ସିନେମା ଶିଳ୍ପର ଚମକ ଫେରିଲା: ୪ ମାସରେ ୪,୦୦୦ କୋଟି ବେପାର

ମାସିକ ଆୟ ୧,୦୦୦ କୋଟି ଟପିଲା

ନୂଆଦିଲ୍ଲୀ: ମହାମାରୀ ପ୍ରଭାବରେ ଦୁଇ ବର୍ଷ ବିପୁଳ କ୍ଷତି ସହିଥିବା ସିନେମା ହଲ୍‌ଙ୍କ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି। ଗତ ୪ ମାସରେ ସେମାନେ ୪,୦୦୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। କେଜିଏଫ୍‌-୨, ଆର୍‌ଆର୍‌ଆର୍, ଦି କାଶ୍ମୀର ଫାଇଲ୍‌ସ, ଗଙ୍ଗୁବାଇ କଠିଆୱାଡ଼ି ଓ ତାମିଲ ସିନେମା ବିଷ୍ଟ୍‌ ଓ ଭାଲିମାଇ ଭଳି ସିନେମା ରିଲିଜ୍ ହେବାରୁ ମାସିକ ବକ୍ସ ଅଫିସ୍‌ ଆୟ ପ୍ରଥମ ଥର ପାଇଁ ୧,୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଗ୍ରୁପ୍‌ଏମ୍‌ ଓ ଓର୍‌ମାକ୍ସ ମିଡିଆ ତଥ୍ୟ ଅନୁସାରେ ସିନେମା ପ୍ରଦର୍ଶନ ଶିଳ୍ପ ପାଇଁ ୨୦୨୨ ଶ୍ରେଷ୍ଠ ବର୍ଷ ସାବ୍ୟସ୍ତ ହେବ। ବକ୍ସ ଅଫିସ୍ ଆୟ ୧୨,୫୧୫ କୋଟି ଟଙ୍କା ଟପିବ। ୨୦୧୯ରେ ହୋଇଥିବା ଆୟ ତୁଳନାରେ ତାହା ୧,୫୬୭ କୋଟି ଟଙ୍କା ଅଧିକ। ୨୦୨୦ରେ କରୋନା ମହାମାରୀ ବ୍ୟାପିବା ଓ ଦୁଇ ବର୍ଷ ପର୍ଯ୍ୟନ୍ତ ତାହାର ପ୍ରଭାବ ରହିବା ଯୋଗୁଁ ସିନେମା ହଲ୍‌ ଶିଳ୍ପ ବନ୍ଦ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। ସେହି ସମୟରେ ଆମାଜନ ପ୍ରାଇମ୍ ଭିଡିଓ, ନେଟ୍‌ଫ୍ଲିକ୍ସ, ଜି୫ ଭଳି ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତାରେ ବୃଦ୍ଧି ସିନେମା ହଲ୍‌ଗୁଡ଼ିକର ଚିନ୍ତା ବଢ଼ାଇଥିଲା। ମାତ୍ର ଚଳିତ ବର୍ଷର ପ୍ରଥମ ଚାରି ମାସରେ ଆଶାନୁରୂପ ବେପାର ହୋଇଛି। ଲୋକମାନେ ପୁଣି ଥରେ ସିନେମା ହଲ୍ ମୁହାଁ ହୋଇଥିବା ଅନୁମାନ କରାଯାଉଛି। ସିନେମା ହଲ୍‌ ଶିଳ୍ପରେ କେବଳ ସୁଧାର ହୋଇନାହିଁ ତାହା ଆହୁରି ଦୃଢ଼ ହୋଇପାରିଛି।

କେଜିଏଫ୍‌-୨ ବକ୍ସ ଅଫିସ୍‌ରେ ୧,୦୦୮ କୋଟି ଟଙ୍କା, ଆର୍‌ଆର୍‌ଆର୍‌ ୮୭୫ କୋଟି ଟଙ୍କା, ଦି କାଶ୍ମୀର ଫାଇଲ୍‌ସ ୨୯୩ କୋଟି ଟଙ୍କା ଆୟ କରିଛନ୍ତି। ଛଅଟି ଫିଲ୍ମର ଆୟ ୧୦୦ କୋଟି ଟଙ୍କାରୁ ଅଧିକ ରହିଛି। ସିନେମା ହେଉଛି ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ। ହଲ୍‌ରେ ସିନେମା ଦେଖିବାର ଅନୁଭୂତି ଅଲଗା ପ୍ରକାରର। କୋଭିଡ୍‌ କଟକଣା ହଟିବା ଓ ସ୍ଥିତି ସ୍ବାଭାବିକ ହେବା ପରେ ଲୋକମାନେ ପୁଣି ଥରେ ବଡ଼ ପରଦା ଆଡ଼କୁ ଢଳିଛନ୍ତି। ସେଥିପାଇଁ ହଲ୍‌ଗୁଡ଼ିକରେ ଭିଡ଼ ବଢ଼ିଥିବା ବେଳେ ଟିକଟ୍ ବିକ୍ରିରୁ ଆୟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ସିନେମା ହଲ୍‌ ଭିଡ଼ ଟାଣିବାରେ ସକ୍ଷମ ହୋଇଥିବାରୁ ବିଜ୍ଞାପନଦାତାମାନେ ମଧ୍ୟ ନିଜ ରଣନୀତି ବଦଳାଇବା ଉପରେ ବିଚାର କରୁଛନ୍ତି। ଯେଉଁମାନେ ହଲ୍‌ରେ ବିଜ୍ଞାପନ ଦେଉଥିଲେ ସେମାନେ ପୁଣି ଥରେ ଏହି ମାଧ୍ୟମକୁ ଫେରିବାକୁ ଚାହୁଛନ୍ତି। ୩୫୦ରୁ ଅଧିକ ବ୍ରାଣ୍ଡ୍‌ ହଲ୍‌ରେ ବିଜ୍ଞାପନ ଦେଉଛନ୍ତି। ଉତ୍ସବ ଋତୁରେ ଆହୁରି ଅଧିକ ବ୍ରାଣ୍ଡ୍‌ ଏଥିପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର