ୍ଧିତ ନ ଥିବ ତେବେ ସେଠାରେ ନାମଲେଖା ନ କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଥିଲା। ଏତେ ସବୁ ପରେ କେହି ବି ଚେତିଲେନି। କଲେଜକୁ ଭଲ ଭାବେ ଯାଞ୍ଚ ନ କରି ନାମଲେଖା କରିବା ଫଳରେ ଏଥର ମଧ୍ୟ ୫ରୁ ଅଧିକ ନକଲି କଲେଜ ଛାତ୍ରଛାତ୍ରୀ ହଇରାଣ ହୋଇଛନ୍ତି। ସେଥିମଧ୍ୟରୁ ଦୁଇଟି କଲେଜ ପରୀକ୍ଷାର୍ଥୀ ମୁହଁ ଖୋଲିଥିବା ବେଳେ ଆଉ କିଛି କଲେଜ ଛାତ୍ରଛାତ୍ରୀ ଭୁଲ୍ ବୁଝି ଚୁପ୍ ହୋଇ ବସି ରହିବାକୁ ବାଧ୍ୟ ହୋଇଛନ୍ତି। ଖୋର୍ଧ ଜିଲ୍ଲାରେ ଥିବା ଏକ ଘରୋଇ କଲେଜରେ ପଢ଼ୁଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଚାଲିଯାଇଛି। କଲେଜ କର୍ତୃପକ୍ଷଙ୍କ ଖାମଖିଆଲି ହେଉ ଅଥବା ଠକାମି ଲାଗି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇ ମାସ ଧରି ଫର୍ମ ପୂରଣ ଚାଲିଥିଲା। ୩ରୁ ଅଧିକ ଥର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଲାଗି ସୁଯୋଗ ବି ଦିଆଗଲା। ଏହାପରେ ବି ସମ୍ପୃକ୍ତ କଲେଜ କର୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରି ନ ଥିଲେ। ବିଳମ୍ବରେ ଫର୍ମ ପୂରଣ କରିବାରୁ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଛନ୍ତି। ଏବେ କଲେଜ କର୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ବାରମ୍ବାର ଏଭଳି ଘଟଣା ଲୋକଲୋଚନକୁ ଆସିଥିଲେ ମଧ୍ୟ ରୋକ ଲଗାଇବାରେ ସଫଳ ହୋଇନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯୁକ୍ତ୨ କଲେଜଗୁଡ଼ିକର ଭିତ୍ତିଭୂମି, ଆଫିଲିଏସନକୁ ଠିକ୍ ଭାବେ ଯାଞ୍ଚ କରାଯାଉ ନାହିଁ। ଯେଉଁଥିପାଇଁ ନିରୀହ ପିଲାମାନେ ହଇରାଣ ହେଉଛନ୍ତି। ଶିକ୍ଷାବିତ୍ଙ୍କ ମତରେ ଏଭଳି ଘଟଣା ଲାଗି ସମସ୍ତେ ଦାୟୀ। କଲେଜ ସମ୍ପର୍କରେ କୌଣସି ପ୍ରକାର ଖୋଳତାଡ଼ କରାଯାଉ ନାହିଁ। ଯେଉଁଥିପାଇଁ ନକଲି ଶିକ୍ଷାନୁଷ୍ଠାନ ଦିନକୁ ଦିନ କାୟା ମେଲାଇ ଚାଲିଛନ୍ତି।