କ୍ୟାପିଟାଲ ହସ୍ପିଟାଲରେ ବାତ୍ୟା ପ୍ରସ୍ତୁତି ଏମିତି : ଏସ୍‌ଏନ୍‌ସିୟୁ ସିଲିଂ ଖସିଲା, ଅଳ୍ପକେ ବର୍ତିଲେ ନବଜାତକ

ଭୁବନେଶ୍ବର : ଖଣ୍ଡିଆ ଖାବରା ହୋଇ ରୋଗୀ ‌ତଳେ ଗଡ଼ୁଛନ୍ତି। କାହାର ଗୋଡ଼ ଭାଙ୍ଗି ଯାଇଛି ତ ଆଉ କାହାର ବେକ କଟି ଯାଇଛି। ଏଭଳି ଡହଳ ବିକଳ ଅବସ୍ଥାରେ ତଳେ ପଡ଼ିଥିଲେ ହେଁ ତାଙ୍କୁ ସେବା କରିବାକୁ କେହି ନାହାନ୍ତି। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛି।

ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ପ୍ରସ୍ତୁତି କରିଥିଲେ। ସ୍ବାସ୍ଥ୍ୟ ବିଭାଗ ମଧ୍ୟ ତୀକ୍ଷ୍‌ଣ ନଜର ରଖିଥିଲା। ବାତ୍ୟା ପୂର୍ବଦିନ ସ୍ବାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ହସ୍ପିଟାଲରେ ପହଞ୍ଚି ଘନ ଘନ ବୈଠକ କରିଥିଲେ। ହେଲେ ଏସବୁ ପ୍ରସ୍ତୁତି ଏକ ପ୍ରକାର ଫେଲ୍‌ ମାରିଛି। ଅଧା ହସ୍ପିଟାଲରେ ଅନ୍ଧାରରେ ଥିବା ବେଳେ ରୋଗୀଙ୍କୁ ପର୍ଯ୍ୟାପ୍ତ ପାଣି ମିଳୁନାହିଁ। ଉଦ୍‌ବେଗର ବିଷୟ ହେଲା ନବଜାତକଙ୍କ ପାଇଁ ଥିବା ଏସ୍‌ଏନ୍‌ସିୟୁର ସିଲିଂ ଗତକାଲି ଖସି ପଡ଼ିଥିଲା। ତେବେ ସେଠାରେ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନବଜାତକମାନେ ଅଳ୍ପକେ ବର୍ତି ଯାଇଛନ୍ତି। ସେମାନଙ୍କୁ ‘ପିକୁ’କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବାତ୍ୟା ସମୟରେ ଶିଶୁ ୱାର୍ଡର ଏସ୍‌ଏନ୍‌ସିୟୁ ଭିତରକୁ ପବନ ପଶିଯିବା ଫଳରେ ଉପର ସିଲିଂ ସହିତ ଯନ୍ତ୍ରପାତି ଖସିବାକୁ ଆରମ୍ଭ କରିଥିଲା। ଏହି ସମୟରେ ସେଠାରେ ଥିବା ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମଚାରୀ ଆଡମିଟ୍‌ ହୋଇଥିବା ନବଜାତକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଫଳରେ ଏକ ନିଶ୍ଚିତ ଅଘଟଣରୁ ଏହା ରକ୍ଷା ପାଇ ଯାଇଥିଲା। ୮/୧୦ଜଣ ନବଜାତକଙ୍କୁ ତଳ ମହଲାରେ ‘ପିକୁ’କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ତେବେ ଗଣମାଧ୍ୟମରେ ଘନ ଘନ ବାତ୍ୟା ସଂପର୍କରେ ସୂଚନା ଦିଆଯାଉଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷଙ୍କ ଏଭଳି ଖାମଖିଆଲ ଯୋଗୁଁ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପାଣି ପାଇଁ ଡହଳ ବିକଳ

କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ପାଣି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ୱାର୍ଡରେ ଆଡମିଟ୍ ହୋଇଥିବା ରୋଗୀମାନେ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ହସ୍ପିଟାଲ ଭିତରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ଯେଉଁ ସ୍ଥାନରେ ପାଣି ସଂଯୋଗ ହୋଇଛି ସେଠାରେ ରୋଗୀଙ୍କ ଭିଡ଼ ଲାଗୁଛି।
ଜେନେରେଟ୍‌ରେ ପାଣି ପଶିଗଲା

ଗତକାଲି ବାତ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଚାଲିଥିବା ଏକ ଜେନେରେଟରରେ ପାଣି ପଶି ଯାଇଥିଲା। ଏହି ଜେନେରେଟ୍‌ର ଅସ୍ତ୍ରୋପଚାର ଗୃହ ବା ଓଟିକୁ ସଂଯୋଗ କରିଥିବାରୁ ଅସ୍ତ୍ରୋପଚାର ବନ୍ଦ ହୋଇଯାଇଥିଲା। ହସ୍ପିଟାଲରେ ଅନବରତ ବିଦ୍ୟୁତ ସଂଯୋଗ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଏପରିକି ହସ୍ପିଟାଲର ନିଜସ୍ବ ଜେନେରେଟରକୁ ବାଦ୍ ଦେଲେ ବାହାରୁ ଆହୁରି ଜେନେରେଟର ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ବାହାରୁ ୨ଟି ଜେନେରେଟର ଅଣାଯାଇଥିଲେ ହେଁ ତାହା ହସ୍ପିଟାଲ ପାଇଁ ଯଥେଷ୍ଟ ହୋଇନାହିଁ। ଅଧିକାଂଶ ୱାର୍ଡ ଗତକାଲିଠାରୁ ଅନ୍ଧାର ଭିତରେ ରହିଛି। ଏଭଳି ପରିସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥାରେ ସୁଧାର ଆସିବା ପାଇଁ ଆହୁରି ୧/୨ଦିନ ଲାଗିବ ବୋଲି କୁହାଯାଉଛି।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ହସ୍ପିଟାଲ ପରିସରରେ ଅଳିଆ ଆବର୍ଜନା ଓ ପତ୍ର ଭରି ଯାଇଛି। ହେଲେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିଲା। ସଫେଇ କର୍ମଚାରୀଙ୍କ ରହିବା ସ୍ଥାନକୁ ନେଇ ବିବାଦ ଦେଖାଦେବା ପରେ ଗତକାଲି ହସ୍ପିଟାଲରେ ସଫେଇ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ସେମାନେ କାହା କଥା ଶୁଣି ନ ଥିଲେ। ଆଜି ଦ୍ବିପ୍ରହର ସୁଦ୍ଧା ଯଦିଓ ହସ୍ପିଟାଲ ଭିତର ସଫା ହୋଇଛି ମାତ୍ର ଅଳିଆ ଉଠିନାହିଁ। ହସ୍ପିଟାଲ ସାରା ଅଳିଆ ଗଦା ହୋଇ ରହିଛି।

ଖାଇ ପାରିଲେନି ହସ୍ପିଟାଲ କର୍ମଚାରୀ

ବାତ୍ୟା ପାଇଁ ହସ୍ପିଟାଲରେ ଅହରହ କାର୍ଯ୍ୟ କରୁଥିବା ୬ଶହ କର୍ମଚାରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ତେବେ ବିଭିନ୍ନ ୱାର୍ଡରେ କାର୍ଯ୍ୟ କରୁଥିବା କର୍ମଚାରୀ ରାତିରେ ଖାଇ ପାରି ନାହାନ୍ତି। ରୋଗୀଙ୍କ ସେବାରେ ଲାଗିଥିବା ବେଳେ ସେମାନଙ୍କୁ ଖାଇବାକୁ ମିଳି ନ ଥିଲା। ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହଥିବା ଖାଦ୍ୟ କିଏ ଖାଇଲା ତାହାକୁ ନେଇ ହସ୍ପିଟାଲ ମାଟ୍ରନ୍ ବିରକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର