ଆଉ ଏକ ଟିକସ ଉଚ୍ଛେଦ ହେବ, ଲାଭାଂଶ ବଣ୍ଟନ ଟିକସ ହଟିବ

ଏଲ୍‌ଟିସିଜି, ଏସ୍‌ଟିଟି କୋହଳ ହେବ

ନୂଆଦିଲ୍ଲୀ: ନିବେଶକଙ୍କ ଉପରେ ଲଦି ଦିଆଯାଇଥିବା ଟିକସ ବୋଝକୁ କେନ୍ଦ୍ର ସରକାର ଆହୁରି ହାଲୁକା କରିବା ଉପରେ କାର୍ଯ୍ୟ କରୁଛନ୍ତି। ଖୁବ୍‌ଶୀଘ୍ର ଲାଭାଂଶ ବଣ୍ଟନ ଟିକସ (ଡିଡିଟି) ପ୍ରତ୍ୟାହାର କରାଯିବ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ ସେୟାର ବଜାର ନିବେଶକଙ୍କ ମଧ୍ୟରେ ଆଜି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସେମାନେ ମନଖୋଲି ବିଭିନ୍ନ କଂପାନିର ସେୟାର କିଣିବା ଯୋଗୁ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ଆଜି ୫୮୦ ପଏଣ୍ଟ୍‌ ଭଳି ବଡ଼ ଧରଣର ବୃଦ୍ଧି ଘଟିଥିଲା। ଲାଭାଂଶ ବଣ୍ଟନ ଉପରେ ଦିଆଯାଉଥିବା ଟିକସ ଉଚ୍ଛେଦ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ ଅର୍ଥ ମନ୍ତ୍ରଣାଳୟ ବିଚାରବିମର୍ଶ ଜାରି ରଖିଛନ୍ତି। ଏହା ବ୍ୟତୀତ ଦୀର୍ଘମିଆଦୀ ପୁଞ୍ଜି ଲାଭ (ଏଲ୍‌ଟିସିଜି), ସ୍ବଳ୍ପମିଆଦୀ ପୁଞ୍ଜି ଲାଭ (ଏସ୍‌ଟିସିଜି) ଏବଂ ପ୍ରତିଭୂତି କାରବାର ଟିକସ (ଏସ୍‌ଟିଟି)କୁ ନେଇ ଯେଉଁ ସ୍ଲାବ୍‌ ପ୍ରଚଳନରେ ରହିଛି ତାହାର ମଧ୍ୟ ସମୀକ୍ଷା କରାଯାଉଛି।
୨୦୧୮ ବଜେଟ୍‌ରେ ଏଲ୍‌ଟିସିଜି ଟିକସ ଲାଗୁ କରାଯାଇଥିଲା। ଏବେ ସେହି ଟିକସର ସମୀକ୍ଷା କରାଯାଉଛି। କିଛି ବର୍ଷ ପରେ ଉକ୍ତ ଟିକସକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଉପରେ ମଧ୍ୟ ବିଚାର କରାଯାଉଥିବା ଜଣାପଡ଼ିଛି।

ଇକ୍ବିଟି ପୁଞ୍ଜି ଉପରେ ୧୫%ର ସ୍ବଳ୍ପ ମିଆଦୀ ପୁଞ୍ଜି ଲାଭ ଟିକସ ଆଦାୟ କରାଯାଉଛି। ସେହିପରି ପ୍ରତିଭୂତିର କିଣାବିକା ଉପରେ ପ୍ରତିଭୂତି କାରବାର ଟିକସ (ଏସ୍‌ଟିଟି) ଆଦାୟ କରାଯାଉଛି। ୨୦୦୪ରେ ଲାଗୁ କରାଯାଇଥିବା ଏହି ଟିକସରେ ହ୍ରାସ ଆଣିବାକୁ ନିବେଶକମାନେ ଦାବି କରୁଛନ୍ତି। ଏହା ସରକାରଙ୍କୁ ପ୍ରତିବର୍ଷ ବିପୁଳ ପରିମାଣର ରାଜସ୍ବ ପ୍ରଦାନ କରୁଛି। ଏହା ଦ୍ବାରା ଇକ୍ବିଟି କିଣାବିକା ଉପରେ ନଜର ରଖିବା ସରକାରଙ୍କ ପାଇଁ ସହଜ ହୋଇଛି। ଚଳିତ ବର୍ଷ ବଜେଟ୍‌ରେ ସେୟାର ବାଏବ୍ୟାକ୍ ଉପରେ ୨୦%ର ଟିକସ ଲାଗୁ କରାଯାଇଛି। ଲାଭାଂଶ ବଣ୍ଟନ ଟିକସ (ଡିଡିଟି)କୁ ଏଡ଼ାଇବା ଲାଗି ଅନେକ ସଂସ୍ଥା ବାଏବ୍ୟାକ୍ ବିକଳ୍ପକୁ ବ୍ୟବହାର କରିବା ପରେ ସେହି କାରବାର ଉପରେ ଟିକସ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ବାଏବ୍ୟାକ୍ ଉପରେ ଟିକସ ଲାଗୁ କରାଯିବା ପର ଠାରୁ ସେୟାର ବଜାର ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସେୟାର ବାଏବ୍ୟାକ୍ ଲାଗି ଯୋଜନା ରଖିଥିବା ଶହ ଶହ କଂପାନି ସେମାନଙ୍କ ‌ଯୋଜନାକୁ ବଦଳାଇବା କିମ୍ବା ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର