ଗୁରୁତରଙ୍କ ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

ଅମ୍ବାଦଳା: ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସୀମାନ୍ତ କଳାହାଣ୍ଡି ଜିଲ୍ଲାର ବିଶ୍ବନାଥପୁର ଗ୍ରାମର ତିନି ଜଣ ଯୁବକ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ଏବଂ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆହତ ତିନି ଜଣଙ୍କ ମଧ୍ୟରୁ ସୁନିଲ ଭୋଇ(୨୩) କଟକ ସ୍ଥିତ ଶ୍ରୀ ମାଁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କାହ୍ନା ଭୋଇ(୧୮) ଓ ତୁଳମଣି କୁମାର ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏମାନେ ଅତି ଗରିବ ହୋଇଥିବାରୁ ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ତେଣୁ ବିଶ୍ବନାଥପୁର କଲୋନିପଡାର ଯୁବକ ଗୋଷ୍ଠୀ ତଥା ଜିତେନ୍ଦ୍ର ନାୟକ, କୁମୁଲା ବାଗ, ସାଗର ନାୟକ, ବଳଦେବ ହରିଜନ, ନିର୍ମଳ ନାୟକ ପ୍ରମୁଖ ଅଣ୍ଡାଭିଡି ବିଶ୍ବନାଥପୁର ଓ ଅମ୍ବାଦଳା ଅଞ୍ଚଳରେ ଏକ ଡବା ଧରି ବୁଲି ବୁଲି ଅର୍ଥ ସଂଗ୍ରହ କରିଥିଲେ। ଏମାନେ ପ୍ରାୟ ୨୫ହଜାର ଟଙ୍କା ଆଦାୟ କରିଥିବା ବେଳେ ଉକ୍ତ ଟଙ୍କାକୁ ଚିକିତ୍ସିତ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନା ଥାଉକି, ଗତ କିଛି ଦିନରେ ବିଶ୍ବନାଥପୁର ଗ୍ରାମର ଗୁରୁତର ଆହତ ତିନି ଜଣ ଯୁବକ ଏକ ବାଇକରେ ବିଷମକଟକ ମେଡିକାଲ ଯାଇ ସେଠାରୁ ଫେରୁଥିଲେ। ରାସ୍ତାରେ ବିଷମକଟକରୁ ମୁନିଗୁଡା ମଧ୍ୟରେ ଏକ ଟ୍ୟାଙ୍କର ସହ ଧକ୍କା ହୋଇଥିଲା। ଫଳରେ ତିନି ଜଣ ଯାକ ଗୁରୁତର ଆହତ ହୋଇଥିଲେ। କେହି ଅଜଣା ବ୍ୟକ୍ତି ଏମାନଙ୍କୁ ଉଦ୍ଧାର କରି ବିଷମକଟକ ମେଡିକାଲରେ ଭର୍ତି କରାଇଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ଏମାନଙ୍କୁ କଟକ ଓ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏମାନେ ଅତି ଗରିବ ହୋଇଥିବାରୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଏବଂ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର