ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ଆଉ ୩ ସ୍ବର୍ଣ୍ଣ

କଟକ: ଆସାମର ଗୁଆହାଟୀଠାରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଦ୍ବିତୀୟ ଦିନ‌ ଓଡ଼ିଶା ଆଉ ୩ ସ୍ବର୍ଣ୍ଣ ପଦକ ହାସଲ କରିଛି। ଫଳରେ ପ୍ରଥମ ଦିନ ଗୋଟିଏ ସ୍ବର୍ଣ୍ଣ ଜିତିଥିବା ଓଡ଼ିଶାର ମୋଟ ପଦକ ୪ରେ ପହଞ୍ଚିଛି। ଶନିବାର ଲାଲୁ ପ୍ରସାଦ ଭୋଇ (୧୦.୭୧ ସେକେଣ୍ଡ) ୨୦ ବର୍ଷରୁ କମ୍‌ ବାଳକ ୧୦୦ ମିଟିରରେ, ଦଣ୍ଡପତି ମୂର୍ତ୍ତି ଜୟରାମ (୧୦.୮୩ ସେକେଣ୍ଡ୍‌) ୧୮ ବର୍ଷରୁ କମ ବାଳକ ୧୦୦ ମିଟରରେ ଏବଂ ଓମ୍‌କାର ପ୍ରସାଦ ନନ୍ଦ (୧୮.୩୪ ମିଟର) ୧୬ ବର୍ଷରୁ କମ୍‌ ବାଳକ ସଟ୍‌ପୁଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

୨୦ ବର୍ଷରୁ କମ୍‌ ୧୦୦ ମିଟରରେ ଝାଡ଼ଖଣ୍ଡର ସଦାନନ୍ଦ କୁମାର ଓ ତାମିଲନାଡୁର କ୍ରିଷ୍ଣାରାଜ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲା ବେଳେ ୧୮ ବର୍ଷରୁ କମ୍‌ ୧୦୦ ମିଟରରେ ତାମିଲନାଡୁର ବରୁଣ ମନୋହର, ମହାରାଷ୍ଟ୍ରର ଏସ୍. ପରେଶ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ସଟ୍ ପୁଟ୍‌ରେ ଉତ୍ତରପ୍ରଦେଶର ଅଖଣ୍ଡ ପ୍ରତାପ ସିଂହ ଓ ସୁଜଲ କୁମାର ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଦୌଡ଼କୁଦ ସଂଘର ସଂପାଦକ ଆଶୀର୍ବାଦ ବେ‌ହେରା ଏହି ସଫଳତା ପାଇଁ ପ୍ରତି‌ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର