ଗୁଇନ୍ଦା ଲଗାଇ ଖିଲାପୀଙ୍କୁ ଖୋଜିବ ପିଏନ୍‌ବି

ନୂଆଦିଲ୍ଲୀ: ବଡ଼ ଧରଣର ଠକେଇର ଶିକାର ହୋଇଥିବା ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଲୁଚି ଥିବା ଋଣ ଖିଲାପୀଙ୍କୁ ଖୋଜି ବାହାର କରିବା ପାଇଁ ଗୁଇନ୍ଦା ଏଜେନ୍‌ସିର ସହାୟତା ନିଆଯିବ। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଏଜେନ୍‌ସିଗୁଡ଼ିକଠାରୁ ବିଡ୍‌ ଆହ୍ଵାନ କରାଯାଇଛି। ମେ’ ୫ ସୁଦ୍ଧା ବିଡ୍‌ ଦାଖଲ କରିବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ସନ୍ଦେହଜନକ ଏନ୍‌ପିଏ (ଅନାଦେୟ ଋଣ) ମାମଲାଗୁଡ଼ିକ ବିଷୟରେ ସୂଚନା ଏହି ଗୁଇନ୍ଦା ଏଜେନ୍ସିଗୁଡ଼ିକୁ ପ୍ରଦାନ କରାଯିବ। ସେମାନେ ଋଣ ନେଇଥିବା ଗ୍ରାହକ, ଗ୍ୟାରେଣ୍ଟର୍‌ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଖୋଜି ବାହାର କରିବେ। ଭାରତ ହେଉ କିମ୍ବା ବିଦେଶ ଯେଉଁଠାରେ ସେମାନେ ଥାଆନ୍ତୁ ନା କାହିଁକି ଗୁଇନ୍ଦା ସଂସ୍ଥା ସେମାନଙ୍କୁ ଖୋଜି ବାହାର କରିବା କାମ କରିବ।
ଲୁଚି ରହିଥିବା ଖିଲାପୀଙ୍କୁ ଖୋଜି ବାହାର କରିବା ଗୁଇନ୍ଦା ଏଜେନ୍ସିର ପ୍ରଥମ କାମ ହେବ।

ଏଭଳି ଅନେକ ଖିଲାପୀ ରହିଛନ୍ତି ଯେଉଁମାନେ ଋଣ ନେବା ବେଳେ ଦେଇଥିବା ଠିକଣାରେ ରହୁନାହାନ୍ତି। ସେଭଳି ଖିଲାପୀଙ୍କୁ ମଧ୍ୟ ଖୋଜି ବାହାର କରାଯିବ।
ଗୁଇନ୍ଦା ଏଜେନ୍ସି ଖିଲାପୀମାନଙ୍କ ବର୍ତ୍ତମାନର ଠିକଣା, ବୃତ୍ତି, ବ୍ୟବସାୟ, ଆୟ ଉତ୍ସ, ସେମାନଙ୍କ ସମସ୍ତ ସମ୍ପତ୍ତିର ବିବରଣୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରିବେ। ସେମାନଙ୍କ ବ୍ୟାଙ୍କ ଖାତା କେଉଁ ସବୁ ସ୍ଥାନରେ ରହିଛି ତାହା ମଧ୍ୟ ଏଜେନ୍ସିଗୁଡ଼ିକ ବ୍ୟାଙ୍କକୁ ଜଣାଇବେ। ମାମଲା ଗ୍ରହଣ କରିବାର ୬୦ ଦିନ ଭିତରେ ଗୁଇନ୍ଦା ଏଜେନ୍ସି ଏହାର ରିପୋର୍ଟ ଦାଖଲ କରିବ। କେତେକ ଜଟିଳ ମାମଲାରେ ଏହି ସମୟ ସୀମା ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଉଲ୍ଲେଖଯୋଗ୍ୟ, ପିଏନ୍‌ବିର ଏନ୍‌ପିଏ ପରିମାଣ ୫୭,୫୧୯ କୋଟି ଟଙ୍କାରେ ପହଞ୍ଚିଯାଇଛି। ଅନାଦେୟ ଋଣ ରାଶି ଆଦାୟ କରିବା ପାଇଁ ‘ଗାନ୍ଧୀଗିରି’ ପନ୍ଥାକୁ ମଧ୍ୟ ବ୍ୟାଙ୍କ ଗ୍ରହଣ କରିଛି। ‘ନେମ୍‌ ଆଣ୍ଡ୍‌ ସେମ୍‌’ ନୀତିରେ ମାସକୁ ୧୫୦ କୋଟି ଟଙ୍କାର ଅନାଦେୟ ଋଣକୁ ଆଦାୟ କରିବାକୁ ବ୍ୟାଙ୍କ୍‌ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର