ନନ୍ଦନକାନନରେ ୩୦ ହଜାର ପର୍ଯ୍ୟଟକ ଗୁଳୁଗୁଳିରେ ୩ ଅସୁସ୍ଥ

ବାରଙ୍ଗ: ଗୁରୁବାର ରଜ ପର୍ବର ତୃତୀୟ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରବଳ ଭିଡ଼ ହୋଇଥିଲା। ମୁଣ୍ଡଫଟା ଖରା ଓ ପ୍ରବଳ ଗୁଳୁଗୁଳି ସତ୍ତ୍ବେ ଏଠାକୁ ୩୦ ହଜାର ପର୍ଯ୍ୟଟକ ଆସିଥିଲେ। ଟାଣ ଖରା ଓ ଗୁଳୁଗୁଳି କାରଣରୁ ୩ ଜଣ ପର୍ଯ୍ୟଟକ ଅସୁସ୍ଥ ହୋଇପଡ଼ିଥିଲେ ଓ ଅସ୍ଥାୟୀ ଚିକିତ୍ସା ଶିବିରରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ସୁସ୍ଥ କରାଯାଇଥିଲା।

ସୂଚନାନୁସାରେ ଆଜି ଅଫ୍‌ଲାଇନ୍‌ରେ ୨୯,୮୧୭ ଓ ଅନ୍‌ଲାଇନ୍‌ରେ ୮୧୧ ଟିକେଟ୍‌ ଏମିତି ମୋଟ ୩୦ ହଜାର ୫ ଟିକେଟ୍‌ ବିକ୍ରି ହୋଇଥିଲା। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୮୦୧ ପର୍ଯ୍ୟଟକ ଆସିଥିବା ଟିକେଟ୍‌ ବିକ୍ରିରୁ ଜଣାପଡ଼ିଛି। ରଜ ତିନି ଦିନରେ ମୋଟ୍ ୮୫ ହଜାର ୯୪୮ ପର୍ଯ୍ୟଟକ ନନ୍ଦନକାନନ ବୁଲି ଆସିଥିଲେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଜି ଜଣେ ବଙ୍ଗୀୟ ବୃଦ୍ଧା ଗୁଳୁଗୁଳି ଯୋଗୁଁ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଅସ୍ଥାୟୀ ଶିବିରରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ତେବେ ତାଙ୍କ ଅସୁସ୍ଥତା କାରଣରୁ ପରିବାର ଲୋକେ ନନ୍ଦନକାନନ ଅଧା ବୁଲି ଫେରିବାକୁ ବାଧ୍ୟ ହୋଇଥିଲେ। ଅନୁରୂପ ଭାବେ ଆଜି ଆଉ ଦୁଇ ଜଣ ବୃଦ୍ଧ ଅଚେତ ହୋଇପଡ଼ିଥିଲେ ଓ ତୁରନ୍ତ ଚିକିତ୍ସା ସେବା ପାଇବା ପରେ ସୁସ୍ଥ ହୋଇ ଫେରିଥିଲେ।

ସମ୍ବନ୍ଧିତ ଖବର