‘ଅଶୋକ ଗେହଲଟଙ୍କ ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଏବଂ ଅନାବଶ୍ୟକ’; କହିଲେ ସଚିନ ପାଇଲଟ

ଭୋପାଳ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଅନାବଶ୍ୟକ ଓ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ । ସେ କହିଛନ୍ତି ଯେ ଗୁଜୁରାଟ ବିଧାନସଭା ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାବେଳେ ଶ୍ରୀ ଗେହଲଟ ଗୁଜୁରାଟ ଉପରେ ଧ୍ୟାନ ଦିଅନ୍ତୁ ଯେପରି ଦଳ ଭଲ ପ୍ରଦର୍ଶନ କରିବ। କାରଣ, ଦଳ ଶ୍ରୀ ଗେହଲଟ ଉପରେ ରାଜ୍ୟର ଦାୟିତ୍ୱ ନ୍ୟସ୍ତ କରିଛି।

ଅଶୋକ ଗେହଲଟ ମୋତେ ‘ଅଯୋଗ୍ୟ’, ‘ବିଶ୍ବାସଘାତକ’ ବୋଲି କହବା ସହ ମୋ ବିରୋଧରେ ଆହୁରି ଅନେକ ଅଭିଯୋଗ କରିଛନ୍ତି। ତେବେ, ଏହି ସବୁ ଅଭିଯୋଗଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ଅନାବଶ୍ୟକ। ଆମକୁ ଯାହା ଆବଶ୍ୟକ ତାହା ହେଉଛି ଆମେ କିପରି କଂଗ୍ରେସ ଦଳକୁ ମଜବୁତ କରିପାରିବା ତାହା ଦେଖିବା। ଆମେ କିପରି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ସଫଳ କରିପାରିବା ତାହା ଆମକୁ ଦେଖିବାକୁ ପଡିବ ବୋଲି ଶ୍ରୀ ପାଇଲଟ କହିଛନ୍ତି।

କେବଳ କଂଗ୍ରେସ ଦେଶରେ ବିଜେପିକୁ ଚ୍ୟାଲେଞ୍ଜ କରିପାରିବ। ଏବେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି, ଯେଉଁଠାରେ ଅଶୋକ ଗେହଲଟ ଦାୟିତ୍ୱରେ ଅଛନ୍ତି। ବିଜେପିକୁ ପରାସ୍ତ କରିବା ପାଇଁ ଆମକୁ ଏକ ମିଳିତ ଲଢ଼େଇ କରିବାକୁ ପଡିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଗୁଜୁରାଟ ଗସ୍ତରେ ଥିବା ଗେହେଲଟ୍ ଗଣମାଧ୍ୟମକୁ କହିଛନ୍ତି, ଜଣେ ଗଦ୍ଦ‌ାର (ବିଶ୍ବାସଘାତକ) କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ପାରିବେ ନାହିଁ। ଯାହା ପାଖରେ ୧୦ଜଣ ବିଧାୟକ ମଧ୍ୟ ନାହାନ୍ତି, ଯିଏ ଦଳ ପାଇଁ ବିଦ୍ରୋହୀ ପାଲଟିଥିଲେ, ସେଭଳି ବିଶ୍ୱାସଘାତକଙ୍କୁ ମୁଖ୍ୟମନ୍ତ୍ରୀ କେବେ ବି କରାଯାଇପାରିବ ନାହିଁ। ସଚ୍ଚିନ୍ ପାଇଲଟଙ୍କୁ ଟାଗେର୍ଟ କରି ଗେହଲଟଙ୍କ ଏପରି ମନ୍ତବ୍ୟ କଂଗ୍ରେସ ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧିତ ଖବର