ସାଙ୍ଗକୁ ହରାଇବା ପରେ ଦୁୁଇକୋଟି ଟଙ୍କାର ହେଲମେଟ ବାଣ୍ଟିଲେ ଏହି ବ୍ୟକ୍ତି

ବିହାର: ଅସହାୟ ଲୋକଙ୍କୁ ସହାୟତା ଯୋଗାଉଥିବା ଅନେକ ବ୍ୟକ୍ତିବିଶେଷଙ୍କୁ ଆମେ ଦେଖିଛେ । କିନ୍ତୁ ବର୍ତ୍ତମାନ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆପଣ ଜାଣିବାକୁ ଯାଉଛନ୍ତି, ତାଙ୍କର କାମ ଜାଣିଲେ ତାଙ୍କୁ ସାଲ୍ୟୁଟ୍ ନକରି ରହିପାରିବେ ନାହିଁ । ଲୋକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟିବା ପାଇଁ ଚାକିରି ଛାଡିଲେ, ଟଙ୍କା ଅଭାବ ପଡିବାରୁ ନିଜର ବହୁମୂଲ୍ୟ ଘର ବି ବିକିଦେଲେ ଏହି ବ୍ୟକ୍ତି ।

ବିହାରର ରାଘବେନ୍ଦ୍ର କୁମାର । ସେ ଗତ ୭ବର୍ଷ ହେବ ମାଗଣାରେ ଲୋକଙ୍କୁ ହେଲମେଟ୍ ବାଣ୍ଟି ଆସୁଛନ୍ତି । ଗତ ୭ବର୍ଷ ମଧ୍ୟରେ ୪୯ହଜାରରୁ ଅଧିକ ହେଲମେଟ୍ ବାଣ୍ଟିସାରିଲେଣି । ଯାହାର ମୂଲ୍ୟ ପ୍ରାୟ ୨କୋଟିରୁ ଅଧିକ ହେବ । ବିହାରର ରାଘବେନ୍ଦ୍ର ଲୋକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟିବା ପଛରେ ଏକ ଦୁଃଖଦ କାରଣ ରହିଛି ।

୨୦୧୪ ମସିହା ରାଘବେନ୍ଦ୍ରଙ୍କ ପାଇଁ ଥିଲା ସବୁଠୁ ଖରାପ ବର୍ଷ । ଗରିବ ପରିବାରରେ ଜନ୍ମିତ ରାଘବେନ୍ଦ୍ରଙ୍କ ବାପା ଚାଷ-ବାଷ କରି ଘର ଚଳାଇବା ସହ ରାଘବେନ୍ଦ୍ର ଏବଂ ତାଙ୍କର ଦୁଇ ଭାଇଙ୍କୁ ପାଠ ପଢାନ୍ତି । ଯୁକ୍ତ-୨ ପାସ୍ କରିବା ପରେ ୨୦୦୯ରେ ବହୁକଷ୍ଟରେ ଦିଲ୍ଲୀ ଯାଇ ସେଠାରେ ଲ’ ପଢିଥିଲେ ରାଘବେନ୍ଦ୍ର । ସେଠାରେ କଲେଜ ସମୟରେ ତାଙ୍କର କୃଷ୍ଣ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା । ବନ୍ଧୁତା ଧିରେ ଧିରେ ବଢିଥିଲା । ରାଘବେନ୍ଦ୍ର ଏବଂ କୃଷ୍ଣ ଉଭୟ ବେଷ୍ଟ-ଫ୍ରେଣ୍ଡ ଥିଲେ । ସବୁକିଛି ଠିକ୍ ଚାଲିଥିବା ବେଳେ ୨୦୧୪ରେ ଗ୍ରେଟର ନୋଏଡା ଏକ୍ସପ୍ରେସ୍-ୱେରେ ରାଘବେନ୍ଦ୍ରଙ୍କ ବେଷ୍ଟ-ଫ୍ରେଣ୍ଡ କୃଷ୍ଣଙ୍କ ଦୁର୍ଘଟଣା ହେଲା । ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା । ଏହି ଘଟଣା ରାଘବେନ୍ଦ୍ରଙ୍କୁ ବହୁତ ଆଘାତ ଦେଇଥିଲା । ସେହିଦିନ ଠାରୁ ଏବେ ଯାଏଁ ରାଘବେନ୍ଦ୍ର ଲୋକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟି ଆସୁଛନ୍ତି ।

ସାଙ୍ଗର ମୃତ୍ୟୁ ପରେ ରାସ୍ତାରେ ଛିଡା ହୋଇ ଯେଉଁ ବ୍ୟକ୍ତି ହେଲମେଟ୍ ପିନ୍ଧି ନଥିବେ ସେମାନଙ୍କୁ ହେଲମେଟ୍ ବାଣ୍ଟି ଆସୁଛନ୍ତି ରାଘବେନ୍ଦ୍ର । କେବଳ ହେଲମେଟ୍ ବାଣ୍ଟୁନାହାନ୍ତି, ଗରିବ ପିଲାଙ୍କୁ ପାଠ ପଢିବା ପାଇଁ ବହି ମଧ୍ୟ ବାଣ୍ଟୁଛନ୍ତି । ହେଲମେଟ୍ ଏବଂ ବହି ବାଣ୍ଟିବାରେ ଅସୁବିଧା ହେବାରୁ ରାଘବେନ୍ଦ୍ର ଚାରିରି ଛାଡିଦେଲେ । ଟଙ୍କା ଅଭାବ ପଡିବାରୁ ଘର ମଧ୍ୟ ବିକିଦେଲେ । ଏବେ ୟୁପି ସରକାର ରାଘବେନ୍ଦ୍ରଙ୍କୁ ‘ହେଲମେଟ୍ ମ୍ୟାନ’ର ଟ୍ୟାଗ୍ ଦେଇଛନ୍ତି । ଆଉ ରାଘବେନ୍ଦ୍ର ଏବେ ସମସ୍ତଙ୍କ ପାଖରେ ହେଲମେଟ୍ ମ୍ୟାନ୍ ଭାବରେ ପରିଚିତ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର