ଫେରିଲେ ମହାପ୍ରଭୁ, ଅଟକି ଯାଆନ୍ତା କି ନନ୍ଦିଘୋଷ…

ଝୁରୁଛି ଜନ୍ମବେଦୀ। ଗୁମୁରୁଛି ରଥଦାଣ୍ଡ। ନବ ଦିନାତ୍ମକ ଲୀଳା ଲଗେଇ ପ୍ରଭୁ ନିଜ ଘରକୁ ଫେରିଛନ୍ତି। ହେଲେ ଭକ୍ତର ମନ ମାନୁନି। ଯେମିତି ଅନେକ କଥା କହିବାର ଥିଲେ ହେଁ ସେ ପ୍ରଭୁଙ୍କୁ କହିପାରିନି। ଯେବେ ରଥରେ ଚଢ଼ି ପ୍ରଭୁ ଘର ବାହୁଡ଼ା ପାଇଁ ପ୍ରସ୍ତୁତ ହେଉଥିଲେ ଆଖିରୁ ନିଗିଡ଼ି ଆସୁଥିଲା ଅଶ୍ରୁଧାର। ଅନେକଙ୍କ ଆବେଗିକ ମୁହଁର ପରିଭାଷା ହିଁ ଯେମିତି କହୁଥିଲା, ଅଟକି ଯାଆନ୍ତା କି ନନ୍ଦିଘୋଷ। ପ୍ରଭୁ କିନ୍ତୁ ନି‌ଜେ ଯେ ଦୁନିଆର ନିୟମରେ ବନ୍ଧା, ତାହା ନିଜ ଭକ୍ତଙ୍କ ସମ୍ମୁଖରେ ପ୍ରମାଣିତ କରି ଫେରି ଆସୁଥିଲେ ମନ୍ଦିର। ଭକ୍ତ ବି ନିଜ ଭାବକୁ ମନ ଗଣ୍ଠିଲିରେ ବାନ୍ଧି ପ୍ରଭୁଙ୍କୁ ଟାଣି ଆଣିଥିଲେ। ରଥ ଗଡ଼ିବା ପୂର୍ବରୁ ଆଜି ବି ଦାଣ୍ଡ ଧୋଇ ଦେବାକୁ ଇନ୍ଦ୍ର ଦେବତା ‌ଓହ୍ଲାଇ ଆସିଥିଲେ ଭୂପୃଷ୍ଠକୁ। ରଥ ଗଡ଼ିବାର କିଛି ସମୟ ପରେ ପାଗ ଖୋଲି ଯାଇଥିଲା। ମେଘୁଆ ଆକାଶ ତଳେ ଆଧ୍ୟାତ୍ମିକ ଗୁଞ୍ଜରଣରେ ଭିଜିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଖୋଳ ଓ ଝାଞ୍ଜ ତାଳରେ ହରେକୃଷ୍ଣ ହରେରାମ..ସାଙ୍ଗକୁ ହରିବୋଲ ହୁଳହୁଳିରେ ଉଚ୍ଛୁଳିଥିଲା ସହର। ସନ୍ଧ୍ୟା ସ୍ପର୍ଶ କରିବା ପୂର୍ବରୁ ସମସ୍ତ ରଥ ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା। ବାହୁଡ଼ା ଯାତ୍ରା ସିନା ସୁରୁଖୁରୁରେ ସମ୍ପାଦନ ହୋଇଥିଲା, ମାତ୍ର ପ୍ରଭୁ ବାହୁଡ଼ିଯିବା ପରେ ସେହି ସ୍ଥାନ ଶ୍ରୀହୀନ ହୋଇଯାଉଥିଲା। ଲାଗୁଥିଲା ଯେମିତି କେହି ଜଣେ ଅତି ଆପଣାର ମଣିଷଟିଏ ଲେଉଟି ଯାଉଥିଲା…

ପିଲାଏ ଟାଣିଲେ..
ପୁରୁଣା ଭୁବନେଶ୍ୱର ଯମେଶ୍ବର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ବାହୁଡ଼ା ଯାତ୍ରା ସମାପନ ହୋଇଛି। ଗଙ୍ଗା ଯମୁନା ମନ୍ଦିରରୁ ଠାକୁରଙ୍କୁ କୁନି ପିଲାମାନେ ରଥରେ ଯମେଶ୍ୱର ପାଟଣାକୁ ଟାଣି ଆଣିଥି‌ଲେ। କମିଟିର ସମ୍ପାଦକ ବସନ୍ତ କୁମାର ସମର୍ଥା, ଗୌରୀ ଖଟେଇ, ବାବୁ ଖୁଣ୍ଟିଆ, ସୁବାସ ବାରିକ, ସୁବାସ ଦାସ, କେଦାର ପ୍ରଧାନ ଓ ଶତାଧିକ ସଭ୍ୟ ସାମିଲ ହୋଇଥିଲେ। ବଡ଼ଦାଣ୍ଡ ସାହିରେ ଘୋଷଯାତ୍ରା କମିଟି ପକ୍ଷରୁ ବାହୁଡ଼ା ଯାତ୍ରା ରାମେଶ୍ୱର ବାରିକ ସାହିରୁ ବାହାରି ରଥଦାଣ୍ଡକୁ ଆସିଥିଲା। କମିଟିର ଶକ୍ତି ପ୍ରସାଦ ସାହୁ, ସମ୍ପାଦକ ସୁଶୀଲ ପ୍ରହରାଜ, ଉପଦେଷ୍ଟା ଅମିୟ ବିଶୋଇ, ଅମିତ ଶତପଥୀ, ଗୌତମ ସାହୁ, ଭାରତ ବିଶୋଇ, ପିଣ୍ଟୁ ସାହୁ, ରାହୁଲ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଭୀମଟାଙ୍ଗି ତଳ ଫେଜ୍‌ରେ ସାଇଶ୍ରୀ କ୍ଲବ୍‌, କପିଳେଶ୍ୱର ରାମ ଭୋଇ ସାହିରେ ମଧ୍ୟ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସମ୍ପାଦନ ହୋଇଛି।

 

ସାଢ଼େ ୫ଟା ସୁଦ୍ଧା ଶ୍ରୀବାଣୀ କ୍ଷେତ୍ରରେ
‘କିସ୍‌’ ଶ୍ରୀବାଣୀ କ୍ଷେତ୍ରରେ ୩ ରଥ ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ରଥଖଳାରେ ପହଞ୍ଚିଛନ୍ତି। ଅପରାହଣ୍ ସାଢ଼େ ୩ଟାରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜାବେଶରେ ପହଞ୍ଚି ଛେରାପହଁରା କରିଥିଲେ। ରାଜଧାନୀର ସବୁଠାରୁ ଉଚ୍ଚ ରଥ ପଟିଆ ଗଡ଼ର ବଳଦେବଜିଉ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସଂଧ୍ୟାରେ ପ୍ରଭୁ ମନ୍ଦିରରେ ପହଞ୍ଚିଛନ୍ତି। ପୂଜାର୍ଚନା ପରେ ପଟିଆ ଗଡ଼ ରାଜା ଚତୁର୍ଥ ଦିବ୍ୟସଂହଦେବ ଛେରାପହଁରା କରିଥିଲେ। ପରେ ବାଜା ବାଣ ଓ ପାରମ୍ପରିକ ବାଦ୍ୟ ତାଳେତାଳେ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇଥିଲେ। ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଶ୍ରୀଜଗନ୍ନାଥ ମନ୍ଦିର ମଙ୍ଗଳା ମା’ ମନ୍ଦିର ଛକରୁ ରଥକୁ ଆଜି ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜିଭିଜି ଟାଣିଥିଲେ। ରଥର ଗୋଟିଏ ଦଉଡ଼ିକୁ ପୁରୁଷ ଓ ଅନ୍ୟ ଦଉଡ଼ିଟିକୁ ମହିଳା ଟାଣିଥିଲେ। ତିନିଦିନ ଧରି ଏଠାରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି କିମିଟି ପକ୍ଷରୁ କୁହାଯାଇଛି। ଆର୍‌ସିଏମ୍‌ରେ ମଧ୍ୟ ବହୁ ଆଡ଼ମ୍ବର ସହକାରେ ପାରମ୍ପରିକ ଆଦିବାସୀ ନୃତ୍ୟର ଭିଡ଼ ମଧ୍ୟରେ ପ୍ରଭୁ ମନ୍ଦିର ଫେରିଥିଲେ। ଏଥିସହ ରଙ୍ଗମାଟିଆ ଗ୍ରାମ, ଧୀରିକୁଟି ସାହି ଶ୍ରୀ ଜଗନ୍ନାଥ ମନ୍ଦିର, ରଙ୍ଗମାଟିଆ ବାୟା ବାବା ରଥ ଓ ବଢ଼େଇ ସାହି କୁନି ପିଲାଙ୍କ ରଥ ଆଜି ଗାଁ ଦାଣ୍ଡରେ ଗଡ଼ିଥିଲା।

ସାଢ଼େ ୬ଟା ସୁଦ୍ଧା ଇସ୍କନ୍‌ରେ ୩ ରଥ
ନିର୍ଧାରିତ ସମୟରେ ରୀତି ନୀତି ପରେ ପ୍ରଭୁ ମୁହାଁଇଥିଲେ ଇସ୍କନ ମନ୍ଦିର। ଅପରାହ୍‌ଣ ୪ଟାରେ ବର୍ଷା ସତ୍ତ୍ବେ ଭକ୍ତମାନେ ଭିଜିଭିଜି ରଥ ଟାଣିଥିଲେ। ତେବେ କିଛି ସମୟ ପରେ ବର୍ଷା ଛାଡ଼ି ଯାଇ ପାଗ ଖୋଲିଥିଲା। ସନ୍ଧ୍ୟା ୬ଟାରେ ବଳଭଦ୍ରଙ୍କ ରଥ ପ୍ରଥମେ ଇସ୍କନ୍‌ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ପରେ ସୁଭଦ୍ରାଙ୍କ ରଥ ୬ଟା ୧୫ ଓ ଜଗନ୍ନାଥଙ୍କ ରଥ ୬ଟା ୩୦ରେ ପହଞ୍ଚିଥିଲା। କେବଳ ମଝିରେ ସୁଭଦ୍ରାଙ୍କ ରଥର ବ୍ରେକ୍‌ ଭାଙ୍ଗିଯାଇଥିଲା। ଦାଣ୍ଡ ସାରା ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ ପାଇଁ ଧାଡ଼ି ବାନ୍ଧି ‌ଅପେକ୍ଷା କରିଥିଲେ। ହରିବୋଲ, ହରେକୃଷ୍ଣ ମହାମନ୍ତ୍ରରେ ନାଚି ନାଚି ରଥକୁ ଟାଣି ଆଣିଥିଲେ ଶ୍ରଦ୍ଧାଳୁ। ରଥ ଉପରେ ପ୍ରଭୁଙ୍କ ସାଙ୍ଗରେ ସେଲ୍‌ଫି ନେବାକୁ ଅନେକ ପ୍ରୟାସ କରୁଥିଲେ ହେଁ ଏହାକୁ ବାରଣ କରାଯାଇଥିଲା। ବାହୁଡ଼ା ଦିଅଁଙ୍କୁ ଦର୍ଶନ ପାଇଁ ଓଭରବ୍ରିଜ୍‌ ଉପରେ ଶହଶହ ଶ୍ରଦ୍ଧାଳୁ ରୁଣ୍ତ ହୋଇଥିଲେ। ପାଗ ଅନୁକୂଳ ଥିବାରୁ ସନ୍ଧ୍ୟାରେ ଦର୍ଶନ କରିବାକୁ ବ୍ୟାପକ ଭିଡ଼ ଜମିଥିଲା। ଏଥିସହ ବାଣୀବିହାର, ସହିଦନଗର, ରାଜୀବ ଭବନ ନିକଟରେ ମଧ୍ୟ ବାହୁଡ଼ାଯାତ୍ରା ଯଥାରୀତି ସମ୍ପାଦିତ ହୋଇଛି।

ଜାଗମରାରୁ କୋଳଥିଆ
ଦେଉଳ ପାଟଣାର ସଂକୀର୍ତନ, ମଙ୍ଗଳପୁରର ସାହିନାଚ, ଖୋର୍ଧାର ପାଇକ ଆଖଡ଼ା ମେଳରେ ଘଣ୍ଟଘଣ୍ଟା ଓ କାହାଳୀର ମାଙ୍ଗଳିକ ଧ୍ବନିର ଅନୁଭବ ନେଇ ପ୍ରଭୁ ଗଣ୍ଡମୁଣ୍ଡା ଲକ୍ଷ୍ମୀନାରାୟଣ ମନ୍ଦିରରୁ ଜାଗମରାସ୍ଥିତ ମନ୍ଦିରକୁ ଫେରିଆସିଛନ୍ତି। ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା ଓ ବିଭୂତି ତ୍ରିପାଠୀଙ୍କ କହିବା ମୁତାବକ ପୋଡ଼ପିଠା ଓ ସରପୁଳି ଖାଇ ଗୁଣ୍ଡିଚା ରାଣୀଙ୍କ କାନିରେ ମୁହଁ ପୋଛି ଘରକୁ ଫେରିଛନ୍ତି ପ୍ରଭୁ। ବାଟରେ ବୁଢ଼ି ଠାକୁରାଣୀଙ୍କ ମନ୍ଦିରରେ ରହି ମାଉସୀ ହାତ ତିଆରି ପୋଡ଼ ପିଠା ଖାଇ ପ୍ରଭୁ ମନ୍ଦିର ଫେରିଛନ୍ତି। ଆସନ୍ତା ଦିନମାନଙ୍କରେ ପ୍ରଭୁଙ୍କର ସୁନାବେଶ, ଅଧରପଣା, ମାନଭଂଜନ ପରମ୍ପରା ସହ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଜାଗମରା ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସମ୍ପାଦକ ଅଜୟ ପଟ୍ଟନାୟକ। କୋଳଥିଆରେ ମାଳିକା ସିଦ୍ଧାନ୍ତ ଜଗନ୍ନାଥ ମନ୍ଦିର ପକ୍ଷରୁ ୩ ରଥରେ ପ୍ରଭୁ ଘର ବାହୁଡ଼ା କରିଥିଲେ। ଓୟୁଏଟି କଲୋନିସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ପରିଚାଳିତ ବାହୁଡ଼ା ଯାତ୍ରାରେ ରଥ ଝାଡ଼େଶ୍ବରୀ ମନ୍ଦିରରୁ ବାହାରି ସାଢ଼େ ୬ଟା ସୁଦ୍ଧା ମନ୍ଦିରରେ ଲାଗିଥିଲା। ଏହା ବ୍ୟତୀତ ‌ତମାଣ୍ଡୋ, ବରମୁଣ୍ଡାରେ ମଧ୍ୟ ବାହୁଡ଼ା ଯାତ୍ରା ଯଥାରୀତି ସମ୍ପାଦିତ ହୋଇଛି।

ସମ୍ବନ୍ଧିତ ଖବର