ଦିଲ୍ଲୀ ମହାନଗର ନିଗମ ଜିତିବା ପାଇଁ ଦିଲ୍ଲୀରେ ହିଂସା ସୃଷ୍ଟି କରାଯାଉଛି: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ଦଙ୍ଗାକୁ ନେଇ ଏବେ ବିରୋଧୀ କେନ୍ଦ୍ରକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ହିଂସା ପାଇଁ ଗତକାଲି ଏନସିପି ନେତା ଶରଦ ପାୱାର ବିଜେପିକୁ ଦାୟୀ କରିଥିବା ବେଳେ ଆଜି ଶିବସେନା ନେତା ସଞ୍ଜୟ ରାଉତ ବିବାଦୀୟ ବୟାନ ଦେଇଛନ୍ତି। ଦିଲ୍ଲୀ ମହାନଗର ନିଗମ ଜିତିବା ପାଇଁ ଦିଲ୍ଲୀରେ ହିଂସା ସୃଷ୍ଟି କରାଯାଉଥିବା କହିଛନ୍ତି ସଞ୍ଜୟ ରାଉତ।

ସେ କହିଛନ୍ତି ଯେ, ମହାନଗର ନିଗମ ନିର୍ବାଚନରେ ​​ଜିତିବା ପାଇଁ କୌଣସି ପ୍ରସଙ୍ଗ ନଥିବାରୁ ଦଙ୍ଗା ସୃଷ୍ଟି କରି ଭୋଟ ହାତେଇବାକୁ ଚେଷ୍ଟା କରାଯାଉଛି। ରାଜନୈତିକ ଲାଭ ପାଇଁ ଦଙ୍ଗାର ରାଜନୀତି କରାଯାଉଛି। ଏହାପୂର୍ବରୁ ହନୁମାନ ଜୟନ୍ତୀ ଏବଂ ରାମ ନବମୀରେ ଦେଶରେ କୌଣସି ଦଙ୍ଗା ହୋଇ ନଥିଲା। ହେ‌ଲେ ଏବେ ହେଉଛି। ସଞ୍ଜୟଙ୍କ ଏଭଳି ବୟାନ ଉପରେ କ୍ଷମତାରେ ଥିବା ସରକାର କିଭଳି ପ୍ରତିକ୍ରିୟା ରଖିବେ, ତାହା ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ, ଶନିବାର ଦିନ ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା ହୋଇଥିଲା, ଯେଉଁଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀରେ ଘଟିଥିବା ହିଂସା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଅନସାର ଏବଂ ଅସଲାମ ଦୁଇ ଦିନିଆ ପୁଲିସ ହେପାଜତରେ ଅଛନ୍ତି। ଅନସରଙ୍କ କଲ୍ ବିବରଣୀକୁ ପୁଲିସ ଅପେକ୍ଷା କରିଛି। ବାସ୍ତବରେ, ଅନସାର ମାଷ୍ଟରମାଇଣ୍ଡ କି ନା ଅନ୍ୟ କୌଣସି ସ୍ଥାନରୁ ଏହି ହିଂସା ଘଟାଇବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ତାହା ଜାଣିବାକୁ ଚେଷ୍ଟା କରୁଛି ପୁଲିସ।

ସମ୍ବନ୍ଧିତ ଖବର