ରଙ୍ଗମାଟିଆ ବସ୍ତିପୁଞ୍ଜ ପ୍ରକଳ୍ପ ପାଇଁ ବିଏମ୍‌ସି ସରକାରଙ୍କ ଅନୁମତି ଆଣିଛି

ଅଡିଟ୍‌ ସମୟରେ ସମସ୍ତ ତଥ୍ୟ ଦିଆଯାଇଛି

ଭୁବନେଶ୍ୱର : ରାଜୀବ ଆବାସ ଯୋଜନାରେ ଗାଡ଼କଣରେ ନିର୍ମାଣ ହୋଇଥିବା ରଙ୍ଗମାଟିଆ ବସ୍ତି ପୁଞ୍ଜରେ କୌଣସି ଆର୍ଥିକ ହେରଫେର ହୋଇନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ରଙ୍ଗମାଟିଆ ବସ୍ତି ପୁଞ୍ଜରେ ମୂଳ ପ୍ରକଳ୍ପ ୪୪. ୭୬ କୋଟି ଟଙ୍କା ଥିଲା ଓ ଏହି ପ୍ରକଳ୍ପ ରଙ୍ଗମାଟିଆ ଗ୍ରାମରେ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ରଙ୍ଗମାଟିଆ ଗ୍ରାମବାସୀ ଏହି ପ୍ରକଳ୍ପ ନିର୍ମାଣକୁ ବିରୋଧ କରିବାରୁ ପ୍ରକଳ୍ପ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା। ଏହି ପ୍ରକଳ୍ପ ହୋଇପାରୁ ନଥିବାରୁ ସରକାର ରଙ୍ଗମାଟିଆ ମୌଜାର ଗାଡ଼କଣରେ ୨୦୧୩ରେ ୫ଏକର ଜମି ଯୋଗାଇ ଦେଇଥିଲେ। ଏହି ଜମି ମିଳିବା ପରେ ବିଏମ୍‌ସି ଏନ୍‌ବିସିସି ସହ ଗାଡ଼କଣଠାରେ ଗୃହ ପ୍ରକଳ୍ପ ନିର୍ମାଣ ପ୍ରକଳ୍ପ ନିମନ୍ତେ ଚୁକ୍ତି ସ୍ୱାକ୍ଷର କରିଥିଲା। ଏନ୍‌ବିସିସି ସହ ଚୁକ୍ତିପତ୍ର କରିବା ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ଅର୍ଥ ବିଭାଗ ଓ ଆଇନ ବିଭାଗ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଶେଷ କରାଯାଇ ୨୦୧୪ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ୨୦୧୧ରେ ରଙ୍ଗମାଟିଆ ବସ୍ତିପୁଞ୍ଜରେ ମୂଳ ପ୍ରକଳ୍ପ ୪୪.୭୬କୋଟି ଥିବାବେଳେ ଏହି କାର୍ଯ୍ୟ ୨୦୧୪ରେ ଆରମ୍ଭ ହେବାରୁ ଏହାର ମୂଳ ପ୍ରକଳ୍ପ ୨୦୧୩-୧୪ ଅନୁଯାୟୀ ବର୍ଦ୍ଧିତ କରିବାକୁ ଆବଶ୍ୟକ ପଡ଼ିଲା । ଏଥି ନିମନ୍ତେ ଆବଶ୍ୟକ ଥିବା ବର୍ଦ୍ଧିତ ପ୍ରକଳ୍ପ ମୂଲ୍ୟ ନଗର ଉନ୍ନୟନ ଯୋଗାଇ ଦେବ ବୋଲି ଅଗଷ୍ଟ ୧୬, ୨୦୧୩ରେ ବସିଥିବା ବୈଠକରେ ସ୍ଥିର ହୋଇଥିଲା। ସେହି ଅନୁସାରେ ୬୬.୨୦ କୋଟି ଟଙ୍କାର ସଂଶୋଧିିତ ଡିପିଆର ପ୍ରସ୍ତୁତ କରାଯାଇଥିଲା। ଏହାକୁ ବିଏମ୍‌ସି ୨୮.୨.୨୦୧୭ ରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁମୋଦନ ନିମନ୍ତେ ପଠାଇଥିଲା। ଏହି ବର୍ଦ୍ଧିତ ମୂଲ୍ୟର ପ୍ରକଳ୍ପକୁ ବିଏମ୍‌ସି କମିସନର ଅନୁମୋଦନ କରିନାହାନ୍ତି। ନଗର ଉନ୍ନୟନ ବିଭାଗ ୨୨.୦୮.୧୭ରେ ପ୍ରକଳ୍ପର ବର୍ଦ୍ଧିତ ମୂଲ୍ୟ ୨୧,୦୪,୫୪,୦୦୦ ଟଙ୍କା ଦେଇଥିଲେ। ଏହି ବର୍ଦ୍ଧିତ ପ୍ରକଳ୍ପର ମୂଲ୍ୟ ୨୫. ୧୬ କୋଟି ନୁହେଁ ୨୧.୦୪ କୋଟି ବୋଲି କୁହାଯାଇଛି। ଏହାକୁ ନଗର ଉନ୍ନୟନ ବିଭାଗ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଏହି ଟଙ୍କା ନିତ୍ୟାନ୍ତ ଆବଶ୍ୟକ ଥିଲା। ଏନ୍‌ବିସିସି ସହ ଚୁକ୍ତି ସ୍ୱାକ୍ଷର କରିବା ନିମନ୍ତେ ନଗର ଉନ୍ନୟନ ବିଭାଗର ସମ୍ମତିି ପାଇବା ପରେ ବିଏମ୍‌ସି ଚୁକ୍ତି ସ୍ୱାକ୍ଷର କରିଥିଲା। ତେଣୁ ଏହି ଚୁକ୍ତି ପତ୍ର କରିବାରେ ବିଏମ୍‌ସି କୌଣସି ବିଳମ୍ବ କରିନାହିଁ। ସିଏଜି ତାଙ୍କ ରିପୋର୍ଟରେ ଏଥିପାଇଁ ବିଏମ୍‌ସି କମିସନରଙ୍କୁ ଦାୟୀ କରିଥିଲେ ହେଁ ପ୍ରକୃତରେ ସମସ୍ତ ନିଷ୍ପତ୍ତି ନଗର ଉନ୍ନୟନ ବିଭାଗ ନେଇଛି।

୬୬.୨୦କୋଟି ଟଙ୍କାର ରଙ୍ଗମାଟିଆ ପ୍ରକଳ୍ପ ୩ ଭାଗରେ ବିଭକ୍ତ ଯଥା ଗାଡ଼କଣଠାରେ ୬୦୦ ଗୃହ ନିର୍ମାଣ ଓ ଭିତ୍ତିଭୂମି ନିର୍ମାଣ, ରଙ୍ଗମାଟିଆ ଗ୍ରାମର ଭିତ୍ତିଭୂମି ବିକାଶ ଓ ଟ୍ରାଞ୍ଜିଟ ହାଉସ ନିର୍ମାଣ। ଏନ୍‌ବିସିସିକୁ କେବଳ ଗାଡ଼କଣଠାରେ ଥିବା ୬୦୦ ଗୃହ ନିର୍ମାଣ ଓ ଭିତ୍ତିଭୂମିର ବିକାଶର ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ ଏନ୍‌ବିସିସି ୩୭.୯୮ କୋଟି ଟଙ୍କା ଅଟକଳ ପ୍ରସ୍ତୁତ କରିଥିଲା। ଏନ୍‌ବିସିସି ଏହି ମୂଲ୍ୟର ୯୦ ଭାଗ ଯଥା ୩୪.୧୮ କୋଟି ଟଙ୍କା ଟେଣ୍ଡର ଆହ୍ଵାନ କରିଥିଲେ ଏବଂ ଟେଣ୍ଡର ପ୍ରିିମିୟମ ସହିତ ୩୯.୯୯ କୋଟି ଟଙ୍କାର କାର୍ଯ୍ୟଦେଶ ଦେଇଥିଲେ। ଏହି ଟଙ୍କା ପ୍ରକଳ୍ପ ମୂଲ୍ୟଠାରୁ ୫.୩୦ ଭାଗ ଅଧିକ। ଏ ସଂକ୍ରାନ୍ତରେ ବିଏମ୍‌ସି ଏଜିଙ୍କୁ ଅବଗତ କରିଛି। ରଙ୍ଗମାଟିଆ ଆଖପାଖ ବସ୍ତିଗୁଡ଼ିକର ଭବିଷ୍ୟତରେ ଇନ୍‌ ସିଟୁ ଡେଭଲପ୍‌ମେଣ୍ଟ କରାଗଲେ ସେମାନଙ୍କର ଅସ୍ଥାୟୀ ଥଇଥାନ ପାଇଁ ଟ୍ରାଞ୍ଜିଟ ହାଉସରେ ଯୋଜନା କରାଯାଇଥିଲା। କିନ୍ତୁ ଟ୍ରାଞ୍ଜିଟ ହାଉସର ନିର୍ମାଣ ନିମନ୍ତେ ଏପର୍ଯ୍ୟନ୍ତ କୌଣସି ଅର୍ଥ ଖର୍ଚ୍ଚ କରାଯାଇ ନାହିଁ। ରଙ୍ଗମାଟିଆରୁ କେବଳ ଗୃହ ନିର୍ମାଣ ପ୍ରକଳ୍ପ ଗାଡ଼କଣକୁ ସ୍ଥାନାନ୍ତରିତ ହୋଇଥିଲା। ରଙ୍ଗମାଟିଆ ଗ୍ରାମର ଭିତ୍ତିଭୂମି ବିକାଶ ମୂଳ ଡିପିଆରର ଏକ ଅଂଶ ହୋଇଥିବାରୁ ଏବଂ କାୟାମ ଥିବାରୁ ଏଥି ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଅଣ ଫଳପ୍ରଦ ନୁହେଁ ଓ ଏହାର ଆବଶ୍ୟକତା ଥିଲା।

ସମ୍ବନ୍ଧିତ ଖବର