ପାନ୍‌କାର୍ଡ ଅପଡେଟ୍‌ ନାଁରେ ଲକ୍ଷେ ଟଙ୍କା ଠକେଇ

୭୨ ଘଣ୍ଟାରେ ଫେରି ପାଇଲେ ଟଙ୍କା

ଭୁବନେଶ୍ବର: ପାନ୍‌କାର୍ଡ ଅପଡେଟ୍‌ କରିବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଲୁଟ୍‌ ହୋଇଥିବା ଲକ୍ଷେ ଟଙ୍କାକୁ ସାଇବର୍‌ ଥାନା ପୁଲିସ୍‌ ମାତ୍ର ୭୨ଘଣ୍ଟା ଭିତରେ ଠକ ଆକାଉଣ୍ଟରୁ ଫେରାଇ ଆଣିଛି। ସୂଚନା ମୁତାବକ, ଗତ ୧୮ ତାରିଖ ଦିନ ପୁରୁଣା ଭୁବନେଶ୍ବର ଅଞ୍ଚଳର ବିଷ୍ଣୁଚରଣ ପାଢ଼ୀଙ୍କ ମୋବାଇଲ୍‌କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ସାଇବର ଲୁଟେରା ତାଙ୍କୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ପାନ୍‌କାର୍ଡ ଅପ୍‌ଡେଟ୍‌ କରିବାକୁ କହିଥିଲା। ନଚେତ୍‌ ତାଙ୍କ ଆକାଉଣ୍ଟ ଅଚଳ ହୋଇଯିବ ବୋଲି ଡରାଇଥିଲା।

ତେଣୁ ବିଷ୍ଣୁ ତା’ କଥାରେ ରାଜି ହୋଇ ତାଙ୍କ ଫୋନ୍‌କୁ ଆସିଥିବା ଓଟିପିକୁ ଠକକୁ ଦେଇ ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଷ୍ଣୁଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା କଟି ଯାଇଥିଲା। ଏହା ସାଇବର୍‌ ଠକର କରାମତି ଜାଣିବା ପରେ ସେ ତୁରନ୍ତ ସାଇବର ଥାନାକୁ ଫୋନ୍‌ କରି ଅଭିଯୋଗ କରିଥିଲେ। ସାଇବର୍‌ ପୁଲିସ ବ୍ୟାଙ୍କ ସହ ଯୋଗାଯୋଗ କରି ଠକର ଆକାଉଣ୍ଟକୁ ଅଚଳ କରି ଦେଇଥିଲା। ୭୨ଘଣ୍ଟା ପରେ ପୁଲିସ ସମସ୍ତ ଲୁଟ୍‌ ଟଙ୍କାକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର