ଦୋକାନ ଭଙ୍ଗା ଅଭିଯାନ ବନ୍ଦ ନହେଲେ ଆନ୍ଦୋଳନ

ଉଠାଦୋକାନୀ ବ୍ୟବସାୟୀ ସଂଘର ଚେତାବନୀ

ଭୁବନେଶ୍ୱର : ଭୁବେନଶ୍ୱରରେ ଉଠା ଦୋକାନୀମାନଙ୍କର ସର୍ବେକ୍ଷଣ ଶେଷ କରି ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଉ। ଟାଉନ ଭେଣ୍ଡିଂ କମିଟି ବୈଠକ ଡାକି ଉପଯୁକ୍ତ ଥଇଥାନ ଓ ଦୋକାନ ଭଙ୍ଗା ଅଭିଯାନକୁ ବନ୍ଦ କରାଯାଉ। ନଚେତ୍‌ ଉଠା ଦୋକାନୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହିତ ବିଏମ୍‌ସି କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ଚେତାବନୀ ଦେଇଛି ଭୁବନେଶ୍ୱର ଉଠାଦୋକାନୀ ବ୍ୟବସାୟୀ ସଂଘ।

ଆଜି ସଂଘ ପକ୍ଷରୁ ଭଗବତୀ ଭବନରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ସୁର ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ କୁହାଯାଇଥିଲା ଯେ, ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଉଠା ଦୋକାନୀଙ୍କୁ ଥଇଥାନ ବିନା ଉଚ୍ଛେଦ ନ କରିବାକୁ ସଂସଦରେ ଆଇନ ପ୍ରଣିତ ହୋଇଛି। ଏହି ଆଇନ ଅନୁଯାୟୀ ସହରରେ ଉଠା ଦୋକାନୀମାନଙ୍କର ସଂପୂର୍ଣ୍ଣ ସର୍ବେକ୍ଷଣ, ସର୍ବେକ୍ଷଣ ଭିତ୍ତିରେ ପଞ୍ଜୀକରଣ କୁପନ ଓ ପରିଚୟପତ୍ର ପ୍ରଦାନ କରାଯାଇ ଟାଉନ ଭେଣ୍ଡିଂ କମିଟି ଜରିଆରେ ଥଇଥାନ କରାଯିବା କଥା। ମାତ୍ର ରାଜଧାନୀରେ ସବୁ ଅଞ୍ଚଳ ଏ ପର୍ଯ୍ୟନ୍ତ ସର୍ବେକ୍ଷଣ ହୋଇନାହିଁ। ଟାଉନ ଭେଣ୍ଡିଂ କମିଟି ବୈଠକ ନ ଡାକି ସ୍ମାର୍ଟ ସିଟି ନାଁରେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ତେଣୁ ଏହି ଦୋକାନ ଭଙ୍ଗା ଅଭିଯାନକୁ ବନ୍ଦ କରି ତୁରନ୍ତ ୧୫ଦିନ ମଧ୍ୟରେ ଟାଉନ ଭେଣ୍ଡିଂ କମିଟି ବୈଠକ ଡାକିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର