ଆଇପିଏସ୍‌ ସଂଘକୁ ଅବୈଧ ଘୋଷଣା କରିବା ନେଇ ବିବାଦ ‌‌ତେଜିଲା; ଏ ନିଷ୍ପତ୍ତି ଆଇଏଏସ୍‌ ପକ୍ଷପାତର ନିଦର୍ଶନ ବୋଲି ଅଭିଯୋଗ କଲେ ଆଇପିଏସ୍‌ ଗୋଷ୍ଠୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଇପିଏସ୍‌ ସଂଘର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଦେଶର ଆଇପିଏସ୍‌ ଓ ଆଇଏଏସ୍‌ମାନେ ମୁହଁାମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି। ଆଇପିଏସ୍‌ମାନେ ଅଭିଯୋଗ କରି କହିଛନ୍ତି ଯେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ନିଜ ହାତ ମୁଠାରେ ରଖିଥିବା ଆଇଏଏସ୍‌ ଗୋଷ୍ଠୀ ମନ୍ତ୍ରାଳୟକୁ ପ୍ରଭାବିତ କରି କେନ୍ଦ୍ରୀୟ ସୂଚନା କମିଶନଙ୍କ ନିକଟକୁ ଆଇପିଏସ୍‌ ସଂଘ ବାବଦରେ ଏପରି ଲିଖିତ ଟିପ୍ପଣୀ ପଠାଇଛନ୍ତି। ଏପରି ପକ୍ଷପାତ ନିଷ୍ପତ୍ତିକୁ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବ ବୋଲି ଆଇପିଏସ୍‌ ସଂଘ ପକ୍ଷରୁ କୁହାଯାଇଛି।

ଆଇପିଏସ୍‌ ସଂଘ ଗଠନ କରିବା ନିମନ୍ତେ ସରକାର କୌଣସି ପ୍ରକାରର ଅନୁମତି ପ୍ରଦାନ କରି ନଥିବା ସ୍ପଷ୍ଟ କରିଦେବା ପରେ ଏବେ ଏହି ବିବାଦର ସୂତ୍ରପାତ ହୋଇଛି। ଦେଶର ବରିଷ୍ଠ ଆଇପିଏସ୍‌ ଅଧିକାରୀମାନେ କହିଛନ୍ତି ଯେ ଦେଶରେ ଆଇପିଏସ୍‌ ସଂଘ ବିଗତ ବହୁ ଦଶନ୍ଧି ଧରି ବିନା ବିତର୍କରେ ଗଠିତ ହୋଇ ଆସିଥିବା ବେଳେ; ହଠାତ୍‌ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏ ନୂଆ ନିୟମକୁ ଆଣିଲେ କୁଆଡ଼ୁ? ସ୍ବରାଷ୍ଟ୍ର ମନ୍ତ୍ରାଳୟର ଏପ୍ରକାର ନିଷ୍ପତ୍ତିରୁ ଜଣାପଡ଼ୁଛି ଯେ ଦେଶର ଆଇଏଏସ୍‌ ଗୋଷ୍ଠୀ ଆଇପିଏସ୍‌ମାନଙ୍କୁ ବିରୋଧ କରୁଛି ଏବଂ ସେମାନଙ୍କ ସହ ପକ୍ଷପାତ କରୁଛି ବୋଲି ସେମାନେ ଦର୍ଶାଇଛନ୍ତି।

ଆଇପିଏସ୍‌ ସଂଘର ପୂର୍ବତନ ସଂପାଦକ ପିଭିଆର୍‌ ଶାସ୍ତ୍ରୀ କହିଛନ୍ତି, ‘ଆମେ ସଂଘ ଗଠନ କରିପାରିବୁ ନାହିଁ; ଏଥିପାଇଁ ଆମର ଅଧିକାର ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ଯାହା କହୁଛନ୍ତି ତାହାର କୌଣସି ଯଥାର୍ଥତା ନାହିଁ। ‌ସର୍ବ ଭାରତୀୟ ସେବା ଆଇନ୍‌ ବଳରେ ଆଇପିଏସ୍‌ମାନେ ନିଯୁକ୍ତି ପାଉଥିବାରୁ, ସଂଘ ଗଠନ କରିବା ପାଇଁ ମଧ୍ୟ ସେମାନଙ୍କର ସମସ୍ତ ପ୍ରକାରର ଅଧିକାର ରହିଛି। ଯଦି ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଇପିଏସ୍‌ ସଂଘକୁ ଅବୈଧ ବୋଲି କହୁଛନ୍ତି, ତେବେ ବିଭିନ୍ନ ପ୍ରସଙ୍ଗରେ ଆଇପିଏସ୍‌ ସଂଘର ମତାମତ ଓ ପରାମର୍ଶ ଲୋଡ଼ୁଛନ୍ତି କେମିତି? ଖାଲି ଏତିକି ନୁହେଁ; ଆଇପିଏସ୍‌ ସଂଘ ଯଦି ଅବୈଧ ତେବେ ଏକିଧିକ ମାମଲାର ବିଚାର କାଳରେ ଦେଶର ଶୀର୍ଷ ଅଦାଲତ ଆଇପିଏସ୍‌ ସଂଘକୁ ପକ୍ଷଭୁକ୍ତ କରାଉଛନ୍ତି କିପରି ବୋଲି ସେ ପାଲଟା ପ୍ରଶ୍ନ କରିବା ସହ ଆଇପିଏସ୍‌ ସଂଘ ଏକ ଅବୈଧ ସଂଘ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ରାତିଅଧିଆ ଜାଣିଲେ କିପରି ବୋଲି ସେ ପଚାରିଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ସୂଚନା କମିଶନ ଏକ ମାମଲାରେ କେନ୍ଦ୍ର ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ ଆଇପିଏସ୍‌ ସଂଘ କ’ଣ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ଏକ ସଂଘ? ଏ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ବୁଧବାର କେନ୍ଦ୍ରୀୟ ସୂଚନା କମିଶନଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ ଏପରି କୌଣସି ସଂଘକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇ ନାହାନ୍ତି କିମ୍ବା ଏପରି ସଂଘ ଗଠନ ପାଇଁ କାହାରିକି ଅନୁମତି ସୁଦ୍ଧା ଦେଇନାହାନ୍ତି। କିମ୍ବା, କେନ୍ଦ୍ର ସରକାରଙ୍କ ବିନା ଅନୁମତି ଓ ଅନୁମୋଦନରେ ପୁଲିସ୍‌ ବାହିନୀର କୌଣସି ପ୍ରକାରର ସଂଘ ଗଠନ କରିବାର କୌଣସି ପ୍ରକାରର ଅଧିକାର ନଥିବା ମଧ୍ୟ କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ କହିଥିଲେ।

ସମ୍ବନ୍ଧିତ ଖବର