ଭାରତରେ ଟେସଲା କାର ନିର୍ମାଣ କରିବେ ଏଲନ ମସ୍କ୍

ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର ଟେସଲାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଏଲନ୍ ମସ୍କ ଭାରତରେ ବିପୁଳ ପୁଞ୍ଜିନିବେଶ ଘୋଷଣା କରିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହରେ ମସ୍କ ଭାରତ ଆସୁଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଭାରତରେ ଟେସଲା କାରଖାନା ସ୍ଥାପନ ପାଇଁ ମସ୍କ ୨ରୁ ୩ ବିଲିୟନ ଡଲାର ନିବେଶ ଘୋଷଣା କରିବାକୁ ଯାଉଛନ୍ତି। ମସ୍କ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଏହି ସମୟରେ ସେ ବିଶ୍ୱର ତୃତୀୟ ବୃହତ୍ତମ ଅଟୋ ବଜାର ଭାରତରେ ଟେସଲାର ପ୍ରବେଶ ଘୋଷଣା କରିବେ ବୋଲି ଆଶା କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟେସ୍ଲା ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ସୋ’ରୁମ୍ ପାଇଁ ଜାଗା ଖୋଜିବା ଆରମ୍ଭ କରିସାରିଛି। ଏହାବ୍ୟତୀତ ଏହାର ବର୍ଲିନ କାରଖାନା ଡାହାଣ ପଟେ ଷ୍ଟିୟରିଂ ଥିବା କାର୍ ଉତ୍ପାଦନ କରୁଛି, ଯାହାକୁ କମ୍ପାନୀ ଚଳିତ ବର୍ଷ ଶେଷ ଆଡ଼କୁ ଭାରତକୁ ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି। ଦୁଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀରେ ଏକ ମହାକାଶ ଷ୍ଟାର୍ଟଅପ୍ ସହ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ମସ୍କ ଯୋଗ ଦେଇପାରନ୍ତି। ସୂଚନାଯୋଗ୍ୟ, ମସ୍କ ଆମେରିକୀୟ ମହାକାଶ କମ୍ପାନୀ ସ୍ପେସ୍ ଏକ୍ସ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ମଧ୍ୟ ମାଲିକ । ବର୍ତ୍ତମାନ ଏଲନ୍ ମସ୍କଙ୍କ ସମ୍ପତ୍ତି ୧୭୮ ବିଲିୟନ ଡଲାର ରହିଛି। ସେ ହେଉଛନ୍ତି ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ।

ସମ୍ବନ୍ଧିତ ଖବର