ସହରର ଉପକଣ୍ଠରେ ଜଣେ ସନ୍ଥ ରହୁଥିଲେ। ଜନଗହଳି ଗାଡ଼ିମଟର ଭିଡ଼ଭାଡ଼ ଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ୍ଣ ମୁକ୍ତ। ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଡେଙ୍ଗା ଡେଙ୍ଗା ଗଛ ଆଉ ଅଳ୍ପ କିଛି କୁଡ଼ିଆ ଘର। ନିଜ କୁଟୀରକୁ ଖୁବ୍ ପରିଷ୍କାର ପରିଛନ୍ନ ରଖୁଥିଲେ ସେ। ଚାରିପଟରେ ନାନା ରକମର ଫୁଲଫଳ ଆଉ ପନିପରିବା ଗଛ ଆକର୍ଷଣୀୟ ଦିଶୁଥିଲା। ସନ୍ଥ ନିଜ ସନ୍ତାନ ପରି ସମସ୍ତ ଗଛଲତାର ସେବା ଯତ୍ନ ନେଉଥିଲେ। କୁଡ଼ିଆକୁ ଆସୁଥିବା ଅତିଥିଙ୍କୁ ସନ୍ଥ ନିଜ ବାରିରୁ ତୋଳିଥିବା ଫଳ ଆଉ ପନିପରିବା ବାଣ୍ଟି ଦିଅନ୍ତି। ଦିନର ଅନ୍ୟ ସମୟ ପୂଜାପାଠ ଶାସ୍ତ୍ର ଅଧ୍ୟୟନରେ ବିତି ଯାଉଥିଲା। ସନ୍ଧ୍ୟା ସମୟରେ ଆଖପାଖର ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ। ସନ୍ଥଙ୍କ ତୁଣ୍ଡରୁ ଗୀତା ଭାଗବତ ପୁରାଣ ଶାସ୍ତ୍ର ଶ୍ରବଣ କରି ଉପସ୍ଥିତ ସ୍ରୋତାଗଣ ଖୁସୀ ହୋଇଉଠୁଥିଲେ। ଦିନେ ସକାଳୁ ସନ୍ଥ ପାଖ ବଜାରକୁ ଯାଇଥାନ୍ତି। ଏଇ ସମୟରେ ଦୂର ସହରରୁ ଆସିଥିବା ଜଣେ ଯୁବକ ସହିତ ତା’ଙ୍କର ଭେଟ ହେଇଗଲା। ଯୁବକଟି ସନ୍ଥଙ୍କ ବିଷୟରେ ଅଳ୍ପବହୁତ ଜାଣିଥିଲେ। ଯୁବକ ଜଣକ ମେଳାପୀ ଆଉ ମିଷ୍ଠଭାଷୀ। ମାତ୍ର ସ୍ୱଳ୍ପ ସମୟରେ ସନ୍ଥଙ୍କ ସହିତ ଖୁବ୍ ଭଲ ଭାବରେ ପରିଚିତ ହୋଇଗଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସନ୍ଥ ଯେତେବେଳେ ନିଜ କୁଟୀରକୁ ପ୍ରସ୍ଥାନ କଲେ ଯୁବକ ବି ତାଙ୍କ ସହିତ ଧାଇଁ ଆସିଲେ। ପୂଜା ସମୟ ହେଉଥାଏ। ଯୁବକକୁ ପାଣି ଗିଲାସଟେ ଦେଇ ସେ ବସାଇବାର ଅନୁଗ୍ରହ କଲେ। ସନ୍ଥଙ୍କ ଅମାୟିକ ବ୍ୟବହାରରେ ଯୁବକଟି ପ୍ରସନ୍ନ ଦିଶୁଥାଏ। ଏଇ ସମୟରେ ଯୁବକ ପ୍ରଶ୍ନ କଲେ, ଆଚ୍ଛା ମହାତ୍ମା ସତରେ କଣ ଆପଣ ଈଶ୍ୱରଙ୍କୁ ଦେଖିଛନ୍ତି? ଏ ପ୍ରଶ୍ନରେ ସନ୍ଥ ପୂରାପୂରି ନିରବ ପଡ଼ିଗଲେ। ଯୁବକ ପୁଣି ପ୍ରଶ୍ନ କଲେ ଆପଣ କ’ଣ ଆତ୍ମାକୁ ବିଶ୍ୱାସ କରନ୍ତି? ଏଥର ବି ସନ୍ଥ ନିରବ। ଯୁବକ ନିଶ୍ଚିନ୍ତ ହେଲେ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ, ଏଣୁ ବିଦାୟ ନେବାକୁ ବାହାରିଲେ।
ଯୁବକ ଯିବାକୁ ପ୍ରସ୍ତୁତ ହେଲେ। ସନ୍ଥ ତାଙ୍କ ସହିତ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସିଲେ। ଏଇ ସମୟରେ ଯୁବକଙ୍କ ଆଖି ନିକଟରେ ଥିବା ଗୋଲାପ ଗଛ ଗୁଡିକ ଉପରେ ପଡ଼ିଲା। ସେ କହିଲେ ଗୋଲାପ ଫୁଲର କି ଚମତ୍କାର ମହକ। ସନ୍ଥ ପ୍ରଶ୍ନ କଲେ ତୁମେ କଣ ଫୁଲର ମହକକୁ ଦେଖି ପାରିଲ? ଯୁବକ କହିଲେ, ଭଲା ଫୁଲର ମହକକୁ କ’ଣ ଦେଖିହୁଏ। ସନ୍ଥ କହିଲେ ଟିକେ ପୂର୍ବରୁ ତୁମେ ପଚାରିଥିବା ପ୍ରଶ୍ନର ଏହା ହିଁ ଉତ୍ତର। ଏ ଜଗତରେ ଈଶ୍ୱରଙ୍କ ଅସ୍ତିତ୍ବ ଠିକ ସେଇଭଳି। ସ୍ୱଚକ୍ଷୁରେ ଆମେ ଈଶ୍ୱରଙ୍କ ପ୍ରତିମାକୁ ଦେଖୁ ହେଲେ ଆତ୍ମା ଈଶ୍ୱରଙ୍କ ଅସ୍ତିତ୍ବକୁ ଅନୁଭବ କରିପାରେ। ତୁମେ ଯନ୍ତ୍ରଣାରେ କଷ୍ଟ ପାଉଥିବା ରୋଗୀର ଯନ୍ତ୍ରଣାକୁ କ’ଣ ଦେଖିପାର? ଯୁବକଟି ଏଥର ନିଜ ଉତ୍ତର ପାଇ ସାରିଥିଲେ। ସନ୍ଥଙ୍କ ପାଦଧୂଳି ମଥାରେ ଲଗାଇ ନିଜ ରାସ୍ତାରେ ଆଗକୁ ବଢ଼ିଲେ ସେ।
ମଙ୍ଗଳାବାଗ୍, କଟକ