ୟୁକ୍ରେନରୁ ୫ ଲକ୍ଷ ଟନ ଗହମ ଚୋରାଇନେଲେ ରୁଷ ସୈନ୍ୟ !

କିବ୍ : ରୁଷ ସୈନ୍ୟମାନେ ୟୁକ୍ରେନରୁ ପ୍ରାୟ ୫ ଲକ୍ଷ ଟନ ଗହମ ଚୋରେଇ ନେଇଥିବା ୟୁକ୍ରେନର ଉପ କୃଷିମନ୍ତ୍ରୀ ଟେରାସ ଭିସୋସ୍କାଏ ଅଭିଯୋଗ କରିଛନ୍ତି । ରୁଷ ସୈନ୍ୟଙ୍କ ଅଧିକୃତ ହୋଇଥିବା ୟୁକ୍ରେନର ଅଂଚଳରୁ ଏସବୁ ଗହମ ଚୋରାଇ ନିଆଯାଇଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ୍ ଏହି ଗହମକୁ ଇଜିପ୍ଟ ଓ ଲେବାନନକୁ ବିକ୍ରି କରିବାକୁ ରୁଷ ଉଦ୍ୟମ କରୁଥିଲା । କିନ୍ତୁ ଉଭୟ ଦେଶ ଏହା କିଣିବାକୁ ମନା କରିଦେଇଥିଲେ । ତେବେ ଏ ସମ୍ପର୍କରେ ରୁଷ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ ଉଭୟ ରୁଷ ଓ ୟୁକ୍ରେନ ହେଉଛନ୍ତି ବିଶ୍ବର ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶ । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ଏହି ଦୁଇ ଦେଶରୁ ଗହମ ରପ୍ତାନି ବ୍ୟାହତ ହୋଇଛି । ଏହା ଦ୍ବାରା ବିଶ୍ବ ବଜାରରେ ଗହମ ଦର ବଢିଯାଇଛି ।

ଅନ୍ୟପକ୍ଷରେ ୟୁକ୍ରେନ ସହର ଲୁହାନସ୍କରେ ଆଜି ଜଣେ ଫରାସୀ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ରୁଷ ବୋମାମାଡ଼ରେ ସେ ପ୍ରାଣହରାଇଥିବା ଫ୍ରାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଜିର ଆଉ ଏକ ଘଟଣାକ୍ରମେ, ୟୁକ୍ରେନକୁ ରୁଷର ଆଭ୍ୟନ୍ତରୀଣ ଅଂଚଳ ପର୍ଯ୍ୟନ୍ତ ପହଞ୍ଚିପାରୁଥିବା ଦୂରଗାମୀ ରକେଟ୍ ସିଷ୍ଟମ ପ୍ରଦାନ କରିବାକୁ ମନା କରିଦେଇଛି ଆମେରିକା । ଏ ସଂପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି । ଆମେରିକାର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ରୁଷ ।

ସମ୍ବନ୍ଧିତ ଖବର