ଅଧାପନ୍ତରିଆ ବିକାଶ: ଆବାସ ଅପେକ୍ଷାରେ ବହୁ ହିତାଧିକାରୀ

ଜଟଣୀ ପୌରପାଳିକା ୱାର୍ଡ ନମ୍ବର-୯

ଜଟଣୀ: ଜଟଣୀ ପୌରପାଳିକାର ୯ନମ୍ବର ୱାର୍ଡ ଏକ ପ୍ରମୁଖ ଅଞ୍ଚଳ। ଏହି ୱାର୍ଡ ଅଧୀନରେ ରାମଚନ୍ଦ୍ରପୁର, ଗାନ୍ଧୀନଗର, ବିଷବଇଶି, କୃପାସିନ୍ଧୁବିହାର, ନୂଆସାହି, ବିଜୁ ଆଦର୍ଶ କଲୋନି, ଷଣ୍ଡପୁର ଗାଁ, ଜଗନ୍ନାଥବିହାର, ଏମ୍‌ସିସି-୧, ଏମ୍‌ସିସି-୨, ଗୋଶାଳା, ଆଦର୍ଶ କଲୋନି ଭଳି ମୁଖ୍ୟ ଅଞ୍ଚଳ ରହିଛି। ପୌରପାଳିକା ନିର୍ବାଚନକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ବହୁ ମୌଳିକ ସମସ୍ୟା ସେମିତି ଅସମାହିତ ହୋଇରହିଛି। ବିକାଶମୂଳକ କାମ ଅଧାପନ୍ତରିଆ ହୋଇରହିଛି। ଏହି ଅଞ୍ଚଳର ମୁଖ୍ୟ ସମସ୍ୟା ହେଉଛି ଡ୍ରେନ୍‌। ବହୁ ରାସ୍ତା କଡ଼ରେ ଡ୍ରେନ୍‌ ନ ଥିବାରୁ ନଳା ପାଣି ରାସ୍ତାରେ ଭାସୁଛି। ଏବେ ବି ଏହି ୱାର୍ଡରେ ବହୁ କଚା ରାସ୍ତା ରହିଛି। ବର୍ଷା ଦିନେ ମୋରମ୍‌ ରାସ୍ତାରେ ଲୋକେ କାଦୁଅରେ ଯାତାୟାତ କରୁଛନ୍ତି। ଏହି ୱାର୍ଡରେ ଶ୍ମଶାନ ନାହିଁ। ତେଣୁ ବର୍ଷାଦିନେ ଏଥିପାଇଁ ଜଟିଳ ସମସ୍ୟା ସୃଷ୍ଟି ହେଉଛି। ଗାନ୍ଧୀନଗରର ପୋଖରୀ ପୁନରୁଦ୍ଧାର କ‌ାମ ହୋଇପାରିନି। ଷଣ୍ଢପୁର ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବେଶ୍‌ ଦୁର୍ବଳ। ଶିକ୍ଷକ ଅଭାବ ସାଙ୍ଗକୁ ବିଦ୍ୟାଳୟର ପାଚେରି ନଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍‌ଷ୍ଟାଣ୍ଡ ନିକଟରେ ଉଠାଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ସେମାନଙ୍କୁ ବଣ୍ଟନ କରାଯାଉନାହିଁ। ୫୦ଟି ଦୋକାନ ଘର ନିର୍ମାଣ ହେବା ଦିନଠୁ ବନ୍ଦ ହୋଇପଡ଼ି ରହିଛି। ଫଳରେ ବେପାରୀମାନେ ରାସ୍ତା କଡ଼ରେ ବସି ବ୍ୟବସାୟ କରୁଛନ୍ତି। ଏହି ୱାର୍ଡ ପାଇଁ ଏକ କଲ୍ୟାଣ ମଣ୍ଡପ ଦରକାର ବୋଲି ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ଗରିବ ଲୋକଙ୍କୁ ଆବାସ ଯୋଜନା‌ରେ ଘର ମିଳୁନଥିବାରୁ ସେମାନେ ଏବେ ବି ମାଟି କାନ୍ଥ ଓ ଜରି ପାଲ ଛପର ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ଏହି ଅଞ୍ଚଳର ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ଗୃହ ନଥିବା ବେଳେ ସବୁ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ ବୋଲି ଅଭିଯୋଗ ହୋଇଛି।

ବିକାଶମୂଳକ କାର୍ଯ୍ୟ ଜାରି ରହିଛି
ମୋର ଏହି ୱାର୍ଡରେ ପାନୀୟ ଜଳ ଯୋଗାଣ ସମସ୍ୟା ସୁଧୁରିଯାଇଛି। ମୁକ୍ତା ଯୋଜନାରେ ଲୋକଙ୍କ ପାଇଁ ୩ଟି ମୁକ୍ତାକାଶ ବ୍ୟାୟାମଶାଳା (ଷଣ୍ଢପୁର ସ୍କୁଲ, ଗାନ୍ଧୀନଗର, ନୂଆସାହି)ରେ ନିର୍ମାଣ କରାଯାଇଛି। ସେହିପରି ଏହି ୱାର୍ଡର ୫ଟି ରାସ୍ତା ନିର୍ମାଣ ପାଇଁ ୪୨ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି ଏବଂ ଦୁଇ ସପ୍ତାହ ଭିତରେ କାମ ଆରମ୍ଭ ହୋଇଯିବ। ପୁଣି ମୁକ୍ତା ଯୋଜନାରେ ୭୫ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ବନ୍ଦ ହୋଇପଡ଼ି ରହିଥିବା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ, ବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ୩୦ ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ବସ୍‌ଷ୍ଟାଣ୍ତ ନିକଟସ୍ଥ ଭେଣ୍ଡିଂ ଜୋନ୍‌ରେ ଦୋକାନ ଘର ବଣ୍ଟନ ହୋଇଥିବା ବେଳେ ବେପାରୀମାନେ ଦୋକାନ ଖୋଲୁନାହାନ୍ତି ବୋଲି ସେ କହିଛନ୍ତି।
ଆରତି ରାଉତ, କାଉନ୍‌ସିଲର

ସମ୍ବନ୍ଧିତ ଖବର