ବରମୁଣ୍ଡା-ସିଆରପି ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ଗଦାଗଦା ଅଭିଯୋଗ; କର୍ତୃପକ୍ଷଙ୍କ ନିଦ ଭାଙ୍ଗୁନି

ଭୁବନେଶ୍ୱର : ବରମୁଣ୍ଡା-ସିଆର୍‌ପି ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଥରେ ଲ୍ୟାଣ୍ଡ୍‌ଫୋନ୍‌ କାର୍ଯ୍ୟ କରିବା ବନ୍ଦ ହେଲେ ପୁନଃକାର୍ଯ୍ୟକ୍ଷମ ହେବା ପ୍ରାୟ ଅସମ୍ଭବ ହୋଇପଡ଼ୁଛି। କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାକୁ ଲୋକାଭିମୁଖୀ କରିବାକୁ ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି। ମାତ୍ର ଗ୍ରାହକମାନେ ଏହାର କୌଣସି ସୁଫଳ ପାଉନାହାନ୍ତି। ଖୋଦ୍‌ ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ଅବସ୍ଥା ମଧ୍ୟ ନ କହିବା ଭଲ। ରାଜଧାନୀର ପ୍ରମୁଖ ସ୍ଥାନରେ ମଧ୍ୟ ବର୍ତ୍ତମାନ ବିଏସ୍‌ଏନ୍‌ଏଲ୍‌ ନେଟଓ୍ଵର୍କ ଆସୁନଥିବା ଗଦା ଗଦା ଅଭିଯୋଗ ଆସୁଛି। ଉଦାହରଣ ସ୍ୱରୂପ ବରମୁଣ୍ଡା ବିଏସ୍‌ଏନ୍‌ଏଲ୍‌ ସବ୍‌ଡିଭିଜନ୍‌ କାର୍ଯ୍ୟାଳୟ ଅଧୀନରେ ଥିବା ଲ୍ୟାଣ୍ଡ୍‌ଫୋନ୍‌ ଏବଂ ଇଣ୍ଟରନେଟ୍‌ ଗ୍ରାହକମାନେ ବର୍ଷାଧିକ କାଳ ଧରି ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ସ୍ଥାନୀୟ ଏସ୍‌ଡିଓଙ୍କର ପ୍ରତିକ୍ରିୟା ମଧ୍ୟ ଅସ୍ୱସ୍ତିକର। ଅପ୍ଟିକାଲ୍‌ ଫାଇବର୍‌ ହାଇସ୍ପିଡ୍‍ କନେକ୍ସନ୍‌ ନେଇଥିବା ଗ୍ରାହକମାନେ ଚାରିରୁ ପାଞ୍ଚ ହଜାର ଟଙ୍କା ପଇଠ କରୁଥିଲେ ମଧ୍ୟ ସପ୍ତାହ ସପ୍ତାହ ଧରି ଇଣ୍ଟରନେଟ୍‌ ସେବାରୁ ବଞ୍ଚିତ ହେଉଛନ୍ତି।

ଏହି କାରଣରୁ ରାଜଧାନୀର ଏହି ପ୍ରମୁଖ ଅଞ୍ଚଳରେ ଥିବା ଏକାଧିକ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡ଼ିକରେ ଦୈନିକ କାର୍ଯ୍ୟ ଠପ୍‌ ହୋଇଯାଉଛି। ସେହିପରି ଚନ୍ଦ୍ରଶେଖରପୁର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ଅଧୀନରେ ଥିବା ପ୍ରଗତି ଏନ୍‌କ୍ଲେଭ୍‌ ସମେତ ସ୍ଥାନୀୟ ଅଞ୍ଚଳରେ ଳୋକେ ସମଦଶା ଭୋଗୁଛନ୍ତି। ଏହି ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ଵର୍କ ଯେପରି ସ୍ୱପ୍ନ ହୋଇପଡ଼ୁଛି। ରାଜଧାନୀରେ ଏପରି ଅବସ୍ଥା ଏହି ଅନୁଷ୍ଠାନର ଗ୍ରାହକ ସେବା ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କର ବେପରୁଆ ମନୋଭାବ କାରଣରୁ ଅନେକ ପ୍ରୟାସ ସତ୍ତ୍ୱେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ପୂର୍ବ ଭଳି ସାଧାରଣ ଲୋକଙ୍କର ପ୍ରିୟଭାଜନ ହୋଇ ପାରୁନାହିଁ। ମାତ୍ର ଘରୋଇ ଟେଲିକମ୍‌ କମ୍ପାନିର ଗ୍ରାହକମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଏନେଇ ଓଡ଼ିଶା ଦାୟିତ୍ୱରେ ଥିବା ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର