ସମସ୍ୟା ଘେରରେ ବିନ୍ଦୁସାଗର ରୋଡ୍‌‌, ଲୋକ ଅଦାଲତରେ ମାମଲା ରୁଜୁ

ପୁରୁଣା ଭୁବନେଶ୍ବର: ସମସ୍ୟା ଘେରରେ ବିନ୍ଦୁସାଗର ରୋଡ୍‌। କେଉଁଠି ଅଳିଆ ଆବର୍ଜନା ପଡ଼ି ରହି ଦୁର୍ଗନ୍ଧ ହେଉଛି ତ ଆଉ କେଉଁଠି ମୁକୁଳା ଡ୍ରେନ୍ ଦୁର୍ଘଟଣାକୁ ଡାକୁଛି। ତା’ ସାଙ୍ଗକୁ ପୁଣି ରାସ୍ତା ଉପରେ ଷଣ୍ଢଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହା ଟ୍ରାଫିକ ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ତେବେ ଏନେଇ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଏହି ସବୁ ସମସ୍ୟାକୁ ନେଇ ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡା ଲୋକ ଅଦାଲତରେ ବିଏମ୍‌ସି କମିସନର, ଦେବୋତ୍ତର କମିସନର, ତହସିଲଦାର, ସିଟି ହେଲ୍‌ଥ ଅଫିସର ଏବଂ ଉପଜିଲ୍ଲାପାଳଙ୍କ ସମେତ ୧୫ ଜଣଙ୍କ ନାମରେ ୧୩୨/୧୮ ନମ୍ବରରେ ମାମଲା ରୁଜୁ କରିଛନ୍ତି। ଏହା ସହ କ୍ଷତିପୂରଣ ବାବଦକୁ ସେ କୋଟିଏ ଟଙ୍କା ଦାବି କରିଛନ୍ତି। ଏନେଇ ଶ୍ରୀ ପୂଜାପଣ୍ଡା କୁହନ୍ତି, ବିନ୍ଦୁସାଗର ଘାଟ ତୁଠ ନିକଟରୁ କେଦାରଗୌରୀ ଛକ ପର୍ଯ୍ୟନ୍ତ ରାସ୍ତାରେ ବେଆଇନ୍ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍ ଜାମ୍‌ ରହିବା ଯୋଗୁଁ ଲୋକମାନଙ୍କର ଯିବାଆସିବାରେ ବହୁତ ସମୟ ନଷ୍ଟ ହେଉଛି। ସେହିପରି ବାସୁଦେବ ମନ୍ଦିରକୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ମନ୍ଦିର ନିକଟରେ ଆବର୍ଜନା ପଡ଼ି ରହୁଛି। ଯାହା ସ୍ଥାନୀୟ ଅଞ୍ଚଳର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର