ପଥୋତ୍ସବରେ ପରିବେଶର ବାର୍ତ୍ତା

ଭୁବନେଶ୍ୱର:  ନଷ୍ଟ ହେଉଛି ପରିବେଶ। ମାଡ଼ି ଆସୁଛି ବିପର୍ଯ୍ୟୟ। ଲୋପ ପାଉଛନ୍ତି ବିରଳ ପ୍ରଜାତିର ପ୍ରାଣୀ। ଏହା ପରେ ମଣିଷର ପାଳି। ତା ପୂର୍ବରୁ ସଚେତନ ହେବା ଜରୁରୀ। ଏଭଳି ଏକ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲା ଆଜିର ୮୦ ତମ ପଥୋତ୍ସବ। ଇତିଶ୍ରୀ ଦୀକ୍ଷିତ ଓ ସାଥୀ ରଙ୍ଗୋଲିରେ ସୃଷ୍ଟି କରିଥିଲେ ସଚେତନତା। ଓଡ଼ିଶାରେ ଉପଲବ୍ଧ ଜୈବ ବିବିଧତା ସମେତ ବିପଦରେ ଥିବା ବନ୍ୟପ୍ରାଣୀଙ୍କୁ ନେଇ ସେ ଆଙ୍କିଥିଲେ ରଙ୍ଗୋଲି।

ଗଛ ବନାମ ମଣିଷ

ଗପ ମାଧ୍ୟମରେ ପରିବେଶ ସଚେତନତା ସୃଷ୍ଟି କରିଥିଲେ ପ୍ରାଚୀ ତାରା। ମୁଖ୍ୟମଞ୍ଚରେ ‘କାଠୁରିଆ ଓ ଗଛ’ ଶୀର୍ଷକ କାହାଣୀରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। କାଠୁରିଆ କିଭଳି ନିଜର ଭୁଲ ବୁଝି ପାରି ଆଉ ଗଛ କାଟୁ ନାହିଁ ସେ ନେଇ ଏକ ସୁନ୍ଦର କାହାଣୀ ସେ ଉପସ୍ଥାପନ କରିଛନ୍ତି। ସେହିଭଳି ଗଛକୁ ଭଲ ପାଉଥିବା ‘ଡେଡି ଲୋକୁ’ ବକୁଳ ଲାଇବ୍ରେରି ଷ୍ଟଲରେ ଦେଖାଦେଇଥିଲା। ଗଛ-ମଣିଷ ବେଶରେ ସେ ଲୋକମାନଙ୍କୁ ସଚେତନ କରାଉଥିଲା।

ଓଡ଼ିଶାରେ ଗାନ୍ଧୀ

ଓଡ଼ିଶା ସହ ଗାନ୍ଧୀଜୀଙ୍କର ସମ୍ପର୍କ ସହ ଫଟୋଚିତ୍ରକୁ ନେଇ ହେଲ୍ପମେଟ୍‌ ଆୟୋଜନ କରିଥିଲା ଏକ ପ୍ରଦର୍ଶନୀ। ଲବଣ ସତ୍ୟାଗ୍ରହ ସମେତ ପ୍ରତିଟି ମୁହୂର୍ତ୍ତକୁ ନେଇ ରହିଥିବା ଫଟୋଚିତ୍ର ଏଠାରେ ସ୍ଥାନିତ ହୋଇଥିଲା। କୁନିପିଲା ଗାନ୍ଧୀବେଶରେ ବାଡ଼ି ଧରି ଛିଡ଼ା ହୋଇଥିବା ଦେଖାଯାଇଥିଲା। ଓଡ଼ିଶାକୁ ହୋଇଥିବା ପ୍ରତିଟି ଯାତ୍ରାରେ ଗାନ୍ଧୀ ପରିବେଶର କଥା କହିଥିବାରୁ ଏଭଳି ଆୟୋଜନ ହୋଇଥିଲା।

କୁଇଜ୍‌

କୁନି କୁନି ପିଲାଙ୍କ ମଧ୍ୟରେ ପରିବେଶ ପ୍ରତି କେତେ ଜ୍ଞାନ ରହିଛି ତାହା ପରୀକ୍ଷା କରିଥିଲା ପିଇସିୟୁସି। ଓଡ଼ିଶାକୁ ଅତୁଲ୍ୟ ଭାରତର ଆତ୍ମା ବୋଲି ତୁଳନା କରି ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି କରିବାକୁ ସଂସ୍ଥା ଉଦ୍ୟମ କରିଥିଲା।

କର୍‌ ଚଲେଁ ହମ୍‌ ଫିଦା

ପୁଲୱାମା ଆକ୍ରମଣରେ ସହିଦ୍‌ଙ୍କୁ ଆଜି ଏହି ଏକାଦଶାହରେ ମନେ ପକାଇଛି ପଥୋତ୍ସବ। ‘କର୍‌ ଚଲେଁ ହମ୍‌ ଫିଦା ଜାନ୍‌ ୱତନ୍‌ ସାଥିୟୋଁ’ ଭଳି ଦେଶାତ୍ମବୋଧକ ସଙ୍ଗୀତ ମୁଖ୍ୟ ମଞ୍ଚରୁ ଭାସି ଆସୁଥିଲା। ସ୍ମୃତିମୟୀ ଏଭଳି ଗୀତ ସହ ‘ମିଲେ ହୋ ତୁମ୍‌ ହମ୍‌କୋ, ମାହି ବେ, ମେରେ ରସ୍‌କେ କମର, ବୋଲ ଦୋ ନା ଜରା.. ଭଳି ଲୋକ ପ୍ରିୟ ଗୀତ ଭେଟି ଦେଇଥିଲେ ‘ଆମେ କଳାକାର’ର କଣ୍ଠଶିଳ୍ପୀବୃନ୍ଦ।

ସମ୍ବନ୍ଧିତ ଖବର