ବିଦ୍ୟୁତ ସେବାକୁ ନେଇ ବଢ଼ୁଛି ଅସନ୍ତୋଷ, କମ୍‌ ଅଞ୍ଚଳରେ ଲାଇନ୍ ଆସିଲା, ବହୁ ଅଞ୍ଚଳ ଅନ୍ଧାର

ଭୁବନେଶ୍ବର: ସେସୁ କର୍ତ୍ତୃପକ୍ଷ ଯେଉଁଠି ବିଦ୍ୟୁତ ସଂଯୋଗ ଦେବେ ବୋଲି କହୁଛନ୍ତି ସେଠାରେ ଦେଇପାରୁନାହାନ୍ତି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି। ଆଜି ପାୱାର ହାଉସ୍ ଛକରେ ଥିବା ନିୟନ୍ତ୍ରଣ କକ୍ଷ, ରସୁଲଗଡ଼ ଡିଭିଜନ ଅଫିସ୍‌ରେ ଲୋକ ଅଫିସ ଘେରାଉ କରିବା ସହ ହୋହଲ୍ଲା କରିଥିଲେ। ପ୍ରଥମେ ଆଇଏଏସ୍‌ ଅଫିସରମାନଙ୍କ ଘରେ ସଂଯୋଗ ଦିଆଯାଇଥିବାରୁ ଲୋକମାନେ ତାତିଗଲେଣି। ତୁରନ୍ତ ଆମକୁ ଦିଅ ବୋଲି ଦାବି କରି ଆଜି ଶତାଧିକ ଲୋକ ପାୱାର ହାଉସ୍ ଛକ ସ୍ଥିତ ନିୟନ୍ତ୍ରଣ କକ୍ଷ ନିକଟରେ ହୋ ହଲ୍ଲା କରିଛନ୍ତି। ଏପରିକି ସେମାନେ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ଘରୁ ବିଦ୍ୟୁତ୍‌ ସଂଯୋଗ କାଟି ଦେବା ପାଇଁ ଦାବି କରିଛନ୍ତି। ସେହିଭଳି ରସୁଲଗଡ଼ ଡିଭିଜନ୍‌ ଅଫିସ୍‌ରେ ‌କିଛି ଉପଭୋକ୍ତା ଅଭି‌ଯୋଗ କରିଥିଲେ ଯେ ସେମାନେ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ବିଦ୍ୟୁତ ସଂଯୋଗ ଦିଆନଯାଇ ଅନ୍ୟ ଅଞ୍ଚଳକୁ ଦିଆଯାଇଛି। ଫଳରେ ଶହେରୁ ଊର୍ଦ୍ଧ୍ବ ଲୋକ ଡିଭିଜନ୍‌ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ।

ବିଦ୍ୟୁତ ବିଭାଗ ଦେଇଥିବା ସୂଚନା ମୁତାବକ ୮ ତାରିଖ ସୁଦ୍ଧା ଭୁବନେଶ୍ବର ସିଟି ଡିଭିଜନ୍‌-୧ ଅଧୀନରେ ୟୁନିଟ୍‌-୩, ୪, ୬ ଓ ୮, ୟୁନିଟ୍‌- ୨ ଇ-ହାଉସ୍‌, ଏୟାରପୋର୍ଟ, ଗ୍ରିଡ୍‌କୋ କଲୋନି, ଡେଲ୍ଟା, ସହିଦ ନଗର, ଓ ସତ୍ୟନଗର ପ୍ରଭୃତି ସବ୍‌ଷ୍ଟେସନଗୁଡ଼ିକୁ ୩୩ ଏବଂ ୧୧ କେଭି ବିଦ୍ୟୁତ ଲାଇନ୍ ଚାର୍ଜ କରିଛି। ସେହିଭଳି ଭୁବନେଶ୍ବର ସିଟି ଡିଭିଜନ୍‌-୨ ଅଧୀନରେ ନୂଆପଲ୍ଲୀ, ବରମୁଣ୍ଡା, ଭରତପୁର, ଗୋଠପାଟଣା, କଳିଙ୍ଗ ନଗର, ଡୁମୁଡ଼ୁମା, ରଣସିଂହପୁର, ଜାଭିୟର, ସୈନିକ ସ୍କୁଲ, ବାଣୀବିହାର, ଚନ୍ଦ୍ରଶେଖରପୁର୧ ଓ ୨, ଆର୍‌ଆର୍‌ଏଲ୍‌, ଇଏସ୍‌ଆଇସି, ଇନ୍‌ଫୋସିଟି, କାନନ ବିହାର, କଳାରାହାଙ୍ଗ, ଖଣ୍ଡଗିରି, ଗୋଡ଼ିସାହି, ବାରଙ୍ଗ, ନୂଆ ବାରଙ୍ଗ ସବ୍‌ଷ୍ଟେସନଗୁଡ଼ିକୁ ଚାର୍ଜ କରାଯାଇଛି। ସେହିଭଳି ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ ଅଧୀନରେ ବରଗଡ଼, ଭୀମଟାଙ୍ଗି, ରସୁଲଗଡ଼, ଲକ୍ଷ୍ମୀସାଗର, ନହରକଣ୍ଟା, କେସୁରା, ଉତ୍ତରା, ନଖରା, ମଞ୍ଚେଶ୍ବର, କଳ୍ପନା ଇ-ହାଉସ୍‌, ଭିଙ୍ଗାରପୁର ସବ୍‌ଷ୍ଟେସନ୍‌ ଚାର୍ଜ କରାଯାଇଛି। କିନ୍ତୁ ବଡ଼କଥା ହେଉଛି ଏହି ସବୁ ଅଞ୍ଚଳରେ ଏଲ୍‌ଟି ଲାଇନ୍‌ କାମ ହୋଇ ନାହିଁ। ଯେଉଁଠି ଭଲ ଅଛି ସେଠାରେ କେବଳ ଟେଷ୍ଟ ପରେ ସଂଯୋଗ ଦିଆଯାଇଛି। ଯେଉଁଠି ଖୁଣ୍ଟ ଉପୁଡ଼ିଛି କି ତାର ଛିଣ୍ଡିଛି ସେଠାରେ ବିଦ୍ୟୁତ ସଂଯୋଗ ଦିଆଯାଇନି। ଫଳରେ ଏହି ସବୁ ଅଞ୍ଚଳରେ ଏବେ ଅସନ୍ତୋଷର ନିଆଁ କୁହୁଳୁଛି।

ସମ୍ବନ୍ଧିତ ଖବର