ନୂଆ ସମୟ ନୂଆ କଥା: ଚଢ଼େଇ ପରି ଫୁଲ

ଏମିତି ଏକ ଫୁଲ ଅଛି ଯାହା ଅବିକଳ ଚଢ଼େଇ ପରି ଦେଖାଯାଏ। ଯେମିିତି ଧଳା ଚଢ଼େଇଟି ଡେଣା ମେଲି ଉଡ଼ୁଛି। କିନ୍ତୁ ପ୍ରକୃତରେ ଏହା ଚଢ଼େଇ ନୁହେଁ ବରଂ ଏକ ଫୁଲ। ଏହାର ବୈଜ୍ଞାନିକ ନାମ ହେଉଛି ହାବେନାରିଆ ରେଡିଏଟା। ହେଲେ ଏହା ଡୋଭ୍‌ ଫ୍ଲାୱାର୍‌ ବା ଇଗ୍ରେଟ୍‌ ଫ୍ଲାୱାର୍‌ ନାମରେ ବେଶି ପରିଚିତ। କାରଣ ଏହି ଫୁଲ ଦେଖିବାକୁ ଡୋଭ୍‌ ବା କପୋତ ଅବା ଇଗ୍ରେଟ୍‌ ନାମକ ଏକ ଚଢ଼େଇ ପରି। ଏହା ସାଧାରଣତଃ ରୁଷିଅା, କୋରିଆ, ଚାଇନା ଓ ଜାପାନ୍‌ର ଓଦାଳିଆ ସ୍ଥାନରେ ଦେଖିବାକୁ ମିଳେ। ବସନ୍ତ ଋତୁରେ ଏହି ଗଛ ଧୀରେ ଧୀରେ ବଢ଼େ ଓ ଖରାଦିନେ ଏଥିରେ କପୋତ ଡେଣା ମେଲି ଉଡ଼ିଲା ପରି ଫୁଲ ହୁଏ। ଗୋଟିଏ ଗଛରେ ଅତି ବେଶିରେ ୮ଟି ଫୁଲ ହୁଏ।

ନୀଳ ଲାଭା

ଆଗ୍ନେୟଗିରିରୁ ଡହ ଡହ ଲାଭା ଉଦ୍‌ଗିରଣ ହୁଏ। ଆଉ ତା’ ରାସ୍ତାରେ ଯାହା ବି ଆସେ ତାକୁ ସେ ଜାଳି ପୋଡ଼ି ଛାରଖାର କରିଦିଏ। ଲାଭା ହେଉଛି ଲାଲ୍‌ ରଙ୍ଗର। ହେଲେ ଇଣ୍ଡୋନେସିଆରେ ଅଛି କୱାହ ଇଜେନ୍‌ ନାମକ ଆଗ୍ନେୟଗିରି, ଯାହା ସାରା ବିଶ୍ବରେ ତା’ର ନୀଳ ରଙ୍ଗର ଲାଭା ଲାଗି ବେଶ୍‌ ପରିଚିତ। ହେଲେ ଏହା କେମିତି ସମ୍ଭବ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ। ପ୍ରକୃତରେ ଏହାର ଲାଭା ନୀଳ ରଙ୍ଗର ନୁହେଁ। ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଔଜଲ୍ୟମାନ ନୀଳ ରଙ୍ଗ, ଲାଭାରୁ ନିର୍ଗତ ହେଉଥିବା ପ୍ରଚୁର ମାତ୍ରାର ସଲଫ୍ୟୁରିକ୍‌ ଗ୍ୟାସ୍ ପାଇଁ ଉତ୍ପନ୍ନ ହୋଇଥାଏ। ଏହି ଗ୍ୟାସ୍‌ରେ ‌େଯବେ ନିଆଁ ଧରେ ତାହା ନୀଳ ରଙ୍ଗର ହୋଇଯାଏ। ଆଉ ଲାଭା ନୀଳ ରଙ୍ଗର ବୋଲି ମନେ ହୁଏ। ଏହି ଲାଭା ଯେତେ ଦୂର ପ୍ରବାହିତ ହେଲେ ବି ତାହା ଏହିଭଳି ନୀଳରଙ୍ଗର ଦେଖାଯାଏ।

ସମ୍ବନ୍ଧିତ ଖବର