ତେରାପନ୍ଥ ଯୁବକ ପରିଷଦ, ମହିଳା ମଣ୍ଡଳର ରୌପ୍ୟ ଜୟନ୍ତୀ

ଆଚାର୍ଯ୍ୟ ତୁଳସୀ ଡାଇଗ୍ନୋସିସ୍ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ତେରାପନ୍ଥ ଯୁବକ ପରିଷଦ ଓ ମହିଳା ମଣ୍ଡଳର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ତେରାପନ୍ଥ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ସେବା ପାଇଁ ଉଦ୍ଦିଷ୍ଟ ‘ଆଚାର୍ଯ୍ୟ ତୁଳସୀ ଡାଇଗ୍ନୋସିସ୍ କେନ୍ଦ୍ର’କୁ ଲୋକାର୍ପଣ କରି କହିଲେ, ଜଣେ ମଣିଷର ରୁଚି ଓ ଚିନ୍ତା ଦ୍ବିତୀୟ ବ୍ୟକ୍ତି ସହ ମିଶିବା ଅସମ୍ଭବ। କେବଳ ପରସ୍ପର ସହଭାଗିତା ଯୋଗୁଁ ହିଁ ସଂସାର ଚାଲିଛି। ଏଣୁ ସମସ୍ତେ ମିଳିମିଶି ସମାଜର ଉନ୍ନତି ଓ ମାନବ ସେବା କରିବା ଉଚିତ ବୋଲି ସେ କହିଥି‌ଲେ। ମେୟର ଅନନ୍ତ ନାରାୟଣ ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିମଳ କଟାରିୟା, ସାଧାରଣ ସଂପାଦକ ସନ୍ଦୀପ କୋଠାରୀ, କୋଷାଧ୍ୟକ୍ଷ ନବୀନ ବେଗାନୀ, ଅଖିଳ ଭାରତୀୟ ତେରାପନ୍ଥ ମହିଳା ମଣ୍ଡଳର ଟ୍ରଷ୍ଟି ତାରା ସୁରାନା, ସଂଯୋଜିକା ସୂରଜ ବରଡ଼ିଆ, ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ଏବଂ ମହାସଭାର ପୂର୍ବତନ ସାଧାରଣ ସଂପାଦକ ପ୍ରଫୁଲ୍ଲ ବେତାଲା, ହୀରାଲାଲ ମାଲୁ, ସ୍ଥାନୀୟ ତେରାପନ୍ଥ ସଭାର ଅଧ୍ୟକ୍ଷ ମହେଶ ସେଠିଆ, ତେରାପନ୍ଥ ଯୁବକ ପରିଷଦ ଅଧ୍ୟକ୍ଷ ନିରଜ ଲାଲାନୀ, ମହିଳା ମଣ୍ଡଳ ଅଧ୍ୟକ୍ଷା ଶଶୀ ସେଠିଆ, ଭବନ ସମିତି ଅଧ୍ୟକ୍ଷ ସୁବାସ ଭୋରା, ପ୍ରକାଶ ବେତାଲା ଓ ମନସୁଖ ସେଠିଆ ପ୍ରମୁଖ ଉପସ୍ଥିତ ଥିଲେ। ଜଣାଶୁଣା ଯୁବ ବୈଜ୍ଞାନିକ ମହାବୀର ଗୋଲେଛା ‘ଆଧ୍ୟାତ୍ମିକତା ଏବଂ ବିଜ୍ଞାନ ଦ୍ୱାରା ବ୍ୟକ୍ତିଗତ ବିକାଶ’ ଶୀର୍ଷକ ଏକ କର୍ମଶାଳା ସଂଚାଳନ କରିଥିଲେ। ସମାରୋହରେ ଭୁବନେଶ୍ୱର ରୌପ୍ୟ ସମାଜ, ତେରାପନ୍ଥ ଯୁବକ ପରିଷଦ, ମାରଓ୍ୱାଡି ସମାଜ, ମହେଶ୍ୱରୀ ସମାଜ, ମାରୱାଡ଼ି ଯୁବ ମଞ୍ଚ ମହିଳା ସମିତି, ପର୍ଶୁରାମ ସମାଜ ସଂସ୍ଥାର ପ୍ରତିନିଧି ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର