ରେଳରେ ଲାଗିବନି ସଂରକ୍ଷଣ ଚାର୍ଟ

ନୂଆଦିଲ୍ଲୀ: ଭାରତୀୟ ରେଳ ପକ୍ଷରୁ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ କାଗଜ ବ୍ୟବହାର କମ୍‌ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରେଳ ବଗିରେ ଚଳିତ ମାସଠାରୁ ଯାତ୍ରୀଙ୍କ ପାଇଁ ଆଉ ସଂରକ୍ଷଣ ଚାର୍ଟ ନଲଗାଇବାକୁ ସ୍ଥିର କରାଯାଇଛି। ଦେଶବ୍ୟାପୀ ଟ୍ରେନ୍‌ଗୁଡ଼ିକରେ ଏହି ବ୍ୟବସ୍ଥା ଚଳିତମାସଠାରୁ ଲାଗୁ କରାଯାଇଛି। ତେବେ ପ୍ଲାଟଫର୍ମର ଡିଜିଟାଲ ବୋର୍ଡରେ ପୂର୍ବଭଳି ଯାତ୍ରୀଙ୍କ ଚାର୍ଟ ଲାଗିବ। ରେଳବାଇ ଏହି ପଦକ୍ଷେପ ନେବାର ଅନ୍ୟ ଏକ କାରଣ ହେଲା ଦୈନିକ ପ୍ରାୟ ୧୧ ଲକ୍ଷ ରେଳ ଟିକଟ ବିକ୍ରି ହେଉଛି। ଏଥିରୁ ପ୍ରାୟ ୭୦ ପ୍ରତିଶତ ଟିକଟ ଇଣ୍ଟରନେଟ୍‌ରେ ବୁକ୍‌ ହେଉଛି। ପୂର୍ବରୁ ଛତ୍ରପତି ଶିବାଜୀ ଟର୍ମିନାଲ, ମୁମ୍ବାଇ ସେଣ୍ଟ୍ରାଲ ଏବଂ ଅନ୍ୟ ପ୍ରମୁଖ ଷ୍ଟେସନ୍‌ ଗୁଡ଼ିକରେ ଚାର୍ଟ ଲଗାଇବା କାର୍ଯ୍ୟ ବନ୍ଦ କରାଯାଇ ସାରିଛି। ସେହିଭଳି ଏସବୁ ଷ୍ଟେସନରୁ ଛାଡ଼ୁଥିବା ଟ୍ରେନ୍‌ଗୁଡ଼ିକର ବଗିରେ ମଧ୍ୟ ଯାତ୍ରୀଙ୍କ ଆସନ ସଂରକ୍ଷଣ ତାଲିକା ପୂର୍ବରୁ ବନ୍ଦ ହୋଇସାରିଛି।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଫେବ୍ରୁଆରିରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏଥିରେ ଏ୧, ଏ ଏବଂ ବି ବର୍ଗର ଷ୍ଟେସନ୍‌ଗୁଡ଼ିକରେ ସବୁ ସଂରକ୍ଷିତ ବଗିରେ ସଂରକ୍ଷଣ ଚାର୍ଟ ଗତ ମାର୍ଚ୍ଚ ୧ ତାରିଖରୁ ୬ ମାସ ପାଇଁ ନଲଗାଇବାକୁ କୁହାଯାଇଥିଲା। ନୂଆଦିଲ୍ଲୀ, ହଜରତ ନିଜାମୁଦ୍ଦିନ, ମୁମ୍ବାଇ ସେଣ୍ଟ୍ରାଲ, ଚେନ୍ନାଇ ସେଣ୍ଟ୍ରାଲ, ହାଓଡ଼ା ଏବଂ ସିଆଲଦା ଷ୍ଟେସନ୍‌ରେ ସବୁ ଟ୍ରେନ୍‌ର ସଂରକ୍ଷିତ ବଗିରେ ତାଲିକା ଲଗାଯାଉ ନାହିଁ। ଏତଦ୍‌ବ୍ୟତୀତ ୨୦୧୬ ନଭେମ୍ବରରୁ ଦକ୍ଷିଣ ପଶ୍ଚିମ ରେଳ ଜୋନ୍‌ର ବେଙ୍ଗାଲୁରୁ ଡିଭିଜନ୍‌ରେ ବେଙ୍ଗାଲୁରୁ ସିଟି ଏବଂ ୟଶବନ୍ତପୁର ଷ୍ଟେସନ୍‌ରେ କୌଣସି ଟ୍ରେନ୍‌ର ସଂରକ୍ଷିତ ବଗିରେ ଚାର୍ଟ ଲଗାଯାଉ ନାହିଁ।

ସମ୍ବନ୍ଧିତ ଖବର