ବିଜେପି ପଦଯାତ୍ରା ବେଳେ ଗଣ୍ଡଗୋଳ

ଭୁବନେଶ୍ବର: ଆଜି ନୂଆପଲ୍ଲୀସ୍ଥିତ ୱାର୍ଡ-୩୭ରେ ବିଜେପିର ଲୋକସମ୍ପର୍କ ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ପଦଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ବିଜେପି କର୍ମୀମାନେ ଗଣ୍ଡଗୋଳ କରିଛନ୍ତି। ଏଥିରେ ଉମେଶ ଖଣ୍ଡେଲୱାଲଙ୍କ ଗାଡ଼ିର କିଛି ଅଂଶ ଭାଙ୍ଗିଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଲ୍ଲୀ ମଣ୍ଡଳରେ ୟୁରେକା କ୍ଲବଠାରୁ ଭୋଇ ସାହି ପର୍ଯ୍ୟନ୍ତ ପଦଯାତ୍ରା ଯିବାର ଥିଲା। ବିଜେପି ‌ନେତା ଜଗନ୍ନାଥ ପ୍ରଧାନ ଓ ନୂଆପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା ନିଜ ସମର୍ଥକଙ୍କ ସହ ଯାଇଥିଲେ। ଏହି ସମୟରେ ଶ୍ରୀ ଖଣ୍ଡେଲୱାଲ ଓ ତାଙ୍କ ସମର୍ଥକମାନେ ମଧ୍ୟ ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। ପୂର୍ବରୁ ଶ୍ରୀ ପ୍ରଧାନ ଓ ଶ୍ରୀ ଖଣ୍ଡେଲୱାଲଙ୍କ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଥିବାରୁ ଉଭୟ ପରୋକ୍ଷରେ ପରସ୍ପରକୁ ବିରୋଧ କରିଥିଲେ। ଏହାପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଶ୍ରୀ ଖଣ୍ଡେଲୱାଲଙ୍କ ଗାଡ଼ିର ମିରର୍‌ ଭାଙ୍ଗି ଯାଇଥିଲା। ଶେଷରେ ସାଂସଦଙ୍କ ପଦଯାତ୍ରାରେ କେହି ସାମିଲ୍ ହୋଇନଥିଲେ। ମଣ୍ଡଳ ସଭାପତିଙ୍କୁ ଧରି ସାଂସଦ ପଦଯାତ୍ରା କରିଥିଲେ। ଅପରପକ୍ଷେ ଗୁରୁବାର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭରତପୁର ଅଞ୍ଚଳରେ ପଦଯାତ୍ରା କରିବାକୁ ଥିବାବେଳେ ବିଜେପି ନେତା ଦିଲ୍ଲୀପ ମହାନ୍ତି ତାଙ୍କୁ ବିରୋଧ କରିଛନ୍ତି। ବିଭିନ୍ନ ସ୍ଥାନରେ ଗୋ ବ୍ୟାକ୍‌ ଏମ୍‌ପି ପୋଷ୍ଟର ମାରିଛନ୍ତି। ଯାହାକୁ ନେଇ ଅପରାଜିତା ଓ ଦିଲ୍ଲୀପଙ୍କ ସମର୍ଥକମାନେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଗାଳିଗୁଲଜ କରୁଛନ୍ତି।

ସମ୍ବନ୍ଧିତ ଖବର