ଜୁଲାଇରେ ଦିଆଯାଇଛି ୧୩ କୋଟି କରୋନା ଡୋଜ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କରୋନା ନିରୋଧୀ ଟିକାକରଣ ଅଭିଯାନକୁ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ । ରବିବାର ଦିନ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କି ଜୁଲାଇ ମାସରେ ଦେଶରେ ୧୩ କୋଟି ଡୋଜ ଟିକା ଦିଆଯାଇଛି । ଏହାସହ ଅଗଷ୍ଟ ମାସରେ ଏହି ସଂଖ୍ୟା ବୃଦ୍ଧି ହେବ ବୋଲି ସେ କହିଛନ୍ତି । କହିରଖୁ କି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଏକ ଟ୍ୱିଟ୍ କରିଥିଲେ ।

ସେ ଲେଖିଥିଲେ କି “କ’ଣ ଭାରତ ସରକାର ଟିକାକରଣ ନେଇ ରଖିଥିବା ଲକ୍ଷ୍ୟ ପୂରଣ କରିପାରିବେ ?” । ଏହାର ଉତ୍ତର ଦେବାକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । କହିରଖୁ କି ଦେଶରେ କରୋନାର ତୃତୀୟ ଲହର ଆସୁଥିବା ନେଇ ବିଶେଷଜ୍ଞମାନେ ସୂଚନା ଦେବା ପରେ କୋଭିଡ କଟକଣାକୁ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ତୃତୀୟ ଲହରରୁ ଦେଶବାସୀଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଅନେକ ପ୍ରକାର ସତର୍କତା ଅବଲମ୍ବନ କରିଛନ୍ତି । ଏହାରି ମଧ୍ୟରେ କରୋନା ବିରୋଧୀ ଲଢେଇରେ ସବୁଠାରୁ ବଡ ଅସ୍ତ୍ର କୁହାଯାଉଥିବା ଟିକାକରଣକୁ ନେଇ ବି ଆକ୍ସନ ମୋଡରେ ଅଛନ୍ତି ସରକାର ।

ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ କିଭଳି କମ ସମୟ ମଧ୍ୟରେ ଟିକା ଦିଆଯାଇ ପାରିବ ସେ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାସହ କିଭଳି ୧ ରୁ ୧୮ ବର୍ଷ ପିଲାମାନଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇ ପାରିବ ତା ଉପରେ ବି ଜୋର ଦେଇଛନ୍ତି ।

ସମ୍ବନ୍ଧିତ ଖବର